ସ୍ମାର୍ଟ ମିଟର ବନ୍ଦ ଓ ପ୍ରସ୍ତାବିତ ବିଜୁଳି ଶୁଳ୍କ ବୃଦ୍ଧି ବାତିଲ ଦାବିରେ ୨୧ ତାରିଖ ବିଧାନସଭା ସମ୍ମୁଖରେ ବିକ୍ଷୋଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଆହ୍ୱାନରେ ପାଞ୍ଚ ଦଫା ଦାବି ନେଇ ଆସନ୍ତା ୨୧ ତାରିଖ ଦିନ ବିଧାନସଭା ସମ୍ମୁଖରେ ରାଜ୍ୟର ବିଜୁଳି ସମସ୍ୟା ଓ ଟାଟା ପାୱାରର ଶୋଷଣ, ଅତ୍ୟାଚାର ବିରୁଦ୍ଧରେ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହେବାକୁ ଯାଉଛି । ମଙ୍ଗଳବାର ମହାସଂଘର ରାଜ୍ୟ କାର୍ଯ୍ୟାଳୟରେ ଏହାର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମହାସଂଘର ଆବାହକ ରବି ବେହେରା ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ, (୧) ପ୍ରସ୍ତାବିତ ବିଜୁଳି ଶୁଳ୍କ ବୃଦ୍ଧି ପ୍ରତ୍ୟାହାର (୨) ସ୍ମାର୍ଟ ମିଟର ବାତିଲ୍ (୩) ଆଘୋଷିତ ବିଜୁଳି କାଟ ବନ୍ଦ (୪) ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ସମସ୍ତଙ୍କୁ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ଓ (୫) ଓଡ଼ିଆରେ ବିଜୁଳି ବିଲ୍ ଦାବିରେ ଆସନ୍ତା ୨୧ ତାରିଖ ଶୁକ୍ରବାର ବିଧାନସଭା ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ସରକାର ସାଧାରଣ ଲୋକଙ୍କର ଏହି ଦୈନନ୍ଦିନ ସମସ୍ୟାକୁ ଯଦି ଏଡ଼ାଇ ଯାଆନ୍ତି, ତେବେ ଆଗାମୀ ଦିନରେ ଜନ ଅସନ୍ତୋଷକୁ ନେଇ ବିଜୁଳି ସମସ୍ୟା ବିରୁଦ୍ଧରେ ଯେଉଁ ଦୁର୍ବାର ଗଣ ଆନ୍ଦୋଳନ ଗଢି ଉଠିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ବେହେରା ଚେତାଇ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଲେନିନ୍ ମହାନ୍ତି, ବଦ୍ରୀ ନାରାୟଣ ଦାସ, ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡ଼ା, ପ୍ରଭାତ ପାଣିଗ୍ରାହୀ, ହେମନ୍ତ କୁମାର, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରସନ୍ନ ବିଶୋୟୀ ଓ କୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଜୁଳି ସମସ୍ୟାକୁ ନେଇ ଅନୁଷ୍ଠିତ ହେବାକୁ ଯାଉଥିବା ଗଣବିକ୍ଷୋଭକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ୨୧ ତାରିଖ ବିକ୍ଷୋଭରେ ୫ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମହାସଂଘ ସୂତ୍ରରୁ ପ୍ରକାଶ ।