‘ସ୍ରଷ୍ଟା’ରାଜ୍ୟସ୍ତରୀୟ ନାଟକ ମହେତ୍ସବର ଦ୍ୱିତୀୟ ସଂଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସ୍ରଷ୍ଟା’ର ୪୫ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ନାଟକ ପୁତ୍ରପୂଜା ମଞ୍ଚସ୍ଥ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଉଦଘାଟନ କରିଥିଲେ । ମଞ୍ଚ ନାଟ୍ୟକଳା କ୍ଷେତ୍ରରେ ସ୍ରଷ୍ଟା ବାଲେଶ୍ୱର ସମେତ ସମଗ୍ର ଓଡ଼ିଶାରେ ପ୍ରମୁଖ ସ୍ଥାନ ଅଧିକାର କରିବା ଜିଲା ପାଇଁ ଗୌରବର ବିଷୟ ବୋଲି ସେ କହିଥିଲେ । ଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ ଏଥିରେ ବିଶେଷ ଅତିଥି ଓ ପୌର ସଦସ୍ୟା ପ୍ରୀତିଲତା ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ରଷ୍ଟାର ସଭାପତି ଆଲୋକ କୁମାର ସାହୁ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ ନାଟ ମହୋତ୍ସବ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ । ଦ୍ୱିତୀୟ ସଂଧ୍ୟାର ନାଟକକୁ ଦିବଂଗତ ଶିଳ୍ପପତି ହିମାଂଶୁ ଦାସଙ୍କ ସ୍ମୃତିରେ ସମର୍ପିତ କରାଯାଇଛି । ଭୁବନେଶ୍ୱରର ନାଟ୍ୟାନୁଷ୍ଠାନ ‘ପଞ୍ଚମବେଦ’ର କଳାକାରମାନେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ନାଟକ ‘ପୁତ୍ରପୂଜା’ରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ ।ମହାନ ଭାରତୀୟ ସଂସ୍କୃତିରେ ପିତୃପୂଜନର ପରମ୍ପରା ରହି ଆସିଥିବା ବେଳେ ସାମ୍ପ୍ରତିକ ସମାଜରେ ପଥ ହୁଡ଼ୁଥିବା ଯୁବଗୋଷ୍ଠୀଙ୍କ ପାଇଁ ପୂଜ୍ୟପୂଜାର କିଛି ପ୍ରାସଙ୍ଗିକତା ତୁଛ ହୋଇଯାଇଛି । ପୁତ୍ରକୁ ଉଚିତ ଶିକ୍ଷା ଦେବାକୁ ଯାଇ ଆଦର୍ଶ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିବା ପିତା ଅସହାୟ ହୋଇ ନିଜର କର୍ତ୍ତବ୍ୟ ଭୁଲିଯାଉଛନ୍ତି । କଲମ ବଦଳରେ ଭୁଜାଲି ଧରିଥିବା ପୁତ୍ରର ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ ବିଦ୍ୟାଳୟରୁ ପ୍ରଶ୍ନପତ୍ର ଚୋରି କରିବାକୁ ବାଧ୍ୟ ହୋଇଛନ୍ତି ଆଦର୍ଶ ଶିକ୍ଷକ ପିତା । ଶେଷରେ ଏହି ସମାଜ ପାଇଁ ପିତା କିପରି ‘ପୁତ୍ରପୂଜା’ ପରମ୍ପରା ସୃଷ୍ଟି କରିଛି, ତାହା ବେଶ ସୁନ୍ଦର ଭାବେ ଏଇ ନାଟକରେ ପ୍ରତିଫଳିତ କରିଛନ୍ତି ନାଟ୍ୟକାର ଶ୍ରୀ ମହାପାତ୍ର । ହରେନ ସାହୁ ଏହି ନାଟକର ନିର୍ଦ୍ଦେଶନା ଦେଇଥିବା ବେଳେ ଧୀରେନ ପ୍ରହରାଜ ସମ୍ପାଦନା, ବିନୟ ଦାସ ସଙ୍ଗୀତ, ଶବର ନାୟକ ଆଲୋକ, ସନ୍ତୋଷ କମିଳା ମଞ୍ଚ ସଜ୍ଜା, ପ୍ରକାଶ ମହରଣା ସଂଯୋଜନା ଏବଂ ସୁରେନ୍ଦ୍ର ନାଥ ଗୌଡ଼ ଓ ଅଭିମନ୍ୟୁ ସେଠୀ ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଛନ୍ତି । ମୁଖ୍ୟ ଭୂମିକାରେ ମୁକ୍ତିକାନ୍ତ ମହାପାତ୍ର, କାଞ୍ଚନ ଦାସ, ପ୍ରକାଶ ମହାରଣା, ହୃଷିକେଶ ମିଶ୍ର, ଜ୍ଞାନେନ୍ଦ୍ର କୁମାର ଶତପଥୀ, ସିଦ୍ଧାନ୍ତ ପରିଜା, ପ୍ରକାଶ ପରିଡ଼ା ପ୍ରମୁଖ ଅଭିନୟ କରିଛନ୍ତି ।


