ସ୍ୱପ୍ନ ପାଲଟିଛି ଜିଲ୍ଲାବାସୀଙ୍କ ଉଡାଣ ଯାତ୍ରା

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରୁ ମାଲକାନଗିରି ଜିଲ୍ଲା ବିମାନବନ୍ଦର ବାଦ୍ ପଡ଼ିବା ପରେ ଜିଲ୍ଲାବାସୀଙ୍କ ପାଇଁ ଉଡ଼ାଜାହାଜ ରେ ଯାତ୍ରା କରିବା ସ୍ୱପ୍ନ ପାଲଟିଛି। ବର୍ତମାନ କୌଣସି ଘରୋଇ ବିମାନ ଏଠାରୁ ନିୟମିତ ଉଡ଼ାଣ ନେଇ ନିର୍ଦ୍ଦେଶ ମିଳିନାହିଁ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳବାସୀ କହିଛନ୍ତି, ବିମାନ ବନ୍ଦର ନିର୍ମାଣ ପାଇଁ ଗାଁ ଉଠିଲା । ଲୋକଙ୍କୁ ଭିଟାମାଟି ଛାଡିବାକୁ ପଡିଲା। ଏଠାରୁ ଜରୁରି ସମୟରେ ଗୁରୁତର ରୋଗୀଙ୍କୁ ଦୂର ତଥା ବଡ଼ ଜାକ୍ତରଖାନାକୁ ନେଇ ବଞ୍ଚାଇ ହେବ ବୋଲି ଆଶା ଥିଲା। ହେଲେ ତାହା ଆଉ ପୂରଣ ହେଲା ନାହିଁ । ରାଜଧାନୀ ଭୁବନେଶ୍ୱରରୁ ମାଲକାନଗିରି ଜିଲ୍ଲା ୬୫୫ କିମି ଦୂରରେ ରହିଛି। ଗୁରୁତର ରୋଗୀକୁ କଟକ କିମ୍ବା ଭୁବନେଶ୍ଵର କିମ୍ବା ବିଶାଖାପାଟଣା ହସ୍ପିଟାଲ ଯିବାକୁ ହେଲେ ୨ଦିନ ସମୟ ଲାଗୁଛି । ନେବା ବେଳେ ବାଟରେ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଜିଲ୍ଲାର ଆବଶ୍ୟକ‌କୁ ଦୃଷ୍ଟିରେ ରଖି ୨୦୦୬ ନଭେମ୍ବର ୧୧ ରେ ସଦର ମହକୁମାରୁ ୫ କିମି ଦୂର ଗୌଡଗୁଡା ପଞ୍ଚାୟତ ବାଟପାଲି ମୌଜା କଟଲିଗୁଡା ଗାଁରେ ବିମାନବନ୍ଦର ନିର୍ମାଣ ପାଇଁ ଭିତ୍ତୀ ପ୍ରସ୍ତର ସ୍ଥାପନ ହୋଇଥିଲା। ନିର୍ମାଣକୁ ୧୯ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି କିଛି କାମ ବାକି ରହିଛି । ଆଜିଯାଏଁ
୭୮ କୋଟି ଟଙ୍କା ଖର୍ଚ ହେଲାଣି । କିନ୍ତୁ କାମ ସମ୍ପୁର୍ଣ ହୋଇପାରିନି କିମ୍ବା ବିମାନ ଚଳାଚଳ କରି ପାରୁ ନାହିଁ । ଗତ ନିର୍ବାଚନ ସମୟରେ ୨୦୨୪ ଜାନୁୟାରୀ ୯ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ବିମାନବନ୍ଦରକୁ ତରବରିଆ ଭାବେ ଲୋକାର୍ପିତ କରିଥିଲେ। ନିର୍ବାଚନ ପରେ ଏହାର କାର୍ଯ୍ୟକ୍ଷମ ହେଲାନାହିଁ । ନିକଟରେ ଉଡ଼ାଣ ଯୋଜନାରେ ଏଠାକାର ବିମାନବନ୍ଦରକୁ ସାମିଲ କରଯାଇ ନଥିବା ଜଣାପଡ଼ିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ବିମାନବନ୍ଦର କାର୍ଯ୍ୟ ପ୍ରାୟ ସରିବାକୁ ବସିଲାଣି। ପୂର୍ବରୁ ପରୀକ୍ଷା ମୂଳକ ଭାବେ ଜାହାଜ ଉଡିସାରିଛି।
କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ସାମିଲ ନଥିବାରୁ ବିଧିବଦ୍ଧ ଭାବେ ବିମାନ ଚଳାଚଳରେ ବିଳମ୍ବ ହେଉଛି । ଅନ୍ୟପକ୍ଷେ ପୂର୍ତ୍ତ ଓ ଗୃହ ନିର୍ମାଣ ନିର୍ବାହୀଯନ୍ତ୍ରୀ ରବୀନ୍ଦ୍ରକୁମାର ବେହେରା କହିଛନ୍ତି, ବନ୍ଦର କାମ ପ୍ରାୟ ୯୦ ପ୍ରତିଶତ ସରିଯାଇଛି । ଉଡା ଜାହାଜ ଉଡିବାରେ ଅସୁବିଧା ନାହିଁ । କେବଳ ସୁରକ୍ଷା ବାହିନୀଙ୍କ ପାଇଁ ଘର, ୱାଡ ଟାୱାର, ଉଜ୍ଜ୍ଵଳ ଆଲୋକ, ଚିକିତ୍ସାକେନ୍ଦ୍ର, ବନ୍ଦରରୁ ମୁଖ୍ୟ ରାଜପଥକୁ ୮୫୦ ମିଟର ୪ ଥାରିଆ ପିଚୁରାସ୍ତା କାମ ବାକିରହିଛି । ଖୁବଶୀଘ୍ର ଏହା ସରିଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଲେ ବିମାନ ଚଳାଚଳ ଆରମ୍ଭହେବ। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସଧାରଣ ରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ