ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ହୋଇଥିଲା ସାମ୍ପ୍ରଦାୟିକ ଦଙ୍ଗା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ଦୁଇମାସ ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ ମାଓବାଦୀମାନଙ୍କର ହାତ ଥିବା ପୁଲିସ ସନ୍ଦେହ କରିଥିଲା। ଏଥର ଧମକପୂର୍ଣ୍ଣ ଫୋନ୍ କଲ ଆସିବା ପରେ କୌଣସି ପ୍ରତିବନ୍ଧିକ ସଂଗଠନର ସଦସ୍ୟ ଏଭଳି କରିଥିବା ନେଇ ମଧ୍ୟ ପୁଲିସ ସନ୍ଦେହ କରିଥିଲା। ଏହି ଆଶ୍ରମରେ ବର୍ତ୍ତମାନ ୯୦ ଅନ୍ତେବାସୀ ରହୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଅନାଥ ରହିଛନ୍ତି। ଏମାନେ ସମସ୍ତେ ଜନଜାତି ପରିବାରରୁ ଆସିଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ତାଙ୍କର ୪ ସମର୍ଥକଙ୍କୁ ୨୦୦୮ ଅଗଷ୍ଟ ୨୩ରେ ହତ୍ୟା କରାଯିବା ପରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହାକୁ ଧ୍ୟାନରେ ରଖି ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ନିଜକୁ, ଅନ୍ତେବାସିନୀମାନଙ୍କୁ ଏବଂ ସ୍ବୟଂସେବକମାନଙ୍କୁ କଡ଼ା ସୁରକ୍ଷା ଯୋଗାଇଦେବା ଲାଗି ଦାବି କରିଥିଲେ।ରବିବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଦୁଇ ବିଧାୟକ ମୁକେଶ ମହାଲିଙ୍ଗା ଏବଂ କୁସୁମ ଟେଟେଙ୍କ ସମେତ ୭ଜଣିଆ ଟିମ୍କୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆଶ୍ରମ ପଠାଯାଇଥିଲା। ବିଶ୍ଵ ହିନ୍ଦୁ ପରିଷଦର ଓଡ଼ିଶା ଉପାଧ୍ୟକ୍ଷ ପଣ୍ଡିତ ମହେଶ ସାହୁ କହିଛନ୍ତି ଯେ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ ୨୦୦୮ରୁ ମୁକ୍ତ ଭାବେ ବୁଲୁଚନ୍ତି ଏବଂ ସେମାନଙ୍କ ମଧ୍ୟରେ ଏଭଳି ଧମକପୂର୍ଣ୍ଣ ଫୋନ କରିବାକୁ ସାହସ ହୋଇଛି। ଆଶ୍ରମ ଏବଂ ସେଠାରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ କଡ଼ା ସୁରକ୍ଷା ଯୋଗାଇଦେବାକୁ ଆମେ ଦାବି କରୁଛୁ।