ସ୍ବାଧୀନତା

ତାର ମଧ୍ୟ ଏ ଘରେ ଅଧିକାର ଅଛି. ଝିଅ ହେଲେ ମଧ୍ୟ ସେ ବାପାଙ୍କ କାନ୍ଧକୁ କାନ୍ଧ ମିଶାଇ ଏ ଘର ଠିଆ କରିବାରେ ସହାୟ ହୋଇଛି. ସହାୟ ହୋଇଛି ବାପାଙ୍କ ମାନସିକ, ଶାରୀରିକ ଓ ଆର୍ଥିକ ବଳ ହୋଇ. ବୋଉ ଚାଲିଗଲା ପରେ ବାପା, ଝିଅ ପୁଅଙ୍କ ମୁଁହକୁ ଚାହିଁ ଦ୍ୱିତୀୟ ବିବାହ କରିନଥିଲେ ବୋଲି ସେ ତାର ପ୍ରେମକୁ ପ୍ରତ୍ୟାକ୍ଷାନ କରି ବାପା ଚାଁହୁଥିବା ପୁଅକୁ ବିବାହ କଲା ବେଳେ ଭୁଲିଗଲା ଏଇ ଗାଁର ପୁଅ ରବି ତାକୁ ଆଜିଯାଏଁ ମାଆ ପରି ସାଙ୍ଗଟିଏ ହୋଇ ହାତରେ ହାତ ମିଶାଇ ଆସିଥିଲା. ତାର ଚିତ୍ରକରିବା ଇଛା ପୁରଣ କରିବା ପାଇଁ ରଙ୍ଗ ତୁଳୀ ହାତରେ ଦେଇ ନିଜେ କାନଭାସରେ ପୋଟ୍ରେଟ ହେଉ ହେଉ ହୃଦୟରେ ପୋଟ୍ରେଟ ହୋଇସାରିଥିଲେ ମଧ୍ୟ ବାପାଙ୍କ କଥା କାଟି କହିପାରିନଥିଲା କାକଳୀ ମୁଁ ରବିକୁ ଭଲ ପାଏ ବାପା. ବରଂ ବାପା ଆଣିଥିବା ପ୍ରସ୍ତାବକୁ ସ୍ୱୀକୃତି ସହ ସମ୍ମତି ଜଣାଇ ବିବାହ କରିଥିଲା ଅସ୍ମିତକୁ.
ରବିର ସହଯୋଗରେ ତୁଳୀଧରି ରଙ୍ଗ ଦେଉ ଦେଉ ଏମିତି ରଙ୍ଗ ଦେଲାଯେ ସୁନ୍ଦର ସୁନ୍ଦର ଚିତ୍ରପଟ କରୁ କରୁ ସେହି ରଙ୍ଗ ତୁଳୀ ପାଇଁ ପଢିଲା ଆର୍ଟ କଲେଜରେ ଓ ପାଇଲା ଚାକିରୀ. ବାପାଙ୍କ ସାଙ୍ଗକୁ ଆର୍ଥିକ ସହାୟତା କରି ଚାଳଘର ପକ୍କା ଘର ହେଲା ଓ ସାନଭାଇ ଶୋମେଶ ପାଠ ପଢି, ଚାକିରୀ କରି ବିବାହ କଲା କିନ୍ତୁ ବାପାଙ୍କ ବାର୍ଦ୍ଧକ୍ୟରେ ତାଙ୍କର ହେପାଜତ କରିବାକୁ ଭାଉଜ ସକ୍ଷମ ନୁହେଁ. ଗାଁରେ ଅଙ୍ଗନବାଡିରେ ପାଠପଢା ସାଙ୍ଗକୁ ନିଜର ମାତୃତ୍ୱ କଷ୍ଟ ଭିତରେ ଭାଉଜର କାମକୁ ହାଲକା କରିବା ପାଇଁ କାକଳୀ ଘେନି ଗଲା ବାପାଙ୍କୁ ସାଙ୍ଗରେ. ତାରି ପାଖରେ ବାପା ଶେଷନିଶ୍ୱାସ ଶାନ୍ତିରେ ନେଲାବେଳେ କହିଥିଲେ ମାଆରେ ଏ ବକ୍ସ ଭିତରେ ଥିବା ଚିଠି କଥା କାହାକୁ ଜଣେଇବୁ ନାହିଁ. ଏଇଟା ବୋଉର ଇଛା ଆଉ ମୋର ମଧ୍ୟ.ବାପାଙ୍କ କଥା ମାନି ଏଯାଏଁ ସେ ବକ୍ସ ଖୋଲି କି ଚିଠି ଖୋଲି କେଵେ ପଢ଼ିବାର ସାହସ କରିନଥିଲା କାକଳୀ.ବରଂ ସବୁ ବର୍ଷ ପରି ଦଉଡି ଯାଇଥିଲା ଗାଁକୁ, ରାକ୍ଷୀ ପୁନେଇଁରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ସହ ବାପା କରିଥିବା ଗୁହାଳରେ ବାପାଙ୍କ ପ୍ରିୟ ଗାଇ ରମା ଓ ଉମାଙ୍କୁ ପିଠା ଖୁଆଇ, ଚନ୍ଦନ ଲଗାଇ ରାକ୍ଷୀ ବାନ୍ଧିବାକୁ.
ଭାଉଜ ଗର୍ଜନ କରୁଥିଲା. ବାପାଙ୍କୁ ନେଇ ପାଖରେ ରଖି ତାଙ୍କ ବାକ୍ସରେ ଥିବା ସବୁ ଅମୁଲ୍ୟ ସମ୍ପତ୍ତି ନେଲ ପୁଣି ଭାଇ ହାତରେ ରାକ୍ଷୀ ବାନ୍ଧି କଣ ଘର ଭାଗ କରିବାକୁ ଚାଲିଆସିଲ? ସ୍ଥାଣୁ ପାଲଟି ଯାଇଥିଲା କାକଳୀ. ବାପାଙ୍କ ବକ୍ସରେ ଥିବା ଏକମାତ୍ର ଚିଠିରେ ଥିଲା ତା ଜନ୍ମ ବୃତ୍ତାନ୍ତ. ବାପା କାଳେ ମେଳାରୁ ପାଇଥିଲେ ତାକୁ.ଯେତେ ଚେଷ୍ଟା କଲେବି ଝିଅର ପରିଚୟ ମିଳିବା ଦୂରେ ଥାଉ ଦାଵୀଦାର କେହି ନଥିଲେ.ବୋଉ ଝିଅକୁ ପାଇ କୃତ୍ୟ କୃତ୍ୟ ହୋଇ ନିଜର କରି ନେଇଥିଲା ଓ ପରେ ପରେ ସାନଭାଇ ତା କୋଳକୁ ଆସିଥିବାରୁ ମୋ ଝିଅ ଭାରି ଲଷ୍ମୀବନ୍ତ କହୁଥିବା ବୋଉ ସିନା ଅନାଥ କରି ଚାଲିଗଲା ହେଲେ ଏକା ଥାଳିରେ ଖାଇ, ଏକାଠି ବଢିଥିବା ଭାଇ ଆଜି ଭାଉଜ କଥାରେ ପ୍ରତିବାଦ କରୁନଥିଲା ତ କାକଳୀ ଫେରିଆସିଥିଲା ଗାଁ ମନ୍ଦିରକୁ ଯୋଉଠି ବାଧିକା ସାନଭାଇ ଶୋମେଶକୁ ଭଲ କରିବା ପାଇଁ ବାପାଙ୍କ ସହ ତିନିଦିନ ଗୁହାରିଆ ପଡିଲା ପରେ ଶୋମେଶ ଆଖି ଖୋଲିଥିଲା ଓ କଥା କହିଥିଲା.
ଭାବୁ ଭାବୁ ସନ୍ଧ୍ୟା ହୋଇସାରିଥିଲା. ଶ୍ରାବଣୀ ବର୍ଷା ମଧ୍ୟ ଲାଗିରହିଥିଲା ତ ମୁଣ୍ଡରେ ହାତ ଦେଇ କାକଳୀ ଭାବୁଥିଲା ସହରକୁ ଯିବା ଶେଷ ବସ ବି ଛାଡିଦେବଣି ଏଭିତରେ ତ ରାତିରେ କୁଆଡେ ଯିବ ସେ. ଠିକ ଏତିକି ବେଳେ କିଶୋରୀ ଝିଅଟିଏ ଛତା ଧରି କହୁଥିଲା ଘରକୁ ଆସ ଅପା. ବାପା ବୋଉ ଅପେକ୍ଷା କରିଛନ୍ତି. ବାଧ୍ୟ ହୋଇ ଉଠିଲା କାକଳୀ. ରବି ଓ ତା ସ୍ତ୍ରୀ ପାଛୋଟି ନେଲେ ତାକୁ. ମୋ ହାତରେ ରାକ୍ଷୀ ବାନ୍ଧିବୁନିକି ବୋଲି ରବି କହୁଥିଲା ବେଳେ ଝିଅ ତାର କହୁଥିଲା ଅପା ତୁମେ ଖୁବ ସୁନ୍ଦର ପୋଟ୍ରେଟ କରିପାର ବୋଲି ବାପାଙ୍କଠୁ ଶୁଣିଛି. ରଙ୍ଗ ତୁଳୀ ଓ କାନଭାସ ପ୍ରସ୍ତୁତ ଖାଲି ତୁମ ହାତ ଦରକାର ଅପା. ଖାଇବସିବା ବେଳେ ରବି ସ୍ତ୍ରୀ କହୁଥାଏ କଣ ବୋଲି ଭାବିଛି କେଜାଣି ତୁମ ନିଜ ଭାଉଜ ବୋଳାଉଥିବା ସେ ସ୍ତ୍ରୀ ଲୋକ. ଭାବିଛି ସବୁ ଖାଇ ଚଳୁ କରି ଯୁଗ ରାଇଜ ବଞ୍ଚିବ ଏ ସଂସାରରେ. ରବି କହୁଥିଲା ତାର କଣ ଅଧିକାର ନାହିଁ? ମୁଁ ଛାଡିବିନି ଜମା. ଗାଁ ସରପଞ୍ଚ ମୁଁ ସବୁ ଅଧା ଅଧା ହେବ. ତୋ ହକ ତୁ ପାଇବୁ.ରବିଙ୍କ ପାଟିରୁ କଥା ଛଡେଇ ତାଙ୍କ ସ୍ତ୍ରୀ କହୁଥିଲେ ତୁମର ମଧ୍ୟ ଅଧିକାର ଅଛି ନା ସେ ଘରେ!କାକଳୀ ପାଟିରୁ ବଚନ ବାହାରୁ ନଥିଲା. ରବି ଝିଅ ନିକି ସକାଳୁ ରବି ହାତକୁ ଚିଠିଟିଏ ବଢ଼େଇ କହୁଥିଲା ଅପା ଭୋର ବସରେ ଚାଲିଗଲେ. ଏ ଚିଠିଟି ପଢିବାକୁ ତୁମକୁ କହିଦେଇ ଯାଇଛନ୍ତି ଓ ରାତି ସାରା ରଙ୍ଗ ତୁଳୀ ଦେଇ ମୋର କେଡେ ସୁନ୍ଦର ଛବିଟି ଆଙ୍କିଛନ୍ତି ଦେଖିବ ଆସ ବାପା. ରବି ଚିଠିଟି ପଢୁଥିଲେ, ସେଇ ଚିଠି ଯୋଉ ଚିଠିକୁ କାକଳୀ ବାପା ଆଦିକନ୍ଦମଉସା ସାଇତି ସାଇତି ମରିବା ଯାଏଁ ବକ୍ସରେ ଚାବି ପକେଇ ରଖିଥିଲେ. ସ୍ଥାଣୁ ପାଲଟି ଯାଉଥିବା ରବିଙ୍କଠୁ ଚିଠିଟି ନେଇ ତାଙ୍କ ସ୍ତ୍ରୀ ପଢିକି କହୁଥିଲେ ଚାଲ ଏବର୍ଷ ସାବିତ୍ରୀ ଭାର ନେଇ କାକଳୀଙ୍କ ଘରକୁ ଯିବା. ଝିଅ ନିକି ଖୁସିରେ ତାଳି ମାରୁଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Advertisement

ଏବେ ଏବେ