ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଚେତାବନୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ଭାବେ ପରିଚିତ ହିଞ୍ଜିଳିକାଟୁ ପନିପରିବା ବଜାର ପରିସରରେ ଚାଷୀଙ୍କୁ ପୁଲିସର ଅପବ୍ୟବହାର ନେଇ ବିବାଦ ଉପୁଜିଥିଲା। ଫଳରେ ଚାଷୀ ମାନେ ନିଜ ନିଜ ପନିପରିବାକୁ ରାସ୍ତାରେ ରଖି ବୁଧବାର ସନ୍ଧ୍ୟାରେ ଆନ୍ଦୋଳନ କରିଥିଲେ। ଫଳରେ କିଛି ଘଣ୍ଟା ପାଇଁ ହିଞ୍ଜିଳିକାଟୁ – ତାରାତାରିଣୀ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ସହ ୪ ଦିନ ମଧ୍ୟରେ ଘଟଣାର ସମାଧାନ କରିବା ପାଇଁ ପୁଲିସ ଅନୁରୋଧ କରିବା ପରେ ରାସ୍ତାରୋକ ହଟିଥିଲା। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ପୈାର ଓ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ସମାଧାନର ଅସ୍ଥାୟୀ ସୂତ୍ର ବାହାରିଛି। ଗୁରୁବାର ସନ୍ଧ୍ୟାରେ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ନେତୃତ୍ୱରେ ପୈାର କାର୍ଯ୍ୟାଳୟ ସଭାକକ୍ଷ ପରିସରରେ ପନିପରିବା ଚାଷୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଥାନା ଆଇଆଇସି ଶ୍ରୀନିବାସ ସେଠି ଓ ହିଞ୍ଜିଳିକାଟୁ ଅଞ୍ଚଳର ବହୁ ପନିପରିବା ଚାଷୀ, କ୍ଷୁଦ୍ର ଚାଷୀ ଓ ଫୁଟପାଥ୍ ଚାଷୀ ମାନେ ଅଂଶ ଗ୍ରହଣ କରିଥିଲେ। ପନିପରିବା ବଜାର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ପ୍ରତ୍ୟହ ସକାଳ ୬ଟା ରୁ ୧୦ଟା ପର୍ଯ୍ୟନ୍ତ ସଂପୃକ୍ତ ବଜାର ମଧ୍ୟ ଦେଇ ଯାତାୟତ କରୁଥିବା ଭାରୀଯାନ ଯାନବାହାନ ଗୁଡ଼ିକୁ ପୋଷ୍ଟ ଅଫିସ ରାସ୍ତା ଦେଇ ହିଞ୍ଜିଳି କେନାଲ ରୋଡରେ ଆରଏମସି ଛକ ଦେଇ ଚଳାଚଳ କରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା। ବିଜୁ ପଟ୍ଟନାୟକ ଛକ ଠାରୁ ପନିପରିବା ବଜାର ପରିସରକୁ ନୋ ପାର୍କିଂ ଜୋନ୍ କରାଯିବା ସହ ରାସ୍ତା ଉପରେ ବସି କ୍ଷୁଦ୍ର ଓ ଫୁଟପାଥ୍ ଚାଷୀ ମାନଙ୍କୁ ବ୍ୟବସାୟ କରିବାକୁ ବାରଣ କରାଯାଇଛି। କ୍ଷୁଦ୍ର ଓ ଫୁଟପାଥ୍ ଚାଷୀ ମାନେ ପନିପରିବା ବଜାର ପରିସରରେ ଗୋଟିଏ ସ୍ଥାନରେ ସମସ୍ତ କ୍ଷୁଦ୍ର ଓ ଫୁଟପାଥ୍ ଚାଷୀ ଏକତ୍ରିତ ଭାବେ ବ୍ୟବସାୟ ନକରି ଭାଗ ଭାଗ ହୋଇ ବ୍ୟବସାୟ କରିବାକୁ ନିର୍ବାହୀ ଅଧିକାରୀ ବେହେରା ଅନୁରୋଧ କରିଥିଲେ। ଆଗାମୀ ଦିନରେ ପନିପରିବା ବଜାର ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଉତ୍ତର ବ୍ଳକ ବିଲ୍ଡି° କାମ ଶେଷ ହେବା ପରେ ଚାଷୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ, ଏଥି ସକାଶେ ସଂପୃକ୍ତ ଚାଷୀ ମାନେ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ହିଞ୍ଜିଳିକାଟୁ ପନିପରିବା ବଜାର ପରିସରରେ ବହୁବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଛି। ଚାଷୀ ମାନଙ୍କ ସହ ସ୍ଥାନୀୟ ପ୍ରଶାସନର ବହୁବାର ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୈାଣସି ସମାଧାନର ସୁତ୍ର ବାହାରି ପାରିନାହିଁ। ଫଳରେ ଚାଷୀ ମାନେ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ଉପରେ ଆସ୍ଥା ପ୍ରକଟ କରିପାରୁନଥିବା ନେଇ ବହୁ ଚାଷୀ କହିଛନ୍ତି। ଆଗାମୀ ଦିନରେ ବ୍ୟବସାୟ କରୁଥିବା କ୍ଷୁଦ୍ର ଓ ଫୁଟପାଥ୍ ଚାଷୀ ମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଏକ ବିରାଟ ଚାଷୀ ଆନ୍ଦୋଳନ ଗଢି ଉଠିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି।