ସ୍ୱଚ୍ଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌର ପରିଷଦ ଦେଶର ରୋଲ ମଡ଼େଲ ହେବ : ଜିଲ୍ଲାପାଳ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱଚ୍ଛ ଓଡ଼ିଶା- ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ଶୀର୍ଷ ର୍ୟାଙ୍କ୍ ହାସଲ କରିବା ନିମନ୍ତେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୧ । ହିଞ୍ଜିଳିକାଟୁ ପୌର ପରିଷଦକୁ ଓଡ଼ିଶା ତଥା ଭାରତରେ ୧ନମ୍ବର କରିବା ପାଇଁ ସ୍ଥାନୀୟ ପୌରାଂଚଳର ପ୍ରତିଟି ୱାର୍ଡ଼ରେ ସ୍ୱଚ୍ଛତା ଓ ପରିବେଶ ଉପରେ କାର୍ଯ୍ୟନୟନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ସକାଶେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଓ ରେଗ୍ପିକରଙ୍କୁ ମାନପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୌର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ସ୍ୱଚ୍ଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌର ପରିଷଦ ଦେଶର ରୋଲ ମଡ଼େଲ ହେବ ବୋଲି ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ପୌରାଂଚଳର ୧୬ଜଣ ରେଗପିକର (ଜରି ଗୋଟାଳି)ଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହ ୨୧ଟି ୱାର୍ଡ଼ ମଧ୍ୟରୁ ୧୦ଟି ୱାର୍ଡ଼ର ୧୦ଜଣ ଗୃହକର୍ତାଙ୍କୁ ସ୍ୱଚ୍ଛ ଗୃହକର୍ତା ଭାବେ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ମଂଚାସିନ ଥିଲେ । ସ୍ୱଚ୍ଛ ସାଥୀ, ସୁପର ଭାଇଜର, ସଫେଇ ଦିଦି ଓ ସଫେଇ ଭାଇ ମାନଙ୍କ ସହ ସ୍ଥାନୀୟ ସହରବାସୀଙ୍କ ସଚେତନତା ଯୋଗୁଁ ହିଞ୍ଜିଳିକାଟୁ ପୌର ପରିଷଦ ସ୍ୱଚ୍ଛତା କ୍ଷେତ୍ରରେ ଦେଶରେ ରୋଲ ମଡ଼େଲ ଭାବେ ପରିଣତ ହୋଇପାରିଛି ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ପରେ ବଡ଼ଖାନା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସମସ୍ତ ସ୍ୱଚ୍ଛ ସାଥୀ, ସଫେଇ କର୍ମଚାରୀ ମାନଙ୍କୁ ମଧ୍ୟାନ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ମାନଓ ରଂଜନ ଦାଶ ପରିଚାଳନା କରିଥିଲେ । ପୌର କର୍ମଚାରୀ ବିବେକାନନ୍ଦ ମହାପାତ୍ର, ଅଶ୍ୱିନି ନାୟକ, ଅରୁଣ କୁମାର ପାଢି, କିରଣ ନାହାକ, ଇ. କିଶାନ କୁମାର ପାତ୍ର, ସନ୍ଧ୍ୟାରାଣୀ ପଟ୍ଟନାୟକ, ସୁବାଷ ପଟ୍ଟନାୟକ, ଏ. ମୋହନ ଆଚାରୀଙ୍କ ସମେତ ସମସ୍ତ ପୌର କର୍ମଚାରୀ ସହଯୋଗ କରିଥିଲେ ।


