‘ସ୍ୱ’ଜାଗରଣ ଓ ସ୍ୱତନ୍ତ୍ରତା

ରବି ନାରାୟଣ ପଣ୍ଡା
ଅନାଦୀ ଅନ୍ତନ୍ତ କାଳରୁ ଭାରତରେ ‘ସ୍ୱ’ ଜାଗରଣର ପରମ୍ପରା ପ୍ରଚଳିତ ହୋଇ ଆସିଛି । ଭାରତ ବର୍ଷର ‘ସ୍ୱ’ଅବବୋଧ ପାଇଁ ଭାରତୀୟ ମନିଷୀମାନେ ଅନବରତ ଓ ଅଖଣ୍ଡ ପ୍ରୟାସ କରି ଆସିଛନ୍ତି । ଯେଉଁ କାଳଖଣ୍ଡରେ ଭାରତର ‘ସ୍ୱ’ଅବବୋଧ ଦୁଃବଳ ହୋଇଛି ସେହି ସମୟରେ ଆମ ରାଷ୍ଟ୍ର ଉପରେ ବିପଦର କଳାବାଦଲ ଛାଇ ଯାଇଛି । ଆମର ‘ସ୍ୱ’ବୋଧ ଆମ ସଭ୍ୟତାକୁ ଅନନ୍ତ ଶକ୍ତି ପ୍ରଦାନ କରିବା ସହ ଅମରତ୍ୱ ପ୍ରଦାନ କରିଛି । ଆମର ‘ସ୍ୱ’ଆମର ପରିଚୟା ‘ସ୍ୱ’ରାଷ୍ଟ୍ରର ପ୍ରତ୍ୟକ ଘଟକକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ । ରାଷ୍ଟ୍ରଜୀବନକୁ ସୁରକ୍ଷିତ କରିବା ଅର୍ଥ ଆମର ‘ସ୍ୱ’କୁ ସୁରକ୍ଷିତ କରିବା ।
ଭାରତ ବର୍ଷର ‘ସ୍ୱ’ ହେଉଛି ଭାରତୀୟ ଜୀବନ ପଦ୍ଧତି ଅର୍ଥାତ ଭାରତର ମୂଳ ଧର୍ମ ଓ ସଂସ୍କୃତି । ଗୋଟିଏ ଶବ୍ଦରେ କହିବାକୁ ଗଲେ ତାହା ହେବ ଆଧ୍ୟତ୍ମକତା । କେହି କେବେ ଏହାକୁ ହିନ୍ଦୁତ୍ୱ, ରାଷ୍ଟ୍ରୀୟତ୍ୱ କିମ୍ବା ଭାରତୀୟତ୍ୱ ନାମରେ ସମ୍ବୋଧନ କରିଥାନ୍ତି । ଆମ ରାଷ୍ଟ୍ରଜୀବନ ଓ ସମାଜ ଜୀବନର କେନ୍ଦ୍ରରେ ଅଛି ଏହି ଆଧ୍ୟତ୍ମିକତା । ଯାହାକୁ ଆମେ ଧର୍ମ ବୋଲି କହିଥାଉ । ଉଚ୍ଚତମ ନ୍ୟାୟାଳୟ ଭାଷାରେ ଏହା ଏକ ବିଶେଷ ଜୀବନ ପଦ୍ଧତି । ଉଚ୍ଚତମ ନ୍ୟୟାଳୟର ଧ୍ୟେୟବାକ୍ୟ ହେଉଛି ‘ଯତୋ ଧର୍ମ ସ୍ତତୋ ଜୟ’ । ଲୋକ ସଭାର ବାଚସ୍ପତିଙ୍କ ବସିବା ସ୍ଥାନରେ ଲେଖାଯାଇଛି ‘ଧର୍ମ ଚକ୍ର ପ୍ରବର୍ତନାୟ’ ।
ବ୍ରିଟେନର ରାଷ୍ଟ୍ରଜୀବନର କେନ୍ଦ୍ରରେ ଅଛି ସେ ଦେଶର ବାଣିଜ୍ୟ ଓ ବ୍ୟବସାୟ । ବ୍ରିଟେନର ଅର୍ଥ ବ୍ୟବସ୍ଥା ଓ ବାଣିଜ୍ୟ ଉପରେ କେହି କେବେ ଯଦି ଆଘତ କରେ ସେ ଦେଶରେ ପ୍ରବଳ ପ୍ରତିକ୍ରିୟା ତିଆରି ହେବ । ସଂପୂର୍ଣ୍ଣ ଦେଶ ଏକଜୁଟ ହୋଇ ସ୍ୱର ଉତୋଳନ କରିବ । ଫ୍ରାନସ ରାଷ୍ଟ୍ରଜୀବନର କେନ୍ଦ୍ର ହେଉଛି ରାଜନୀତି ବା ରାଜସତା । ଫ୍ରାନ୍ସର ରାଜସତା ଉପରେ କେହି କେବେ ଆକ୍ରମଣ କଲେ ସେ ଦେଶ ସଂପୂର୍ଣ୍ଣ ରକ୍ତମୁଖା ହୋଇ ଉଠିବ । ଅନେକ ବର୍ଷ ଧରି ଭାରତ ଓ ପାଶ୍ଚାତ୍ୟ ସଭ୍ୟତା ଭିତରେ ସଂଘର୍ଷ ଜାରି ରହିଛି । ପାଶ୍ଚାତ୍ୟ ଜଗତ ଅର୍ଥ ଓ ବାହୁବଳରେ ଭାରତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଭାରତ ହଜାର ହଜାର ବର୍ଷ ଧରି ଆଧ୍ୟତ୍ମଶକ୍ତି ମାଧ୍ୟମରେ ପାଶ୍ଚାତ୍ୟ ଜଗତକୁ ପ୍ରଭାବିତ କରି ଆସୁଛି ।
ଭାରତ ବର୍ଷକୁ ଅନେକ ବିଦେଶୀ ଆକ୍ରମଣକାରୀ ଆସିଛନ୍ତି । ଏଠାରେ ଶାସନ କରିଛନ୍ତି । କାଳକ୍ରମେ ସେମାନେ ଭାରତୀୟ ସଭ୍ୟତା ଭିତରେ ବିଲିନ ହୋଇ ଯାଇଛନ୍ତି । ସେମାନେ ଆମର ‘ସ୍ୱ’କୁ ଆଦରି ନେଇଛନ୍ତି ଏବଂ ଆମେ ସେମାନଙ୍କୁ ଆଦରି ନେଇଛୁ । ଶକ୍‌, ହୁନ, ତାତାର ଏମାନେ ଭାରତ ଭିତରେ ବିଲିନ ହୋଇ ଯାଇଛନ୍ତି । ସେମାନଙ୍କ ସମୟରେ ଭାରତର ‘ସ୍ୱ’ ଅର୍ଥାତ ଆଧ୍ୟାତ୍ମଶକ୍ତି ଉଚ୍ଚ ସ୍ତରରେ ଥିଲା ।
ସେମାନେ ଭାରତ ବର୍ଷର ଆଧ୍ୟାତ୍ମ ଶକ୍ତି ଉପରେ ଆକ୍ରମଣ କରି ନଥିଲେ । ଆକ୍ରମଣ କେବଳ ରାଜସତା ଉପରେ କରିଥିଲେ । ଲଢେଇ କେବଳ ରାଜଶକ୍ତି ଭିତରେ ସୀମିତ ଥିଲା । ଗ୍ରୀକ୍‌ମାନେ ଆଲେକଜାଣ୍ଡାରଙ୍କ ନେତୃତ୍ୱରେ ଭାରତ ଉପରେ ଆକ୍ରମଣ କଲେ । ତାହା କେବଳ ରାଜସତାର ଲଢେଇ ଥିଲା । ଏମାନଙ୍କ ଭିତରୁ କିଛି ପ୍ରତ୍ୟାବର୍ତନ କଲେ । ଆଉ କିଛି ଭାରତୀୟ ଜୀବନ ପଦ୍ଧତିକୁ ଆଦରି ନେଲେ ।
ଆମର ଧର୍ମ ଓ ସଂସ୍କୃତି ଉପରେ ପ୍ରଥମ ଥର ପାଇଁ ମୋଗଲ ଓ ପଠାଣମାନଙ୍କ ଦ୍ୱାରା ଆକ୍ରମଣ ହେଲା । ସେମାନେ ରାଜସତା ସହ ଲଢେଇ କରି ବିଜୟୀ ହେବା ପରେ ଭାରତର ଧର୍ମ ସଂସ୍କୃତି ଉପରେ ଆକ୍ରମଣ କଲେ । ସେମାନଙ୍କ କାଳଖଣ୍ଡରେ ଭାରତର ଧର୍ମ ଓ ସଂସ୍କୃତି ଅନେକାଶଂରେ ଦୁର୍ବଳ ହେବା ଆରମ୍ଭ କଲା । ରାଜାମାନେ ପରାଜିତ ହୋଇଗଲେ ସତ ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣ ହେବାରୁ ଆମ ରାଷ୍ଟ୍ର ଜୀବନ ଦୁର୍ବଳ ହୋଇଗଲା । ସମାଜ ଏକତ୍ରୀତ ହୋଇ ପ୍ରତିରୋଧ କରିବା ଆରମ୍ଭ କଲା । ‘ସ୍ୱ’ର ସୁରକ୍ଷା ପାଇଁ ସମାଜର ସବୁ ବର୍ଗର ଲୋକ ସଂଘର୍ଷ କରିବାକୁ ଆଗେଇ ଆସିଲେ । ଦେବଳ ମହର୍ଷି, ଗୁରୁ ତେଗବାହାଦୂର, ଗୁରୁ ରାମଦାସ, ବିଦାରଣ୍ୟସ୍ୱାମୀ, ଗୁରୁ ଗୋବିନ୍ଦ ସିଂ ଓ ସନ୍ନ୍ୟାସୀ ସଂପ୍ରଦାୟ ଭଳି ନେତୃତ୍ୱ ସମାଜ ଭିତରେ ‘ସ୍ୱ’ ଜାଗରଣର ନୂତନ ପର୍ବ ଆରମ୍ଭ କଲେ । ସେମାନଙ୍କ ପ୍ରଭାବରେ ହରିହର-ବୁକ୍‌କା ରାୟ, ଛତ୍ରପତି ଶିବାଜୀ, ବପାରାଓଳ, ବନ୍ଦାବୈରାଗୀଙ୍କ ଭଳି ନୂତନ ଶକ୍ତି ଆକ୍ରମଣକାରୀଙ୍କୁ ପରାଜିତ କରିବା ପାଇଁ ସାମ୍ନାକୁ ଆସିଲା । ଭାରତର ‘ସ୍ୱ’ ଉପରେ ଆଘାତକୁ ସଂପୂର୍ଣ୍ଣ ରାଷ୍ଟ୍ର ନିଜର ସାମର୍ଥ୍ୟ ମୁତାବକ ବିରୋଧ କଲା । ଭାରତର କୋଣ ଅନୁକୋଣରେ ବିରୋଧର ଅଗ୍ନୀ ଜଳି ଉଠିଲା । ଏହି ବୀର ପୁରଷମାନଙ୍କ ଆଘାତରେ ଆଉରଙ୍ଗଜେବ ଭଳି ବିଶାଳ ସେନା ବାହିନୀର ନେତା ଦକ୍ଷିଣରେ ଦୟନୀୟଭାବେ ମୃତ୍ୟୁବରଣ କଲା । ମୋଗଲ ଶାସନ ସମାପ୍ତ ହୋଇ ଆସୁଥିଲା । ଆମର ‘ସ୍ୱ’ ଜାଗରଣ ଶକ୍ତିଶାଳୀ ହେବକୁ ଆରମ୍ଭ କରିଥିଲା । ଠିକ୍ ସେହି ସମୟରେ ‘ବିଭାଜନକର ଓ ଶାସନତର’ ଏପରି ଏକ ନୂତନ ଅସ୍ତ୍ରରେ ଇଂରେଜମାନେ ଭାରତକୁ ଅଧିକାର କରିବା ଆରମ୍ଭ କରିଦେଲେ ।
ଇଂରେଜମାନେ ଆରମ୍ଭରେ ଭାରତୀୟମାନଙ୍କୁ ଆଶ୍ୱାସନା ଦେଲେ ଯେ, ସେମାନେ କେବଳ ବ୍ୟବସାୟ ପାଇଁ ଆସିଛନ୍ତି, ତାଙ୍କର ରାଜସତା ଅଧିକାର କରିବାର ଇଛା ନାହିଁ । ଭାରତୀୟ ରାଜାମାନେ ସେମାନଙ୍କ କଥାରେ ବିଶ୍ୱାସ କରି ପରାଜିତ ହେଲେ । ଇଂରେଜମାନଙ୍କ ସହଯୋଗ ନେଇ କିଛି ରାଜା ନିଜ ଭିତରେ ଲଢି ସମାପ୍ତ ହୋଇଗଲେ ।
ଭାରତୀୟ ସତା ହାତକୁ ଆସିବା ପରେ ଇଂରେଜମାନେ ଭାରତର ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣ କରିଦେଲେ । ମାକେଲ ଭାରତର ‘ସ୍ୱ’ ଆଧାରୀତ ଶିକ୍ଷାବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଯୋଜନା ତିଆରି କଲେ । ବ୍ରିଟିଶ ସରକାରଙ୍କୁ ଚିଠି ଲେଖିଲେ ଯେ, ଭାରତର ଶିକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରି ଇଂରାଜୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରାଯାଉ । ଏକଥା ମଧ୍ୟ ତାଙ୍କ ଚିଠିରେ ସ୍ପଷ୍ଟ ଲେଖିଥିଲେ ଯେ, ଭାରତକୁ ସବୁଦିନ ପାଇଁ ଅଧିନରେ ରଖିବାକୁ ହେଲେ ଭାରତୀୟତ୍ୱ ବା ରାଷ୍ଟ୍ରୟତ୍ୱ ଭାବ ନିର୍ମାଣ କରୁଥିବା ଭାରତୀୟ ଶିକ୍ଷା ପଦ୍ଧତୀକୁ ଧ୍ୱଂସ କରିବାକୁ ପଡିବ । ମିଶନାରୀମାନେ ଭାରତର ଗାଁଗଣ୍ଡାରେ ପଶି ଭାରତୀୟ ଆଧ୍ୟାତ୍ମିକ ଜୀବନ ଶୈଳୀକୁ ତିରସ୍କାର କରିବା ସହ ଧର୍ମାନ୍ତରୀକରଣ ଆରମ୍ଭ କରିଦେଲେ । ମୋଗଲମାନଙ୍କ କବଳରୁ ମୁକ୍ତି ପାଇଥିବା ଭାରତ ପୁଣି ଥରେ ଇଂରେଜମାନଙ୍କ କପଟତା ଭିତରେ ଛନ୍ଦି ହୋଇଗଲା । ସମାଜ ଏହି ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣକୁ ସହଜରେ ଗ୍ରହଣ କରିପାରିଲା ନାହିଁ । ଅସନ୍ତୋଷର ବହ୍ନି ସବୁଆଡେ ଜଳି ଉଠିଲା । ୧୮୫୭ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ପ୍ରତିକ୍ରିୟାର ସବୁଠାରୁ ବଡ ନମୁନା ଥିଲା । ରାଜ୍ୟ ଶାସନ ଇଂରେଜମାନଙ୍କ ହାତକୁ ଚାଲି ଯାଇଛ, ଏହି କାରଣ ଯେତିକି ମହତ୍ୱପୂଣ୍ଣ ଥିଲା ତାହାଠାରୁ ଅଧିକ ମହତ୍ୱପୂର୍ଣ୍ଣ ଥିଲା ଧର୍ମ ନଷ୍ଟ କରିବା ପାଇଁ ଗୋରୁ ଚର୍ବିର ବ୍ୟବହାର । ଯାହାକୁ ସୈନିକମାନଙ୍କୁ ଦାନ୍ତରେ କାମୁଡି ଛିଣ୍ଡାଇବାକୁ କୁହାଯାଉଥିଲା । ଏହି ସଂଘର୍ଷର ସବୁଠାରୁ ବଡ କାରଣ ଥିଲା ଧର୍ମ ଓ ସଂସ୍କୃତି ଉପରେ ଆଘାତ । ଇଂରେଜମାନଙ୍କୁ ପ୍ରତିରୋଧ କରିବା ପାଇଁ ଭାରତରେ ପୁଣି ଥରେ ‘ସ୍ୱ’ ଜାଗରଣ ପର୍ବ ଆରମ୍ଭ ହେଲା । ବାଲ ଗଙ୍ଗାଧର ତିଳକ ସମାଜକୁ ଜାଗ୍ରତ କରିବା ପାଇଁ ଶିବାଜୀ ମହୋତ୍ସବ ଓ ଗଣେଷ ମହୋତ୍ସବର ସାହାରା ନେଲେ । ସ୍ୱଦେଶୀ ବସ୍ତୁ ବ୍ୟବହାର ମାଧ୍ୟମରେ ‘ସ୍ୱ’ ପ୍ରତି ସମର୍ପଣ ଭାବର ନିର୍ମାଣ କଲେ । ଭାରତର ଧର୍ମ ଓ ସଂସ୍କୃତିର ଅପମାନକୁ ସହ୍ୟ କରିନପାରି ସନ୍ନ୍ୟାସୀମାନେ ଆନ୍ଦୋଳନ କଲେ । ଶହଶହ ସଂଖ୍ୟାରେ ବଳିଦାନୀ ହୋଇଗଲେ । ବଙ୍କିମ୍ ଚନ୍ଦ୍ର ଆନନ୍ଦ ମଠ ପୁସ୍ତକ ରଚନା କଲେ । ରବନ୍ଦ୍ରନାଥ ଠାକୁର ‘ସ୍ୱ’ ଜାଗରଣ ପାଇଁ କଲିକତାର ମିନର୍ଭା ଥିଏଟର ହଲରେ ନିଜର ପ୍ରସିଦ୍ଧ ଭାଷଣ ‘ସ୍ୱଦେଶୀ ସମାଜ’ ତିଆରି କଲେ । ବଙ୍ଗ ବିଭାଜନକୁ ରୋକିବା ପାଇଁ ଗଙ୍ଗାନଦୀ କୂଳରେ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଲେ । ଭାରତୀୟ ‘ସ୍ୱ’ ଜାଗରଣ ମାଧ୍ୟମରେ ବଙ୍ଗ ବିଭାଜନକୁ ବିଫଳ କରିଦେଲେ । ମହର୍ଷି ଅରବିନ୍ଦ ପଣ୍ଡିଚେରୀରେ ଆଧ୍ୟାତ୍ମିକ ସାଧନା ଆରମ୍ଭ କଲେ ।
ଗାନ୍ଧୀଜୀ ‘ସ୍ୱ’ ଜାଗରଣ ରଥକୁ ଆଗକୁ ବଢେଇବା ପାଇଁ ଅଂଟା ଭିଡିଲେ । ସୁନ୍ଦର ଭାରତ ବର୍ଷର ପରିକଳ୍ପନା ହିନ୍ଦ ସ୍ୱରାଜ ପୁସ୍ତକ ମାଧ୍ୟମରେ ସମାଜ ଆଗରେ ଉପସ୍ଥାପନା କଲେ । ରାମରାଜ୍ୟର ସ୍ୱପ୍ନ ଦେଖିବା ପାଇଁ ପରିବେଶ ନିର୍ମାଣ କଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କ କଣ୍ଠରେ ରାମଧୂନର ଝଙ୍କାର ତୋଳିଲେ । ଆନ୍ଦୋଳନ ପାଇଁ କୌଣସି ବଡ ହୋଟେଲ କିମ୍ବା ବଡ ସହରକୁ ନବାଛି ଗ୍ରାମ ଓ ଆଶ୍ରମକୁ ଚୟନ କଲେ । ସାବରମତୀ ଆଶ୍ରମ ଓ ୱାର୍ଦ୍ଧା ଆଶ୍ରମ ଭାରତୀୟ ସ୍ୱାଧୀନତା ସଂଗ୍ରାମର କେନ୍ଦ୍ର ହୋଇ ଛିଡାହେଲା । ସ୍ୱାଧୀନତା ସଂଗ୍ରାମର ପ୍ରଶିକ୍ଷଣ ବିଷୟ ହେଲା ଆଶ୍ରମ ଜୀବନ । ଅନେକ ଶିକ୍ଷିତ ଯୁବକ ଯୁବତୀ ଗାନ୍ଧୀଜୀଙ୍କ ମାର୍ଗଦର୍ଶନରେ ଆଶ୍ରମରେ ରହି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ । ‘ସ୍ୱ’ ଆଧାରୀତ ଆନ୍ଦୋଳନ ରଚନା ସମାଜକୁ ପ୍ରଭାବିତ କଲା । ସମାଜ ଏକଜୁଟ ହେବା ଆରମ୍ଭ କଲା । ଇଂରେଜ ବିରୋଧୀ ଆନ୍ଦୋଳନ ଠାରୁ ସତ୍ୟାଗ୍ରହ ଓ ‘ସ୍ୱ’ ଜାଗରଣକୁ ଗାନ୍ଧୀଜୀ ଅଧିକ ପ୍ରାଧାନ୍ୟ ଦେଉଥିଲେ । ଅସହଯୋଗ ଆନ୍ଦୋଳନରେ ଇଂରେଜମାନଙ୍କୁ ବିରୋଧ କରିବାର ବାର୍ତା ଯେତିକି ସୁଦୃଢ ଥିଲା ତାଠାରୁ ଅଧିକ ସୁଦୃଢ ଥିଲା ସାଧାରଣ ଜନତାକୁ ଜାଗ୍ରତ କରିବା । ଅସହଯୋଗ ଆନ୍ଦୋଳନ ଯେତେବେଳେ ତୀବ୍ର ଇଂରେଜ ବିରୋଧୀ ଓ ହିଂସାତ୍ମକ ରୂପ ନେଲା ଗାନ୍ଧିଜୀ ତାକୁ ପ୍ରତ୍ୟାହାର କରିନେଲେ । ଭାରତ ଛାଡ ଆନ୍ଦୋଳନ ମଧ୍ୟ ସେହି ସମାନ କାରଣରୁ ବନ୍ଦ କରିଦିଆଗଲା ।
ଏକ ବିଶାଳ କାଳଖଣ୍ଡରେ ଅନେକ ମହାପୁରୁଷଙ୍କ ଦ୍ୱାରା ହୋଇଥିବା ‘ସ୍ୱ’ ଜାଗରଣର ଫଳ ୧୯୪୭ ମସିହା ପୂର୍ବରୁ ଦେଖିବାକୁ ମିଳିଲା । ହଜାର ହଜାର ଭାରତୀୟ କଂଗ୍ରେସର ବିରୋଧ ସତ୍ୱେ ଆଜାଦ ହିନ୍ଦି ଫୌଜରେ ଯୋଗଦାନ କଲେ । ଅନେକ କ୍ରାନ୍ତିକାରୀ ଇଂରେଜମାନଙ୍କ ବିରୋଧରେ ଛିଡା ହେଲେ । ମୁମ୍ବାଇର ନୌବାହିନୀ ଇଂରେଜମାନଙ୍କ ବିରୋଧରେ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲା । ସଂପୂର୍ଣ୍ଣ ଭାରତ ଭିତରେ ରାଷ୍ଟ୍ରଭାବ ଜାଗ୍ରତ ହୋଇ ଉଠିଲା । ୧୯୪୨ ପରେ କଂଗ୍ରେସ କୌଣସି ବଡ ଆନ୍ଦୋଳନ କରିନଥିଲେ ବି ଇଂରେଜମାନେ ଭାରତକୁ ସ୍ୱାଧୀନତା ଦେବା ପାଇଁ ବିବଶ ହୋଇଗଲେ । ଆମେ ସ୍ୱଧୀନ ହେଲୁ ସତ ସ୍ୱତନ୍ତ୍ର ହୋଇପାରିଲୁ ନାହିଁ ।
ସ୍ୱଧୀନତା ଅର୍ଥ ‘ସ୍ୱ’ ଅଧିନ ଅର୍ଥାତ ନିଜ ଦେଶର ଲୋକଙ୍କ ହାତରେ ଶାସନ ଭାର । ଆମ ଦେଶର ଲୋକ ଆମ ଦେଶକୁ ଶାସନ କରିବେ । ଯାହା ୧୯୪୭ରେ ଆମକୁ ମିଳିଗଲା ।‘ସ୍ୱ’ତନ୍ତ୍ର ଅର୍ଥ ଆମ ବୈଚାରିକ ଅଧିଷ୍ଠାନ ଅଧାରରେ ଶାସନ ବ୍ୟବସ୍ଥା । ସମସ୍ତ ତନ୍ତ୍ର ର ଆଧାର ଭାରତୀୟତା, ଧର୍ମ,ଆଧ୍ୟାତ୍ମ ହେବ । ଯାହା ବର୍ତମାନ ସୁଦ୍ଧା ସମ୍ଭବ ହୋଇପାରି ନାହିଁ । ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଧରମ ପାଲ ତାଙ୍କର ଭାରତୀୟ ଚିତ,ମାନସ ଏବଂ କାଳ ପୁସ୍ତକରେ ଲେଖୁଛନ୍ତି (ପୃ-୧୮୮)ଭାରତର ସାଶନ ବ୍ୟବସ୍ଥା ବ୍ରିଟିସ ଢାଂଚାରେ ଗଢା ଯାଇଛି । ଭାରତୀୟ ପଦ୍ଧତି ଅନୁରୂପ କୌଣସି ବିଷୟ ସାମ୍ବୀଧାନିକ ବ୍ୟବସ୍ଥାରେ ସାମିଲ ହୋଇ ପାରିଲା ନାହିଁ । ଭାରତୀୟ ଆବଶ୍ୟକତା ସହ ସଂବିଧାନର ତାଳମେଳ ନାହିଁ ।
ଆମର ସ୍ୱାଧୀନତା ଏକ ଲମ୍ବା କାଳଖଣ୍ଡରେ ହୋଇଥିବା ‘ସ୍ୱ’ ଜାଗରଣର ଫଳ ଅଟେ । ଆମର ରାଷ୍ଟ୍ରର ବିକାଶ ‘ସ୍ୱ’ ଜାଗରଣ ଉପରେ ନିର୍ଭର କରେ । ‘ସ୍ୱ’ ଅବବୋଧ ହିଁ ସ୍ୱତନ୍ତ୍ରତାର ଆଧାର ଥିଲା । ଭାରତର ଭବିଷ୍ୟତର ସୁରକ୍ଷା ମଧ୍ୟ ଏହି ‘ସ୍ୱ’ ଅବବୋଧ ଉପରେ ନିର୍ଭର କରେ । ସ୍ୱତନ୍ତ୍ରତାର ୭୫ ବର୍ଷ ଆମ ସମସ୍ତଙ୍କ ପାଇଁ ‘ସ୍ୱ’ ଚିନ୍ତା,‘ସ୍ୱ’ସାଧନା ଓ ‘ସ୍ୱ’ ସଂଗ୍ରକ୍ଷଣ ପାଇଁ ବିଶେଷ ମୁହୂର୍ତ ହୋଇ ରହୁ । ଏପରି ହେଲେ ଭାରତ ବର୍ଷ ବିଶ୍ୱର ମାର୍ଗଦର୍ଶକ ହୋଇ ପାରିବ ଏବଂ ସ୍ୱତନ୍ତ୍ରତା ନିରାପଦ ରହିବ ।
ମଠସାହି, ଭଦ୍ରକ
୯୪୩୭୦୧୭୮୫୭

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ