ସ୍ମାର୍ଟନଗରୀର ଓଭର ବ୍ରିଜ୍ ସୁରକ୍ଷା ଏମିତି : ଫାଟିବ କାନ୍ଥ, ଭୁଶୁଡ଼ିବ ବ୍ରିଜ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :- ଓଭରବ୍ରିଜ୍ ସାରା ଅନାବନା ଗଛ, ଲତା ସହ ବର, ଅଶ୍ୱତ୍‌ଥ ଗଛରେ ଭର୍ତ୍ତି । ବ୍ରିଜ୍‌ର ଉଭୟ ଡ଼ାହାଣ ଓ ବାମପଟ ପାଶ୍ୱର୍ରେ କାନ୍ଥରେ ଉଠିଥିବା ବର, ଓସ୍ତ ଗଛ ଗୁଡ଼ିକ ୪ ଫୁଟ୍‌ରୁ ୫ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚା ହୋଇଗଲାଣି । ପକ୍ଷୀମାନଙ୍କ ମଳରୁ ସୃଷ୍ଟି ଏହି ମୂଲ୍ୟବାନ୍ ଗଛ ଗୁଡ଼ିକର ଚେର ଗୁଡ଼ିକ ଧୀରେ ଧୀରେ କାନ୍ଥ ଭିତରକୁ ମାଡ଼ିଗଲାଣି । ଆଉ ଦିନ କେଇଟା ପରେ ଚେର ଫଟାଇବ କାନ୍ଥ । କିନ୍ତୁ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଟିକିଏ ନିଘା ନାହିଁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଆମ ସ୍ମାର୍ଟ ନଗରୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ନିର୍ମିତ ହୋଇଥିବା ଲିଙ୍ଗରାଜ ରୋଡ଼ ରେଲୱେ ଓଭରବ୍ରିଜ୍ ଏବଂ ବରମୁଣ୍ଡା ଓଭରବ୍ରିଜ୍‌ରେ । ସାଧାରଣରେ ପ୍ରଶ୍ନ ଉଠେ, ବ୍ରିଜ୍ ତିଆରି ସମୟରେ ରାଜ୍ୟ ଅଥବା କେନ୍ଦ୍ର ରାଜକୋଷରୁ ହଜାର ହଜାର କୋଟି ଟଙ୍କାର ଅର୍ଥ ବ୍ୟୟ ହେଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ଆନ୍ତରିକତାର ଅଭାବ ଓ ହେୟଜ୍ଞାନ କ’ଣ ପାଇଁ? ସହର ମଧ୍ୟରେ ଥିବା ଅନ୍ୟ ଓଭର ବ୍ରିଜ୍ କାନ୍ଥ ଗୁଡ଼ିକର ସମାନ ଏହି ଅବସ୍ଥା । ବିଭାଗୀୟ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ କିପରି ତୁଲାଉଛନ୍ତି ତାହା ଏଥିରୁ ବେଶ୍ ଅନୁମେୟ । ମନେରଖିବା ଉଚିତ୍ କାନ୍ଥ ଫାଟିଲେ ବ୍ରିଜ୍ ଦୁର୍ବଳ ହୋଇଯାଏ । ବ୍ରିଜ୍ ଦୁର୍ବଳ ହେଲେ ବ୍ରିଜ୍ ଶେଷରେ ଦବି ଭୁଶୁଡ଼ି ପଡ଼ିଥାଏ । ଅଘଟଣ ବା ଦୁର୍ଘଟଣାକୁ ନିରୀହ ଜନସାଧାରଣ ଆମନ୍ତ୍ରଣ କରିଥାନ୍ତି ଏବଂ ଚାଲିଯାଏ ବହୁ ଅମୂଲ୍ୟ ଜୀବନ । ଯଦି ଅଘଟଣ ଘଟେ ତେବେ ରାଜକୋଷରୁ ପୁର୍ନବାର ମରାମତି ଲାଗି ବିପୁଳ ଅର୍ଥ ବ୍ୟୟ ହୋଇଥାଏ । ଜାଣିବା ଉଚିତ୍ ମେଣ୍ଟେନାସ୍ ଇଜ୍ ଅଲୱେଜ୍ ଚିଫ୍‌ର ଦାନ ରିପ୍ୟାରିଂ । ଅର୍ଥାତ୍ ମରାମତିର ଖର୍ଚ୍ଚ ଠାରୁ ରକ୍ଷଣାବେକ୍ଷଣର ଖର୍ଚ୍ଚ ଖୁବ୍ କମ୍ ହୋଇଥାଏ । ତୁରନ୍ତ ଲିଙ୍ଗରାଜ ରୋଡ଼ ରେଲୱେ ଓଭର ବ୍ରିଜ୍ ଏବଂ ବରମୁଣ୍ଡା ଓଭର ବ୍ରିଜ୍ ସମେତ ସହରରେ ନିର୍ମିତ ହୋଇଥିବା ଅନ୍ୟ ବ୍ରିଜ୍ ଗୁଡ଼ିକର କାନ୍ଥରୁ ବର, ଅଶ୍ୱତ୍‌ଥ ପରି ମୂଲ୍ୟବାନ୍ ଓ ପରିବେଶ ଉପଯୋଗୀ ଗଛ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରି ସହରର ସବୁଜିମାକୁ ବୃଦ୍ଧି କରିବା ସହ ବ୍ରିଜ୍‌ର ରକ୍ଷଣାବେକ୍ଷଣ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟ କରନ୍ତୁ ବୋଲି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ