ସ୍ମୃତିରେ ସ୍ମୃତିସ୍ମିତା ; ଯୁବ ପ୍ରତିଭାଙ୍କ ଅକାଳ ବିୟୋଗ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ଯୁବ ପ୍ରତିଭା ସ୍ମୃତିସ୍ମିତା ବିଷୋୟୀ ଓରଫ ପୁନମ୍ ଙ୍କର ମାତ୍ର ୨୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି I ସେ ବ୍ରହ୍ମପୁରରେ ନିଜ ବଡ଼ ଭଉଣୀଙ୍କ ନିକଟରେ ରହି ନିଜର ପାଠ ପଢା ଜାରି ରଖିଥିଲେ I ଶୁକ୍ରବାର ଦିନ ସେ ହଠାତ୍ ଅସୁସ୍ଥ ହୋଇପଡ଼ି ବେହୋସ ହୋଇଯିବାରୁ ତାଙ୍କୁ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ମୃତିଙ୍କର ମୃତ୍ୟୁ ଘଟିଥିଲା I ବ୍ରହ୍ମପୁର ମେଡିକାଲ୍ ରେ ସ୍ମୃତିସ୍ମିତାଙ୍କ ଶବ ବ୍ୟବଚ୍ଛେଦ ପରେ ନିଜ ଗ୍ରାମ ଗାଙ୍ଗପୁରକୁ ଆଣି ଏକ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ସ୍ମୃତିସ୍ମିତା ଜଣେ ମେଧାବୀ ଛାତ୍ରୀ ଏବଂ ବହୁମୂଖୀ ପ୍ରତିଭାର ଅଧିକାରିଣୀ ଥିଲେ I ପିଲାଟି ଦିନରୁ ସ୍ମୃତିସ୍ମିତା କବିତା ଲେଖିବା ସହ ନୃତ୍ୟ,ସଙ୍ଗୀତ,ଯୋଗ, ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତି, ଆତ୍ମରକ୍ଷା କୌଶଳ,ଅଭିନୟ, ଫ୍ୟାସନ୍,ବ୍ୟାଡ୍ ମିଣ୍ଟନ୍ ଏବଂ ଜ୍ୟୋତିର୍ବିଦ୍ୟା କ୍ଷେତ୍ରରେ ମଧ୍ୟ ନିଜର ପ୍ରତିଭା ପ୍ରତିପାଦନ କରିଥିଲେ I ସେ ସମ୍ବାଦ ସାହିତ୍ୟ ଘର, ବିକ୍ଷିପ୍ତା ସାହିତ୍ୟ ଭଳି ବିଭିନ୍ନ ରାଜ୍ୟ ସ୍ତରୀୟ ସାହିତ୍ୟ ଅନୁଷ୍ଠାନର ସକ୍ରିୟ ସଦସ୍ୟା ଥିଲେ I ତାଙ୍କ ମୃତ୍ୟୁରେ ଗୋବରା ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇ,ସମ୍ପାଦକ ଡ.ରତ୍ନ ସାଗର ମଲ୍ଲିକ, ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସୁଧାଂଶୁ ବିଷୋୟୀ, ବିକ୍ଷିପ୍ତା ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାହିତ୍ୟିକ ଏବଂ ସାହିତ୍ୟ ଅନୁଷ୍ଠାନ ଗଭୀର ଶୋକବ୍ୟକ୍ତ କରିଛନ୍ତି I ସ୍ମୃତିସ୍ମିତାଙ୍କ ଅନ୍ତିମ ଶୋଭାଯାତ୍ରାରେ ବାପା ପ୍ରକାଶଙ୍କ ସମେତ ଦାଦା, ମାମୁ ,ଗ୍ରାମବାସୀ,ବନ୍ଧୁବାନ୍ଧବ ଏବଂ ବହୁ ସାଙ୍ଗସାଥୀ ସାମିଲ୍ ଥିଲେ I ସ୍ମୃତିସ୍ମିତାଙ୍କ ଭଳି ବହୁମୁଖୀ ପ୍ରତିଭାଙ୍କ ଅକାଳ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଞ୍ଚଳବାସୀ ପ୍ରକଶା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ