ସ୍ୱଚ୍ଛ ଭାରତ ମିସନ୍ ଯୋଜନା ସମୀକ୍ଷା
ଛତ୍ରପୁର : ଭାରତ ସରକାରଙ୍କ ଜଳ ଓ ପରିମଳ ମନ୍ତ୍ରଳାୟର ପ୍ରମୁଖ ଶାସନ ସଚିବ ପରମେଶ୍ୱର ଆୟାର ରବିବାର ଗଞ୍ଜାମ ଜିଲ୍ଲାକୁ ଗସ୍ତ କରି ସ୍ୱଚ୍ଛ ଭାରତ ମିସନ୍ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଶ୍ରୀ ଆୟାର ଅଧ୍ୟକ୍ଷତା କରି ଅପ୍ରିଲ୍ ୧ ତାରିଖ ଠାରୁ ସ୍ୱଚ୍ଛ ଭାରତ ମିସନ୍ ଯୋଜାନର -୨ ପର୍ଯ୍ୟାୟ ଆରମ୍ଭ କରିବାକୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ଏଣୁ ସ୍ୱଚ୍ଛ ଭାରତ ମିସନ୍ରେ ବାକି ରହିଥିବା ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଏବଂ ଅନୁଦାନ ପ୍ରଦାନ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ହେବ । ଯଦି କୌଣସି ବ୍ଲକରେ ଏଥି ସକାଶେ କିଛି ସମସ୍ୟା ରହିଛି ତେବେ ତାହାକୁ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମାଧାନ ବ୍ୟବସ୍ଥା କରାଯାଉ । ଯଦି କିଛି ସମସ୍ୟା ନାହିଁ ତେବେ ବର୍ତ୍ତମାନ ସମସ୍ତଙ୍କ ନିକଟରେ ଆଉ ୫ ରୁ ୬ ସପ୍ତାହ ହାତରେ ଅଛି । ଏହା ମଧ୍ୟରେ ହିତାଧିକାରୀଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପାଇଖାନା ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ଆୟାର ସମସ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକର ହିତାଧିକାରୀଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପାଇଖାନା ନିର୍ମାଣ ଏବଂ ଏହି ବାବଦରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଅନୁଦାନ ସଂକ୍ରାନ୍ତରେ ସଚିବ ଟିକିନିଖି ସମୀକ୍ଷା କରିଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୯ ହଜାର ୫୯୪ ଜଣ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଅନୁଦାନ ପ୍ରଦାନ କରିବାର ବାକି ରହିଥିବା ବେଳେ ୨୭ ହଜାର ହିତାଧିକାରୀଙ୍କ ପାଇଖାନା ନିର୍ମାଣ କରାଯିବାର ରହିଥିବା ନେଇ ସଚିବ ଶ୍ରୀ ଆୟାର ସମୀକ୍ଷାରେ ଜାଣି ପାରିଥିଲେ । ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ବାକି କାର୍ଯ୍ୟକୁ ଶେଷ କରି ହିତାଧିକାରୀମାନେ କିପରି ପାଇଖାନାକୁ ବ୍ୟବହାର କରିବା ସେଥିପ୍ରତି ପଦକ୍ଷେପ ତଥା ସଚେତନତା କରାଯିବ । ସ୍ୱଚ୍ଛ ଭାରତ ମିସନ୍ ପର୍ଯ୍ୟାୟ-୨ରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି ସେଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନ ମିଳିବ । ବିଶେଷ କରି କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜଳ ଓ ପରିମଳ ନିମନ୍ତେ ୩୦ ହଜାର କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ କରିବା ଏକ ବଜେଟ୍ ପ୍ରସ୍ତୁତ କରିଛନ୍ତି । ଏଦିଗରେ ଗଞ୍ଜାମ ଜିଲ୍ଲା ଓଡିଶାର ବୃହତ୍ତ ଜିଲ୍ଲା ଭାବେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀମାନଙ୍କୁ ପାରମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଭାଷଣ ପର୍ଦାନ କରିବା ସହ ଜିଲ୍ଲାରେ ୨୦୧୯-୨୦ ବର୍ଷ ଠାରୁ ହିଁ ଏମନରେଗା ଯୋଜନାରେ ହିତାଧିକାରୀଙ୍କୁ ଭୂ-କମ୍ପୋଷ୍ଟ ଫିଟ୍ , ଗୋବର ଗ୍ୟାସ୍ ଏବଂ ଗାଇ ଗୁହାଳ କରିବା ପାଇଁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ଆଗକୁ ମଧ୍ୟ ପ୍ରତି ପଞ୍ଚାୟତ ଗୁଡିକରେ ଏଦିଗରେ ପ୍ରାଧାନ୍ୟ ଦେବାକୁ କୁହାଯାଇଛି ବୋଲି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରତ୍ୟେକ ବ୍ଲକର ଏହି ଯୋଜନାରେ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ବିବରଣୀ ପ୍ରଦାନ କରିଥିବା ସହ ସ୍ୱାଗତ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓିଡଶା ରାଜ୍ୟ ଜଳ ଓ ପରିମଳ ମିସନ୍ର ଯୁଗ୍ମ ସଚିବ ସୁବାସ ଚନ୍ଦ୍ର ଦାଶ, ଜଳ ଓ ପରିମଳ ବିଭାଗର ନିର୍ବାହୀ ଅଧୀକ୍ଷଣ ଯନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଗଞ୍ଜାମ ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ଜିଲ୍ଲାର ସମସ୍ତ ବିଡିଓ, ଜଳ ଓ ପରିମଳ ମିସନ୍ର ଜିଲ୍ଲା ସଂଯୋଜକ ମହେଶ କୁମାର ତରାଇଙ୍କ ସମେତ ସମସ୍ତ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।