ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ-୨୦୨୦ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଗତକାଲି ଅପରାହ୍ନରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ୨୦୨୦ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର କୁଷ୍ଠ ବ୍ୟାଧି ଉପରେ ଏକ ସବିଶେଷ ଆଲୋଚନା କରାଯାଇଥିଲା । ଏହି ବ୍ୟାଧିରେ ଆକ୍ରାନ୍ତଙ୍କ ସଂଖ୍ୟା ସଠିକ ଭାବେ ଆକଳନ କରିବାରେ କିଛି ସମସ୍ୟା ରହୁଥିବା ଅନୁମାନ କରାଯାଉଥିବା ଦର୍ଶାଇ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି, ସ୍କୁଲ ଛାତ୍ରଛାତ୍ରୀ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଏଥିରେ ସାମିଲ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆସନ୍ତା ଜାନୁୟାରୀ ୩୦ ତାରିଖ ଦିନ ପ୍ରତ୍ୟେକ ଗ୍ରାମ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଆୟୋଜନ ସହ ସରପଂଚମାନେ ଆୟୋଜିତ ସଭାକୁ ସମ୍ଭୋଧିତ କରିବା ସହ ଜିଲ୍ଲାପାଳଙ୍କ ଦ୍ୱାରା ଦିଆଯାଇଥିବା ବାର୍ତା ପଢି ଶୁଣାଇବେ । ଏଥି ସହିତ ପ୍ରତ୍ୟେକ ଗ୍ରାମ ପଂଚାୟତ, ପଂଚାୟତ ସମିତି, ସ୍କୁଲ ପ୍ରଭୃତିରେ କୁଷ୍ଠ ନିରାକରଣ ଦିଗରେ ସହଯୋଗ ପ୍ରଦାନ, କୁଷ୍ଠ ରୋଗୀଙ୍କୁ ଘୃଣା ନ କରିବା ତଥା ସେମାନଙ୍କୁ କୌଣସି ପ୍ରକାର ପାତର ଅନ୍ତର ନ କରିବା ପାଇଁ ଏକ ଶପଥ ପାଠ କରାଯିବ । ଏହି ଉପଲକ୍ଷେ ଜାନୁୟାରୀ ୩୦ ତାରିଖରୁ ଫେବୃୟାରୀ ୧୩ ତାରିଖ ଯାଏଁ ସ୍ୱପ୍ନା ମାସ୍କଟ ପ୍ରସ୍ତୁତ କରି ଜିଲ୍ଲା ସାରା ସଚେତନତା ସୃଷ୍ଟି ନିମନ୍ତେ ପ୍ରେରଣ କରାଯିବାକୁ ବସ୍ତୁତଃ ଯୋଜନା ନିର୍ଦ୍ଧାରଣ କରାଯାଇଛି । ତତବ୍ୟତୀତ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଷ୍ଠ ରୋଗ ନିବାରଣ ସମ୍ବନ୍ଧରେ ପ୍ରବନ୍ଧ, ବକ୍ତୃତା ପ୍ରଭୃତି ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି । ରାଜ୍ୟକୁ କୁଷ୍ଠ ମୁକ୍ତ ରାଜ୍ୟ ଭାବେ ଗଢି ତୋଳିବା ଉଦ୍ଦେଶ୍ୟକୁ ସଫଳ କରିବା ଦିଗରେ ସବୁ ପ୍ରକାର କାର୍ଯ୍ୟକ୍ରମ କରାଯିବା ଉପରେ ସ୍ୱାସ୍ଥ୍ୟ ପ୍ରଶାସନ ଜନ ଜାଗରଣ କରିବାକୁ ଯୋଜନା ରଖିଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ(ପରିବାର ସ୍ୱାସ୍ଥ୍ୟ) ଡା ଶଶାଙ୍କ ଶେଖର ଚୌଧୁରୀ, ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି ପ୍ରମୁଖ ମଂଚାସୀନ ଥିବା ବେଳେ ଜିଲ୍ଲାସ୍ତରୀୟ ପରାମର୍ଶଦାତା ଡା. ତପନ କୁମାର ମହାପାତ୍ର ଆଲୋକବିନ୍ଦୁ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ ।


