ସ୍ବାମୀ ନିଖୋଜ ନେଇ ସ୍ତ୍ରୀ ଦେଲେ ଏତଲା
ଦିଗହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶିଶିର କୁମାର ସେଠୀ ଗତ ପ୍ରାୟ ଏକମାସ ହେଲା ନିଖୋଜ ଅଛନ୍ତି। ତାଙ୍କ ସ୍ତ୍ରୀ ଜ୍ୟୋତି ରାଣୀ ସେଠୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ମାମଲା ରୁଜୁ କରିଛନ୍ତି।ଗତ ଫେବୃଆରୀ ୧୮ ତାରିଖ ସକାଳ ପ୍ରାୟ ୯ ଟାରେ ଶିଶିର ଗାଁ ରୁ ତାଙ୍କ ବାଇକ ନଂ.(ଓଡ଼ି ୦୭ ଡି -୫୯୧୯) ଯୋଗେ କୋରାପୁଟ ଜୟପୁର ନିକଟ ଗୁପ୍ତେଶ୍ୱର ଶୈବପୀଠ କୁ ପୂଜାର୍ଚ୍ଚନା କରିବି କହି ଯାଇଥିଲେ। ସେ ତାଙ୍କ ସାଙ୍ଗରେ ଏକ ଲାପଟପ୍ ନେଇଥିଲେ। ସେଠାକୁ ଯାଇ ସେ ଆଉ ଘରକୁ ଫେରିନଥିଲେ ମଧ୍ୟ ପ୍ରାୟ ୧ ସପ୍ତାହ ଧରି ମୋବାଇଲ ଫୋନ ଯୋଗେ ସ୍ତ୍ରୀ ଙ୍କ ସହ କଥା ହେଉଥିଲେ।ପରେ ତାଙ୍କ ଫୋନ ସୁଇଚ ଅଫ୍ ହୋଇଯାଇଥିଲା। କିଛି ଦିନ ପରେ ସେ ଅଯୋଧ୍ୟା ଯାଇ ଠାକୁର ଙ୍କୁ ଦର୍ଶନ କରିବା ସହ ଏକ ଆଶ୍ରମରେ ରହିଥିବା ନେଇ ତାଙ୍କ ମା କୁ ଫୋନ ରେ ଜଣାଇଥିଲେ। ପରେ ଆଶ୍ରମ କର୍ତ୍ତୃପକ୍ଷ ମୋତେ ଘରଭଡା ଜବରଦସ୍ତ ମାଗୁଛନ୍ତି।ମୁଁ ନଦେବାରୁ ସେମାନେ ମୋର ବାଇକ ଏବଂ ଲାପଟପ୍ ଛଡାଇ ରଖିଥିବା ଜଣାଇଥିଲେ। ଜଣାଇବାର କିଛିସମୟ ପରେ ତାଙ୍କ ଫୋନ ସୁଇଚ ଅଫ୍ ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଏହି ରହସ୍ୟ ଜନକ ନିଖୋଜ ଘଟଣାର ତଦନ୍ତ ପାଇଁ ସେ ପୁଲିସ କୁ ଅନୁରୋଧ କରିଥିବା କହିଛନ୍ତି।