ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ସଂପର୍କିତ ପ୍ରଶିକ୍ଷଣ
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ନିଜ ଚତୁଃପାଶ୍ୱର୍ ସଫା ରଖିବା ସହ ଅନ୍ୟମାନଙ୍କୁ ନିଜ ନିଜର ପରିବେଶ ସଫା ରଖିବା ପାଇଁ ଗୁରୁବାର କୋଣାର୍କ ଏନ୍ଏସି କାର୍ଯ୍ୟାଳୟ ସଭା ଗୃହରେ ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ନିଜର ଚତୁଃପାଶ୍ୱର୍ ସଫାସୁତରା ରଖିଲେ ସୁସ୍ଥ ଜୀବନଯାପନ କରିପାରିବେ ବୋଲି କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍.ଶ୍ରୀନିବାସ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ କୋଣାର୍କ ଏନ୍ଏସିର ୨୦ ଜଣ ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବାବେଳେ ବିଭିନ୍ନ ୱାର୍ଡ଼ ଓ କୋଣାର୍କ ବଜାରର ବିଭିନ୍ନ ସ୍ଥାନ ଭଲ ଭାବରେ ସଫା କରିବାକୁ ପରାମର୍ଶ ଦେବା ସହ କୋଣାର୍କ ଓ ଚନ୍ଦ୍ରଭାଗାକୁ ଆସୁଥିବା ପର୍ଯ୍ୟଟକ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ଯତ୍ନବାନ୍ ହେବାକୁ ଆହ୍ୱାନ ଦେଇଥିଲେ । ସଫା କରିବାକୁ କେବେ ଖରାପ କାର୍ଯ୍ୟ ବୋଲି ନଭାବି ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସଠିକ୍ ଭାବେ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କାର୍ଯ୍ୟରତ ୨୦ ଜଣ ସଫେଇ କର୍ମଚାରୀଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସମସ୍ତ କର୍ମଚାରୀଙ୍କୁ ସଠିକ୍ ଭାବେ କାର୍ଯ୍ୟ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନ୍ଏସି ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭେନ୍ଦୁ କୁମାର ମିଶ୍ର, ଭାଗିରଥୀ ବରାଳ, ଧର୍ମପଦ ପରିଡ଼ା ପ୍ରମୁଖ ଏନ୍ଏସି ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।