ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଫିଶ୍ ପେଡିକ୍ୟୁଅର
ଆଜିକାଲି ବିଉଟି ୱାର୍ଲ୍ଡରେ ବିଉଟି ଟ୍ରିଟ୍ମେଣ୍ଟ ରୂପରେ ଫିଶ୍ ପେଡିକ୍ୟୁଅର ବହୁତ ଲୋକପ୍ରିୟ ହେବାରେ ଲାଗିଛି। ଯେ କୌଣସି ମଲ୍, ସ୍ପା କିମ୍ବା ସେଲୁନ୍ ଯିବେ, ଅଧିକାଂଶ ସ୍ଥାନରେ ଆପଣଙ୍କୁ ଫିଶ୍ ପେଡିକ୍ୟୁଅର ଦେଖିବାକୁ ମିଳିଯିବ। ଯଦିଓ ଏହି ଫିଶ୍ ପେଡିକ୍ୟୁଅର କରିବାର ଅନେକ ଫାଇଦା ସମ୍ପର୍କରେ କୁହାଯାଇଥାଏ, କିନ୍ତୁ ୟୁରୋପ, ଆମେରିକା ଓ କାନାଡ଼ା ଭଳି ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି। ଚାଲନ୍ତୁ ଜାଣିବା ଫିଶ୍ ପେଡିକ୍ୟୁଅର କାହିଁକି କରିବା ଉଚିତ ନୁହେଁ।
ଫିଶ୍ ପେଡିକ୍ୟୁଅର କ’ଣ : ଫିଶ୍ ପେଡିକ୍ୟୁଅର ଟ୍ରିଟ୍ମେଣ୍ଟରେ ଆପଣଙ୍କୁ ଏକ ପାଣି ଭରା ଟ୍ୟାଙ୍କରେ ନିଜ ଗୋଡ଼ ବୁଡ଼ାଇ ରଖିବାକୁ ପଡ଼ିବ। ଏହି ଟ୍ୟାଙ୍କରେ ଡାକ୍ତର ମାଛ ରହିଥାନ୍ତି। ଟ୍ୟାଙ୍କରେ ଥିବା ଏହି ଡାକ୍ତର ନାମକ ମାଛ ଆପଣଙ୍କ ପାଦର ଡେଡ୍ ସ୍କିନ୍କୁ ଖାଇବା ଆରମ୍ଭ କରି ଦିଅନ୍ତି। ଯାହାଫଳରେ ଆପଣଙ୍କ ଚର୍ମ ଛାଡ଼ିଯାଏ ଓ ଆପଣଙ୍କୁ ସ୍ମୁଥ ଓ ନରମ ସ୍କିନ୍ ମିଳିଯାଏ। କିନ୍ତୁ ଫିଶ୍ ପେଡିକ୍ୟୁଅର କରିବା ଆପଣଙ୍କ ଚର୍ମ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ଚାଲନ୍ତୁ ଜାଣିବା କେମିତି।
ସଂକ୍ରମଣ ଆଶଙ୍କା : ଏହି ଟ୍ରିଟ୍ମେଣ୍ଟ ଫଳରେ ଆପଣଙ୍କର ସଂକ୍ରମଣ ହୋଇପାରେ। କାରଣ ଏହି ମାଛ ନିଜ ସହିତ ବ୍ୟାକ୍ଟେରିଆ ମଧ୍ୟ କ୍ୟାରୀ କରିଥାନ୍ତି। ଯେଉଁଥି ପାଇଁ ଆପଣଙ୍କୁ ସଂକ୍ରମଣ ଓ ନିମୋନିଆ ହେବା ଆଶଙ୍କା ରହିଥାଏ। ଏହାବ୍ୟତୀତ ପେଡିକ୍ୟୁଅର ଟ୍ୟୁବ୍ ଜରିଆରେ ବ୍ୟାକ୍ଟେରିଆ ସୃଷ୍ଟି ହେବା ଆଶଙ୍କା ରହିଥାଏ। ଯଦି ଆପଣଙ୍କ ପାଦରେ ଛୋଟ କଟା ହୋଇଥିଲେ ମଧ୍ୟ ଫିଶ୍ ପେଡିକ୍ୟୁଅର କରିବା ଫଳରେ ସଂକ୍ରମଣ ହୋଇପାରେ।
ଚର୍ମକୁ ପହଞ୍ଚାଏ କ୍ଷତି : ଯଦି ଫିଶ୍ ପେଡିକ୍ୟୁଅର ଠିକ୍ ଭାବେ ହେବ ନାହିଁ, ତେବେ ଆପଣଙ୍କ ଚର୍ମ ରଫ୍, ଅସମତଳ କିମ୍ବା ଆବଡ଼ା ଖାବଡ଼ା ହୋଇପାରେ। ହୋଇପାରେ ଏହି ମାଛ ପାଦର କେତେକ ଅଂଶକୁ ଏତେ ମାତ୍ରାରେ ଡିପ୍ କଟ୍ କରିଦେବେ, ଯେଉଁଠୁ ରକ୍ତ ବି ବାହାରିବାରେ ଲାଗିପାରେ।
ମାଛଙ୍କ ପାଇଁ ମଧ୍ୟ ଠିକ୍ ନୁହେଁ : ଏହି ଡାକ୍ତର ମାଛର ଭୋଜନ ଆପଣଙ୍କ ଡେଡ୍ ସ୍କିନ୍ ନୁହେଁ। କିନ୍ତୁ ସେମାନେ ଦୀର୍ଘ ସମୟ ଯାଏ ଭୋକିଲା ରହୁଥିବାରୁ ବାଧ୍ୟ ହୋଇ ବଞ୍ଚିବା ପାଇଁ ଏହା ଖାଇବାକୁ ପଡ଼ିଥାଏ। ଏହା ମାଛଙ୍କ ପାଇଁ ମଧ୍ୟ ଠିକ୍ ନୁହେଁ।


