ସ୍ୱର୍ଗତ ନିରଞ୍ଜନ ବାରିକଙ୍କ ବିୟୋଗରେ କ୍ୟାଡ଼ର ଶିକ୍ଷକ ମହାସଂଘର ଶୋକ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପରିସରରେ ରାଜ୍ୟ ଲେବୁଲ୍-୫ ସରକାରୀ ଶିକ୍ଷକ ଏକ୍ସ କ୍ୟାଡ଼ର ଓ ଗଣଶିକ୍ଷକ ମହାସଂଘର କର୍ମକର୍ତ୍ତାଙ୍କୁ ନେଇ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ତ୍ରିଲୋଚନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଶିକ୍ଷକନେତା ନିରଞ୍ଜନ ବାରିକ ଉଦ୍ବୋଧନ ଦେଉଥିବା ସମୟରେ ମୃତ୍ୟୁ ଘଟଣାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ସମୂହ ଦୀପ ଜାଳି ଦିବଂଗତ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ସ୍ୱର୍ଗତ ବାରିକ କେବଳ ମୟୁରଭଞ୍ଜ ଜିଲ୍ଲାର ସଭାପତି ନଥିଲେ, ସେ ଥିଲେ ସାରା ଓଡ଼ିଶା ସଂଗଠନର କର୍ଣ୍ଣଧାର, ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଆମ ଶିକ୍ଷକ ସମାଜର ଜଣେ ଦକ୍ଷ ସଂଗଠକ, ଶାନ୍ତ, ସରଳ, କର୍ତ୍ତବ୍ୟନିଷ୍ଠ ଓ ପରୋପକାରୀ ବ୍ୟକ୍ତିଙ୍କୁ ହରାଇଲୁ ବୋଲି ଶିକ୍ଷକମାନେ ଅଭିହିତ କରିଥିଲେ । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଗତ ୩ ତାରିଖ ନିଜର ହକ ପାଇଁ ଆନ୍ଦୋଳନ କରୁଥିବା ସମୟରେ ଶିକ୍ଷକ ସ୍ୱର୍ଗତ ବାରିକଙ୍କ ଉଦ୍ଦେଶ୍ୟରେ ତଥା ଶୋକ ସନ୍ତପ୍ତ ପରିବାର ପ୍ରତି ଅଦ୍ୟାବଧି ସରକାର ଦୁଃଖ ପ୍ରକାଶ କିମ୍ବା ଅନୁକମ୍ପା ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ସରକାର ଯଥାଶୀଘ୍ର ସ୍ୱର୍ଗତ ବାରିକଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଓ ସମସ୍ତ ସରକାରୀ ଅନୁଦାନ ଯୋଗାଇଦେବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା । ଉକ୍ତ ଶୋକସଭାରେ ସମ୍ପାଦକ ବୁଲୁ ବେହେରା, ଉପଦେଷ୍ଟା ଉମାକାନ୍ତ ନାୟକ, କୋଷାଧ୍ୟକ୍ଷ ଅମୀୟ ବରାଳ, ବିଭୂତି ତ୍ରିପାଠୀ, ଉପସଭାପତି ସୁଶାନ୍ତ ଜ୍ୟୋତିଷ, ସାଂଗଠନିକ ସମ୍ପାଦିକା ସୁପ୍ରୀତି ଖୁଣ୍ଟିଆ ଓ ନମିତା ସ୍ୱାଇଁ, ଧର୍ମାନନ୍ଦ ରାଉତ, ଶନିଶ୍ଚ ରଞ୍ଜନ ବେହେରା, ପ୍ରବୀଣ ମହାନ୍ତି, ସୁବାସ ଚନ୍ଦ୍ର ପ୍ରଧାନ, ଛବିଲତା ବାରିକ, ଶାନ୍ତିଲତା ଚୌଧୁରୀ, ଅରୁଣ କୁମାର ପଟ୍ଟନାୟକ, ଜଗତ ଜୀବନ ଖମାରୀ, ସୁଧାକର ସିଂ, ଳକ୍ଷ୍ମୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


