ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ନେଇ ବିଶ୍ଵ ହିନ୍ଦୁ ପରିଷଦର ସାମ୍ୱାଦିକ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିରୀହ ନିରକ୍ଷର ଆଦିବାସୀ ବନବାସୀ ପରିବାରର ଆର୍ଥିକ ଅନଟନ ଅବସ୍ଥାର ସୁଯୋଗ ନେଇ ସେବା ଆଳରେ ମିଶନାରୀ ସଂସ୍ଥାମାନେ ଯେଉଁ ଧର୍ମାନ୍ତରୀକରଣ କାର୍ଯ୍ୟ କରୁଥିଲେ ଏବଂ ସନାତନ ହିନ୍ଦୁ ସମାଜର ବିଘଟନ କାର୍ଯ୍ୟ କରୁଥିଲେ ସେ ବିରୁଦ୍ଧରେ ନିଜର ପ୍ରାଣ ଉତ୍ସର୍ଗ କରିଥିବା ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ପ୍ରାନ୍ତ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ପାଞ୍ଚ ଦିନ ଧରି ଏହି ପ୍ରସଙ୍ଗ ଉପରେ ବିଶ୍ୱ ହିନ୍ଦୁ ପରିଷଦର ଅଖିଳ ଭାରତୀୟ କାର୍ଯ୍ୟାଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ସୁନାମଧନ୍ୟ ଅଧିବକ୍ତା ମାନ୍ୟବର ଆଲୋକ କୁମାରଜୀ କନ୍ଧମାଳ ଫୁଲବାଣୀ ଅଞ୍ଚଳରେ ଅନୁସନ୍ଧାନ କରିବା ପରେ ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀ କରି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ରଖିଛନ୍ତି । ପୂର୍ବରୁ ଏ ହତ୍ୟା ଘଟଣାର ଦୁଇ ଦୁଇଟି ତଦନ୍ତ ରିପୋର୍ଟ ରାଜ୍ୟ ସରକାର ସାର୍ବଜନୀନ ନକରି ଚପାଇ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ସେ ଅଞ୍ଚଳରେ ମିଶନାରୀ ସଂସ୍ଥାମାନେ ତାଙ୍କର ଧର୍ମାନ୍ତରୀକରଣ କାର୍ଯ୍ୟ ଆହୁରି ତୀବ୍ର କରି ଦେଇଛନ୍ତି ବୋଲି ସେ କହିଥିଲେ । କେଉଁ ପରିସ୍ଥତିରେ ସ୍ବାମୀଜୀଙ୍କ ହତ୍ୟା ହେଲା ଏବଂ କେଉଁମାନେ ତାଙ୍କର ହତ୍ୟାକାରୀ, ସେତେବଳର ଆରକ୍ଷୀ ଅଧିକ୍ଷକଙ୍କ ଭୂମିକା କଣ ଥିଲା ସେସବୁର ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ । ବିଶ୍ୱ ହିନ୍ଦୁ ପରିଷଦ ଆଦି ହିନ୍ଦୁ ସଙ୍ଗଠନମାନଙ୍କ ଦ୍ଵାରା ପରାବର୍ତ୍ତନ କାମ କରାଯାଇ ଧର୍ମାନ୍ତରୀତ ହିନ୍ଦୁ ମାନଙ୍କୁ ସ୍ବଧର୍ମକୁ ଫେରାଇ ଆଣିବା ବ୍ୟବସ୍ଥାକୁ ଆହୁରି ତ୍ଵରାନିତ କରାଯିବ । ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ସମଗ୍ର ଦେଶରେ ଆନନ୍ଦ ଉତ୍ସବ ଏବଂ ଦୀପାବଳୀ ପାଳନ କରାଯିବ । ସମଗ୍ର ସମାଜ ଏଥିରେ ଭାଗ ନିଅନ୍ତୁ। ସନାତନ ସଂସ୍କୃତିର ପ୍ରଚାର ପ୍ରସାର ତଥା ବୀର ଶହୀଦ ଓଡ଼ିଆ ବରପୁତ୍ର ମାନଙ୍କ ଜନ୍ମସ୍ଥାନ ଓ କର୍ମଭୂମିରୁ ଭୁବନେଶ୍ଵର ଅଭିମୁଖେ ବାହାରିଥିବା ଶୌର୍ଯ୍ୟ ଜାଗରଣ ଯାତ୍ରା ଆରମ୍ଭ ହୋଇ ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ ସ୍ଥାନ ଅତିକ୍ରମ କରି ଅକ୍ଟୋବର ୮ ତାରିଖ ରବିବାର ଦିନ ଭୁବନେଶ୍ଵରରେ ପହଞ୍ଚିବାକୁ ଥିବା ଅମୃତ କଳସ ରଥକୁ ସମସ୍ତେ ସାଦର ଅଭିନନ୍ଦନ ସ୍ବାଗତ ଜଣାଇବା ପାଇଁ ସେ ଅନୁରୋଧ କରିଥିଲେ । ସମସ୍ତ ସନାତନ ହିନ୍ଦୁ ସଙ୍ଗଠନମାନେ ଏକାଠି ହୋଇ ଏହି ଶୌର୍ଯ୍ୟ ପରାକ୍ରମ ଯାତ୍ରାକୁ ଜନ ଜନବ୍ୟାପୀ କରାଇବା ପାଇଁ ସେ ନିବେଦନ କରିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ଓଡ଼ିଶା କାର୍ଯ୍ୟକାରୀ ସଭାପତି ପବିତ୍ରମୋହନ ସ୍ୱାଇଁ, ଓଡ଼ିଶା ପୂର୍ବ ପ୍ରାନ୍ତ ସଭାପତି ପ୍ରଫୁଲ୍ଲ ମିଶ୍ର, ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ