ସ୍ୱର୍ଗତ ବିଷ୍ଣୁ ଚରଣ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡିଶା ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନର ରାଜ୍ୟ ସଭାପତି ଭାବେ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ରାଜ୍ୟର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁଚରଣ ଦାସଙ୍କ ଆକସ୍ମିକ ବିୟୋଗରେ ରାଜ୍ୟ ମୁଖ୍ୟାଳୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ତା୭ା୭ା୨୦୨୦ରିଖ ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲାସ୍ଥ ନିଜ ଗ୍ରାମ ମୁକୁନ୍ଦପୁର ଅଭିମୁଖେ ଯାତ୍ରା କରୁଥିବା ତାଙ୍କ ମରଶରୀରରେ ରାଜ୍ୟ ମୁଖ୍ୟାଳୟ ସମ୍ମୁଖରେ ରାଜ୍ୟ ସଂଗଠନର କର୍ମଚାରୀମାନଙ୍କ ଦ୍ୱାରା ସ୍କାଉଟସ୍ ଏବଂ ଗାଇଡସ୍ର ପତାକା ମରଶରୀର ଉପରେ ଦିଆଯାଇଥିଲା ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟାଳୟ ପରିସରରେ କୋଭିଡ ୧୯ କଟକଣାକୁ ନଜରରେ ରଖି ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ସାମାଜିକ ଦୂରତା ବଜାୟ ରଖି ସୀମିତ କର୍ମଚାରୀଙ୍କୁ ନେଇ ଏକ ଶୋକସଭା ଆୟୋଜିତ ହୋଇଥିଲା । ରାଜ୍ୟ ସମ୍ପାଦକ ରାମମୂର୍ତ୍ତି ଦୋରା, ରାଜ୍ୟ କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପାଇକରାୟ, ଯୁଗ୍ମ ସମ୍ପାଦକ ମିହିର ରଞ୍ଜନ ପଟ୍ଟନାୟକ, ରାଜ୍ୟ ସଗଠନ କମିଶନର ଗାଇଡ୍ ଅନାମିକା ଦାସ, ରାଜ୍ୟ ସଂଗଠନ କମିଶନର ପ୍ରାଣକୃଷ୍ଣ ବେହେରା, ରାଜ୍ୟ ତାଲିମ କମିଶନର ସ୍କାଉଟ ସୁରଜିତ ସେନ୍, ରାଜ୍ୟ ତାଲିମ କମିଶନର ଗାଇଡ୍ସୁଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କର ସ୍ମୃତିଚାରଣ କରିଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ସ୍ୱର୍ଗତ ଦାସଙ୍କର ସ୍ମୃତିଚାରଣ କରିବା ଅବସରରେ ଦୀର୍ଘଦିନ ଧରି ରାଜ୍ୟ ସଭାପତି ଭାବେ ରହି ସଂଗଠନ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଏବଂ କର୍ମ ପ୍ରବଣତା ବିଷୟରେ ଆଲୋକପାତ କରିଥିଲେ । ଉପସ୍ଥିତ ପ୍ରତ୍ୟେକ ସଦସ୍ୟ ମୁହଁରେ ମାସ୍କ ପରିଧାନ କରି ସ୍ୱର୍ଗତ ଦାସଙ୍କ ଫଟୋ ଚିତ୍ରରେ ସାମାଜିକ ଦୂରତା ବଜାୟ ରଖି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟ ତରଫରୁ ୧୦ଦିନ ପର୍ଯ୍ୟନ୍ତ ଶୋକଦିବସ ପାଳନ କରାଯିବ ।


