ସ୍ୱର୍ଣ୍ଣିମ ବିଜୟ ମଶାଲକୁ ବାଲେଶ୍ୱର ଭବ୍ୟ ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା) : ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରାତର ବିଜୟକୁ ୫୦ ବର୍ଷ ପୂରିଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ସମଗ୍ର ଦେଶରେ ପାଳିତ ହେଉଛି ସ୍ୱର୍ଣ୍ଣିମ ବିଜୟ ବର୍ଷ । ଏହି ପରିପ୍ରେକ୍ଷୀରେ ଦେଶ ବ୍ୟାପୀ ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଶନିବାର ବାଲେଶ୍ୱରରେ ଭବ୍ୟ ସ୍ୱାଗତ କରାଯାଇଛି । ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୟ ମଶାଲକୁ ପ୍ରଶାସନ ଓ ଜିଲା ପୁଲିସ ପକ୍ଷରୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ପୂର୍ବାଞ୍ଚଳ ପୁଲିସ ମହାନିରୀକ୍ଷକ ହିମାଂଶୁ ଲାଲ, ଏସପି ସୁଧାଂଶୁ ଶେଖର ମିଶ୍ର, ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଭବେଶ କୁମାର ନାୟକଙ୍କ ସମେତ ପ୍ରଶାସନ ଓ ଜିଲା ପୁଲିସର ବହୁ ଅଧିକାରୀ ଏଥିରେ ଯୋଗଦେଇ ମଶାଲକୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଏକ ସୁସଜ୍ଜିତ ଗାଡ଼ିରେ ଆସିଥିବା ଏହି ବିଜୟ ମଶାଲକୁ ରିଜର୍ଭ ପୁଲିସ ପଡ଼ିଆ ସ୍ଥାୟୀ ମଞ୍ଚରେ କିଛି ସମୟ ରଖଯାଇଥିଲା । ଏକ ଉଚ୍ଛ୍ୱାସିତ ପରିବେଶ ମଧ୍ୟରେ ଏହି ମଶାଲକୁ ସମସ୍ତେ ସ୍ୱାଗତ କରିଥିଲେ । ବାଲେଶ୍ୱର ରିଜର୍ଭ ପୁଲିସର ବ୍ୟାଣ୍ଡ ଟ୍ରୁପ ସମେତ ସଂସ୍କୃତି ବିଭାଗର ଏକାଧିକ ଦଳ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବିଜୟ ମଶାଲକୁ ସ୍ୱାଗତ ତଥା ସମ୍ମାନ ପ୍ରଦର୍ଶନ କରିଥିଲେ । ପୁଲିସର ବ୍ୟାଣ୍ଡବାଜା ସାଙ୍ଗକୁ ଢୋଲ ମାଦଳର ଶବ୍ଦରେ ରିଜର୍ଭ ପଡ଼ିଆ ସମ୍ମୁଖ ରାସ୍ତା ପ୍ରକମ୍ପିତ ହୋଇଥିବା ବେଳେ ରାସ୍ତା ଉପରେ ନୃତ୍ୟଙ୍ଗନାଙ୍କ ପରିବେଶିତ ମନଲୋଭା ନୃତ୍ୟ ସମଗ୍ର ଅଞ୍ଚଳକୁ ବେଶ ଆକର୍ଷଣୀୟ କରିଥିଲା । ଏହି ବିଜୟ ମଶାଲ ଯାତ୍ରା ରିଜର୍ଭ ପଡ଼ିଆରୁ ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ଅଭିମୁଖେ ଯାଇଥିଲା । ଏହି ମଶାଲ ଯାତ୍ରା ଯିବା ବେଳେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇ ପୁଷ୍ପ ବୃଷ୍ଟି କରିଥିଲେ । ଏହି ସ୍ୱର୍ଣ୍ଣିମ ବିଜୟ ମଶାଲ ସ୍ୱାଗତ-ସମ୍ମାନ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୂତାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ଡିଏସପି ମାନସ ଦେଓ, ସଜେଣ୍ଟ ରାଜୀବ ମାର୍ଣ୍ଡି ପରିଚାଳନା କରିଥିଲେ । ପରେ ଏହି ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପରିସରକୁ ନିଆଯାଇଥିଲା । ଏହି ଅବସରରେ ଡିଆରଡିଓ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧ ଉପରେ ପ୍ରସ୍ତୁତ ଏକ କ୍ଷୁଦ୍ର ପ୍ରାମାଣିକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମେତ କାରଗିଲର “ଅପରେସନ ବିଜୟ”, ଜାମ୍ମୁ କାଶ୍ମୀରର ଆତଙ୍କବାଦ ବିରୋଧୀ “ଅପରେସନ ରକ୍ଷକ”, ଗତବର୍ଷ ଗଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷ ଓ ଅପରେସନରେ ଭାଗ ନେଇଥିବା ସେନାନୀ ଏବଂ ଶହୀଦ ହୋଇଥିବା ବୀର ଯବାନ, ବୀର ନାରୀ (ଯୁଦ୍ଧରେ ଶହୀଦ ହୋଇଥିବା ଯବାନଙ୍କ ପତ୍ନୀ)ଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଉତ୍ତର ଓଡିଶାର ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝରର ୩୦ଜଣ ବୀର ଯବାନ ଏବଂ ବୀର ନାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୯୭୧ ଯୁଦ୍ଧରେ ଭାଗ ନେଇଥିବା ମେଜର ଜେନେରାଲ ଆର.କେ.ସାହୁ, ଚାନ୍ଦିପୁର ଆଇଟିଆର ନିର୍ଦ୍ଦେଶକ ଏଚ.କେ.ରଥ, ଚାନ୍ଦିପୁର ପି.ଏକ୍ସ.ଇ. ନିର୍ଦ୍ଦେଶକ ଡି.କେ.ଯୋଶୀ, ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଭବେଶ କୁମାର ନାୟକ, ବାଲେଶ୍ୱର ଷ୍ଟେସନ ହେଡକ୍ୱାର୍ଟର ଏଡିଏମ, କମାଣ୍ଡାଣ୍ଟେ କର୍ଣ୍ଣେଲ ସତୀଶ କୁମାର, ପି.ଏକ୍ସ.ଇ ଅତିରିକ୍ତ ନିର୍ଦ୍ଦେଶକ(ଏମ.ଏ.) କର୍ଣ୍ଣେଲ ସୁମନ କୁମାର ଦତ୍ତ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଲେପଟାଣ୍ଟ କର୍ଣ୍ଣେଲ ଆର. ନାଗର, ଲେପଟାଣ୍ଟ କର୍ଣ୍ଣେଲ ଏସ. ରୋହିଲା, ଲେପଟାଣ୍ଟ କର୍ଣ୍ଣେଲ ଆର.କେ.ବଳ, ଲେପଟାଣ୍ଟ କର୍ଣ୍ଣେଲ ଇମ୍ରାନ ଖାନ, ଲେପଟାଣ୍ଟ କର୍ଣ୍ଣେଲ ବିନୟ ଗମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଏହି ସ୍ୱର୍ଣ୍ଣିମ ବିଜୟ ମଶାଲ ବାଲେଶ୍ୱରରୁ ଜାମସେଦପୁର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୦ ତାରିଖରୁ ଏହି ବିଜୟ ମଶାଲ ଓଡିଶାର ବିଭିନ୍ନ ଜିଲା ପରିକ୍ରମା ପରେ ଶନିବାର ବାଲେଶ୍ୱରରେ ପହଞ୍ଚିଥିଲା ।୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତ ଅଭୂତପୂର୍ବ ବିଜୟ ହାସଲ କରିଥିବା ବେଳେ ଏକ ସ୍ୱାଧୀନ ଦେଶ ଭାବେ ବାଂଲାଦେଶ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ଏହି ଯୁଦ୍ଧର ବିଜୟକୁ ୫୦ ବର୍ଷ ପୂରିଥିବା ବେଳେ କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟଙ୍କ ସହଯୋଗରେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି ।


