ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ବିଡିଓଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଲେ ସତ୍ୟବ୍ରତ

ନାଉଗାଁ,(ଓ୍ବାଇଏନ୍ଏସ୍): ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଗତ ୧୦ ଜୁଲାଇ ୨୦୧୯ ରୁ ପଦଯାତ୍ରା କରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକର ସମାଜସେବୀ ସତ୍ୟବ୍ରତ ଦାସ ଶୁକ୍ରବାର ନାଉଗାଁ ବ୍ଳକରେ ପହଂଚିଥିଲେ । ପୁରୀ ଜିଲ୍ଲା କାକଟପୁର ବ୍ଳକ ଦେଇ ଉକ୍ତ ବ୍ଳକର ଶିଖରଘାଟ ଠାରେ ପହଂଚିବା ପରେ ଗଣମାଧ୍ୟମ ପ୍ରତିନିଧି ଦେବଜ୍ୟାତି ମହାନ୍ତି ଓ ଜନସାଧାରଣ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ପଦଯାତ୍ରାରେ ଯୋଗ ଦେଇଥିଲେ । ନାଉଗାଁ ବଜାରରେ ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ, ଯୁବ କଂଗ୍ରେସ ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ, ଛାତ୍ରନେତା ସୌମ୍ୟସଂଜିବ ଦାସ, ସ୍ମୃତିରଂଜନ ଜେନାଙ୍କ ସହିତ ସମାଜସେବୀ ପ୍ରସନ୍ନଜିତ ସାହୁ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଳକ କାର୍ଯ୍ୟାଳୟରେ ପହଂଚି ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ସତ୍ୟବ୍ରତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ଓଡିଶାକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ପ୍ରଦାନ, ମହାନଦୀର ଜଳ ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରିବା ସହ ପୋଲାଭରମ ପ୍ରକଳ୍ପକୁ ବନ୍ଦ ରଖିବା ପାଇଁ ଦାବି କରାଯାଇଛି । ସୂଚନା ମୁତାବକ ସତ୍ୟବ୍ରତ ପ୍ରଥମେ ଯାଜପୁର ଜିଲ୍ଲା ବଡଚଣାରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ । ଓଡିଶାର ୩୧୪ ବ୍ଳକ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୩୦୬ ବ୍ଳକରେ ପହଂଚି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି । ସେ ସମୁଦାୟ ଆଜି ସୁଦ୍ଧା ୫୫୭ ଦିନ ଚାଲିବା ସହ ୯ ହଜାର ୬ ଶହ କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନମିଳିବା ପର୍ଯ୍ୟନ୍ତ ଏ ସଂଘର୍ଷ ଜାରି ରହିବ ବୋଲି ସତ୍ୟବ୍ରତ ପ୍ରକାଶ କରିଛନ୍ତି । ଶନିବାର ନାଉଗାଁରୁ ଜଗତସିଂହପୁର ବ୍ଳକ ଅଭିମୁଖେ ଯାତ୍ରା କରିବେ ବୋଲି ସତ୍ୟବ୍ରତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ