ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ଏକ ବୈଠକ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛ । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ନୀଳଗିରି ଉପ-ଜିଲାପାଳ ହରିଶ ଚନ୍ଦ୍ର ଜେନାଙ୍କ ସମତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଭୋଟର ତାଲିକା ସଂଶୋଧନର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ୧-୧-୨୦୨୨ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଭିତ୍ତି କରି ଯେଉଁ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା-୨୦୨୨ ଆରମ୍ଭ ହୋଇଛି ତାହାକୁ ସଫଳ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ତା୧.୧୧.୨୦୨୧ ରିଖ ଦିନ ବୁଥ ସ୍ତରରେ ଭୋଟର ତାଲିକାର ଡ୍ରାଫ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ତା୧-୧୧-୨୦୨୧ ରିଖରୁ ୩୦-୧୧-୨୦୨୧ରିଖ ପର୍ଯ୍ୟନ୍ତ ଭୋଟରଙ୍କଠାରୁ ବିଭିନ୍ନ ଆପତ୍ତି ଗ୍ରହଣ କରାଯିବ । ଆସନ୍ତା ନଭେମ୍ବର ୭ ଏବଂ ୨୧ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ବୁଥରେ ରାଜନୈତିକ ଦଳର ଏଜେଣ୍ଟମାନେ ରହି ବୁଥସ୍ତରୀୟ ଅଧିକାରୀମାନଙ୍କ ଜରିଆରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ । ତା୨୦.୧୨.୨୦୨୧ରିଖ ସୁଦ୍ଧା ସମସ୍ତ ଆପତ୍ତି ଏବଂ ଅଭିଯୋଗର ଫଇସଲା କରାଯିବା ସହିତ ୫.୧.୨୦୨୨ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସମସ୍ତ ରାଜନୈତିକ ଦଳକୁ ବୁଥ ସ୍ତରରେ ଏଜେଣ୍ଟ ନିଯୁକ୍ତ କରିବା ପାଇଁ ବୈଠକରେ ନିବେଦନ କରାଯାଇଥିଲା । ବୁଥସ୍ତରୀୟ ଅଧିକାରୀମାନଙ୍କର ବୈଠକ ଡାକି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା, ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରଚାର-ପ୍ରସାର କରିବା, ସମସ୍ତ ବୁଥସ୍ତରୀୟ ଏଜେଣ୍ଟଙ୍କ ସହ ଯୋଗାଯୋଗ ରକ୍ଷା ପୂର୍ବକ କାର୍ଯ୍ୟ କରିବା, ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରି ତାହାର ଫଇସଲା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏହି ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ସମସ୍ତ ବୁଥମାନଙ୍କରେ କରାଯାଉଥିବା ବେଳେ ଜିଲାରେ ମୋଟ ୧୮୮୭ଟି ବୁଥ ରହିଛି । ଜିଲ୍ଲାର ଭୋଟର ସଂଖ୍ୟା ଏବେ ୧୮ଲକ୍ଷ ୪୨ହଜାର ୨୨୩ରହିଛି । ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ସଫଳତା ପାଇଁ ବୈଠକରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲାର ପ୍ରତି ବୁଥରେ ପ୍ରକାଶ ପାଇବାକୁ ଥିବା ଡ୍ରାଫ୍ଟ ଭୋଟର ତାଲିକାର ଅନୁଧ୍ୟାନ କରିବା ସହିତ ସେଥିରେ କିଛି ତ୍ରୁଟି ଥିଲେ ତାହା କର୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ଏବଂ ସଂଶୋଧନ ପାଇଁ ଭୋଟରଙ୍କୁ ସଚେତନ କରାଇବାକୁ ଜିଲ୍ଲାପାଳ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ କହିଥିଲେ । ସେହିପରି ଭୋଟର ହେଲ୍ପଲାଇନ ମୋବାଇଲ ଆପ ମାଧ୍ୟମରେ ମଧ୍ୟ ଏବେ ଭୋଟରମାନେ ତ୍ରୁଟି ସଂଶୋଧନ ପାଇଁ ଆବେଦନ କରିପାରିବେ । ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ସହ ନୂତନ ଯୁବ ଭୋଟରମାନେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରିବେ ସେଥିପ୍ରତି ଉଦ୍ୟମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଭୋଟର ତାଲିକା ସଂଶୋଧନ ଚାହୁଁଥିବା ଭୋଟର ନିର୍ଦ୍ଧାରିତ ଫର୍ମ ୬,୬(କ),୭, ୮ ଓ ୮ (କ)ରେ ଆବେଦନ କରିପାରିବେ । ଏହି ଫର୍ମ ବୁଥ ଗୁଡିକରେ ଉପଲବ୍ଧ ହେଉଅଛି । ଯେଉଁମାନଙ୍କର ବୟସ ୦୧ ଜାନୁଆରୀ ୨୦୨୨ ସୁଦ୍ଧା ୧୮ ବର୍ଷ ବୟସ ହୋଇଛି ସେମାନେ ୬ ନମ୍ବର ଫର୍ମ ମାଧ୍ୟମରେ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ । ସଂଶୋଧନ ପ୍ରକ୍ରିୟାରେ ବିଭିନ୍ନ ଫର୍ମକୁ କିଭଳି ଠିକ ଢଙ୍ଗରେ ବ୍ୟବହାର କରିହେବ ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା । ସହକାରୀ ଜିଲାପାଳ(ନିର୍ବାଚନ) ମନୋଜ କୁମାର କାର୍ଜୀ, ରାଜନୈତିକ ଦଳ ପ୍ରତିନିଧି ଭୁବନାନନ୍ଦ ଦାସ, କେଶବ କୁମାର ଆଚାର୍ଯ୍ୟଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।