ସ୍ୱର୍ଗତ ଅକ୍ଷୟ କୁମାର ସାହୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସାନବର୍ଚ୍ଚିକୟାଁ ଠାରେ ଅକ୍ଷୟ ସାହୁ ସ୍ମୃତି ପରିଷଦ ପକ୍ଷରୁ ଶିକ୍ଷାବିତ୍ ସ୍ୱର୍ଗତ ଅକ୍ଷୟ କୁମାର ସାହୁଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ସାହୁଙ୍କ ଫଟୋ ଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତିନ୍ ପଣ୍ଡା, ସମ୍ମାନୀତ ଅତିଥି ଭାବେ ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ସମିତି ସଭ୍ୟ ତଥା ଆଇନଜୀବି ପରମେଶ୍ୱର ବାରିକ, ଅହଲ୍ୟା ସାହୁ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ଅବିସ୍ମରଣୀୟ ସ୍ମତି ସଂପର୍କରେ ଆଲୋକପାତ କରିଥିଲେ । ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ରାଉତ ଅତିଥି ପରିଚୟ ଓ ସ୍ମୃତି ପରିଷଦର ସଂପାଦକ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମୃତି ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିବା ଢେଙ୍କା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ମୀନା ସେଠୀ, ଜାଗୁଳାଇ ହାଇସ୍କୁଲର ଛାତ୍ର କାର୍ତ୍ତିକ ବେହେରାଙ୍କୁ ପୁରସ୍କୃତ କରାଯିବା ସହିତ ପଞ୍ଚାୟତର କିଛି ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ସମେତ ସୁବାଷ ଦାସ, ମାର୍କଣ୍ଡ ବେହେରା, ଅନାଥ ଦାସ ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।


