ସ୍ଵଧାର ଗୃହରୁ ଚମ୍ପଟ ମାରିଲେ ୧୨ ଅନ୍ତେବାସୀ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଭବାନୀପାଟଣା ଦୁଆରଶୁନୀ ମଶାନପଡ଼ା ନିକଟରେ ଥିବା ସ୍ଵଧାର ଗୃହରୁ ୧୨ଜଣ ଅନ୍ତେବାସିନୀ ଚମ୍ପଟ ମାରିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ସେମାନଙ୍କ ମଧ୍ୟରୁ ୬ ଜଣ ମହିଳାଙ୍କୁ ପୁଲିସ ଠାବ କରିଥିବାବେଳେ ଅନ୍ୟ ୬ ଜଣ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି । ପ୍ରକାଶ ଯେ , କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ପରେ ଘର ଲୋକେ ସେମାନଙ୍କୁ ଗ୍ରହଣ ନକରିବା ପରେ ଏହି ମହିଳାଙ୍କୁ ପୁଲିସ ପକ୍ଷରୁ ସୁଧାର ଗୃହକୁ ପଠାଯାଇଥାଏ । ଭବାନୀ-ପାଟଣା ସଦର ବ୍ଳକର ଦୁଆରଶୁନୀଠାରେ ଥିବା ଏହି ସ୍ଵଧାର ଗୃହରୁ ଗତ ୨୫ ତାରିଖରୁ ୧୨ ଜଣ ମହିଳା ଅନ୍ତେବାସିନୀ ଚମ୍ପଟ ମାରିଥିଲେ । ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ସ୍ଵଧାର ଗୃହ ପକ୍ଷରୁ ଅଭିଯୋଗ କରାଯାଇଥିଲା ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମେଦିନୀପୁରର ଏକ ଛତୁଆ ପ୍ରସ୍ତୁତି କେନ୍ଦ୍ରରୁ ୬ ଜଣଙ୍କୁ ପୁଲିସ୍ ଉଦ୍ଧାର କରି ସ୍ଵଧାର ଗୃହକୁ ଫେରାଇ ଆଣିଛି । ଏବେ ଆହୁରି ୬ ଜଣ ମହିଳା ନିଖୋଜ ଥିବା ପୁଲିସ ସୂତ୍ରରୁ ପ୍ରକାଶ । ମହିଳାଙ୍କ ଘର ଓ ସମ୍ପର୍କୀୟ ଘରମାନଙ୍କରେ ଏହି ମହିଳାମାନେ ନଥିବା ଜଣାପଡ଼ିଛି । ଟାଉନ୍ ଥାନା ପୁଲିସ୍ ଅଧିକାରୀଙ୍କୁ ପଚାରିବାରୁ ଏକ ନିଖୋଜ ମାମଲା ରୁଜୁ ହୋଇଛି । ୧୨ ଜଣଙ୍କ ମଧ୍ୟରୁ ୬ ଜଣ ଠାବ ହୋଇଥିବାବେଳେ ଅନ୍ୟ ୬ ଜଣ ଫେରାର ଅଛନ୍ତି ବୋଲି କହିଛନ୍ତି । ସେମାନଙ୍କୁ ଠାବ କରିବା ପାଇଁ ପୁଲିସ୍ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି ।


