ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ହକ୍ ମାଗୁଥିବା ଚାଷୀଙ୍କୁ ଅତୀତରେ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାର ମଣ୍ଡସରରେ ଗୁଳି କରି ୬ ଜଣଙ୍କୁ ହତ୍ୟା କରିଥିଲା । ରାଜରାସ୍ତାରେ ପ୍ରତିବାଦ କରୁଥିବା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଗୁଳି ଚଳାଇବାକୁ ତତ୍କାଳୀନ ଅର୍ଥରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଆହ୍ୱାନ ଦେବା ଏବଂ ହରିୟାନାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଚାଷୀ ଆନ୍ଦୋଳନକୁ ଦମନ କରିବା ପାଇଁ ପ୍ରତି ଜିଲ୍ଲାରେ ଲାଠି ଧରି ଯୁବକଙ୍କୁ ତାଲିମ ଦେବା ପାଇଁ ଆହ୍ୱାନ କରିବା ଓ ସେପ୍ଟେମ୍ବର ୨୫ ତାରିଖ ଦିନ ବର୍ତ୍ତମାନର ଗୃହ ରାଜ୍ୟମନ୍ତ୍ରୀ ତଥା ହାତ୍ୟାକାରୀ ଆଶିଷ ମିଶ୍ରଙ୍କ ବାପା ଅଜୟ ମିଶ୍ର ଟେନି ଚାଷୀ ଆନ୍ଦୋଳନକୁ ଦମନ କରିବା ପାଇଁ ଏକ ବୈଠକରେ ବକ୍ତବ୍ୟ ପ୍ରଦାନ କରିବା, ବିଜେପି ସରକାରଙ୍କ ଚାଷୀମାନଙ୍କ ପ୍ରତି ମନୋଭାବର ଗୋଟିଏ ଗୋଟିଏ ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରିଛି । ଗତକାଲି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଚାଷୀ ଗଣହତ୍ୟା ସଂଗଠିତ ହୋଇଥିବା ଚାଷୀ ଗଣହତ୍ୟା ଅତ୍ୟନ୍ତ ବେଦନା ଦାୟକ ଓ ବର୍ବୋରଚିତ ଏବଂ ସ୍ୱାଧୀନତାର ୭୫ ବର୍ଷ ଇତିହାସରେ ଏକ ବିରଳ ଘଟଣା ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିବା ସହିତ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ପାର୍ଟି ପକ୍ଷରୁ ଆଜି ଓଡ଼ିଶା ରାଜଭବନ ସମ୍ମୁଖରେ ଅନୁଷ୍ଠିତ ଏକ ବିକ୍ଷୋଭର ନେତୃତ୍ୱ ନେଇ ଶ୍ରୀ ବେହେରା କହିଛନ୍ତି ଯେ, କର୍ପୋରେଟ ଜଗତର ସ୍ୱାର୍ଥ ପାଇଁ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ପ୍ରୟାସ’ର ନାରା ଦେଉଥିବା ମୋଦି ସରକାର ଚାଷୀଙ୍କ ବିନାଶ ପାଇଁ ଯେକୌଣସି ସ୍ତରକୁ ଯାଇପାରେ, ଏସବୁ ଘଟଣା ହେଉଛି ସେହି ସରକାରର ଗୋଟିଏ ଗୋଟିଏ ଜ୍ୱଳନ୍ତ ଉଦାହରଣ । ତେଣୁ ଆଜି ସମୟ ଆସିଛି ଚାଷୀ ବିରୋଧୀ ମୋଦି ସରକାର ଓ ଉତ୍ତର ପ୍ରଦେଶର ଯୋଗୀ ସରକାରକୁ ଚାଷୀମାନେ ସମୁଦ୍ର ଭିତରକୁ ଫିଙ୍ଗି ଦିଅନ୍ତୁ ଓ ସେମାନଙ୍କର ସ୍ୱାର୍ଥ ପାଇଁ ଦରଦାମ ଓ ବେକାରୀ ଦୂରେଇବା ପାଇଁ ଏକ ଜନ ଦରଦୀ ସରକାର ପ୍ରତିଷ୍ଠା କରିବାକୁ ଭାରତବାସୀ ଆଗେଇ ଆସିବାକୁ ସମାଜବାଦୀ ପାର୍ଟି ଆହ୍ୱାନ କରିଛି । ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ପାର୍ଟି ପକ୍ଷରୁ ଦିଆଯାଇଥିବା ଏକ ସ୍ମାରକପତ୍ରରେ ଗାଡ଼ି ଚଢାଇ ଚାଷୀଙ୍କୁ ହତ୍ୟା କରିଥିବା, ଆଶୀଷ ମିଶ୍ରଙ୍କୁ ହତ୍ୟା ଅଭିଯୋଗରେ ୩୦୨ ଦଫାରେ ଗିରଫ କରିବା, ତାଙ୍କ ବାପା ତଥା ଭାରତର ସ୍ୱରାଷ୍ଟ୍ର ବିଭାଗର ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା, ମୃତ ପ୍ରତ୍ୟେକ ଚାଷୀ ପରିବାରକୁ ୧ କୋଟି ଟଙ୍କାର ସହାୟତା ଓ ଜଣକୁ ସରକାରୀ ଚାକିରୀ ପ୍ରଦାନ କରିବା, ସମାଜବାଦୀ ପାର୍ଟିର ଜାତୀୟ ସଭାପତି ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନନୀୟ ଅଖିଳେଶ ଯାଦବଙ୍କୁ ଗିରଫ କରିଥିବା ଉତ୍ତରପ୍ରଦେଶ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଶ୍ରୀ ଯାଦବଙ୍କୁ ତୁରନ୍ତ ଖଲାସ କରିବା ଏବଂ ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା ସମ୍ଭାଳି ପାରୁନଥିବା ଅଯୋଗ୍ୟ ଯୋଗୀ ସରକାରଙ୍କୁ ତୁରନ୍ତ ବରଖାସ୍ତ କରିବା ଆଦି ଦାବି କରି ପାର୍ଟିର ୪ଜଣିଆ ପ୍ରତିନିଧି ଦଳ ଶ୍ରୀ ବେହେରାଙ୍କ ନେତୃତ୍ୱରେ ସର୍ବଶ୍ରୀ ସୁଦର୍ଶନ ପ୍ରଧାନ, ସଞ୍ଜୟ ନାୟକ ଓ ପିତବାସ ସେଠୀ ପ୍ରମୁଖ ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ସରକାର ଏହି ଦାବିଗୁଡ଼ିକ ପ୍ରତି ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଚାଷୀ ସମସ୍ୟାକୁ ଦୀର୍ଘ ୧୦ ମାସ ଦେଖା ଅଣଦେଖା କରି ଆସୁଥିବା ଓ ଶାନ୍ତିପୂର୍ଣ୍ଣ ଚାଷୀ ଆନ୍ଦୋଳନକୁ ବିଭିନ୍ନ ଆଳରେ ଦମନ କରିବାକୁ ଉଦ୍ୟମ କରୁଥିବା କର୍ପୋରେଟ ସାଥୀ ବିଜେପି ସରକାର ବିରୁଦ୍ଧରେ ଦୁର୍ବାର ଗଣ ଆନ୍ଦୋଳନ ଗଢି ତୋଳିବା ପାଇଁ ଆଗାମୀ ଦିନରେ ସମସ୍ତ ରାଜନୈତିକ ଦଳ ଓ ଚାଷୀସଂଗଠନ ଗୁଡ଼ିକ ଏକାଠି ହୋଇ ଆଗେଇ ଆସିବାକୁ ସମାଜବାଦୀ ପାର୍ଟି ତରଫରୁ ଆହ୍ୱାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ