ସ୍ୱଳ୍ପ ଶୀତରେ ଚତୁର୍ଦ୍ଧା ବିଗ୍ରହଙ୍କ ଜାମା ଲାଗି ବେଶ

ସନ୍ତୋଷ କୁମାର ଦାଶ

ପୁରୀ ଶ୍ରୀ ମନ୍ଦିର ରେ ଚତୁର୍ଦ୍ଧା ବିଗ୍ରହ ମାନବୀୟ ଲୀଳା କରୁଛନ୍ତି। ବର୍ଷା ଋତୁ ପରେ ଆରମ୍ଭ ହୋଇଥାଏ ଶୀତ ଋତୁ। ପ୍ରଥମେ ପ୍ରଥମେ ଶୀତର ପ୍ରକୋପ ଯେତେ ବେଳେ କମ ଥାଏ ଲୋକମାନେ ଯେପରି ମୋଟା କମ୍ବଳ , ସ୍ବେଟର ବ୍ୟବହାର ନ କରି ପତଳା ଚାଦର ,ଜାମା ପରିଧାନ କରିଥାନ୍ତି । ଠିକ ସେହିପରି ରତ୍ନ ସିଂହାସନ ସ୍ଥ ଶ୍ରୀବିଗ୍ରହ ମାନେ ମାର୍ଗଶୀର କୃଷ୍ଣ ନବମୀ ରୁ ମାର୍ଗଶୀର ଶୁକ୍ଳ ପଞ୍ଚମୀ ଯାଏଁ ଜାମା ପରିଧାନ କରିଥାନ୍ତି। ଏହି ଜାମା ଲାଗି ବେଶ ରେ ଶ୍ରୀଜୀଉ ମାନେ ୩୦ ମୂର୍ତ୍ତି ଅଳଙ୍କାର ପରିଧାନ କରିଥାନ୍ତି। ବସ୍ତ୍ର ଏବଂ ଅଳଙ୍କାର ଜାମା ଲାଗି ବେଶରେ ପ୍ରାଧାନ୍ୟ ଲାଭ କରେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଚାରିପଟେ ଆବୃତ କରେ ବଳା । ଶ୍ରୀଅଙ୍ଗ କୁ ଆବୃତ କରେ ଜାମା ଓ ଫତେଇ। ବାର ଅନୁଯାୟୀ ବସ୍ତ୍ର ର ରଙ୍ଗ ସ୍ଥିର ହୋଇଥାଏ। ଏବଂ ଏହି ସମସ୍ତ ବସ୍ତ୍ର ସେଇ ଗୋଟିଏ ରଙ୍ଗର ହୋଇଥାଏ। ସେଇ ରଙ୍ଗର କନା ମଧ୍ୟ ଚୁଳ ପାଇଁ ବ୍ୟବହୃତ ହୋଇ ଥାଏ। ଚୁଳ ଉପରେ ଶୋଭା ପାଇଥାଏ ସୁବର୍ଣ୍ଣ ଚନ୍ଦ୍ରିକା । ଦେବୀ ସୁଭଦ୍ରା ଙ୍କୁ ଚୂଳ ଲାଗି ହୋଇନଥାଏ। ଦିଅଁମାନଙ୍କ କପାଳରେ ଲାଗିଥାଏ ସୂର୍ଯ୍ୟ ଓ ଚନ୍ଦ୍ର ନାମକ ଦୁଇଟି ଅଳଙ୍କାର। ଚିତା ପାଖେ ଲାଗିଥାଏ ସୁବର୍ଣ୍ଣ ର ତିଳକ । ଶ୍ରୀମୁଖ ବଳା ରେ ଲାଗିଥାଏ ସ୍ୱର୍ଣ୍ଣ ଆଡକାନି । ତା ତଳକୁ ଲାଗିଥାଏ କୁଣ୍ଡଳ । ଦେବୀ ସୁଭଦ୍ରା ଙ୍କ ଚିତା ଉପରେ ଶୋଭା ପାଏ ୨ ଟି ତଦଗୀ । ୩ ଦିଅଁ ଙ୍କ ଅଣ୍ଟାକୁ ବେଷ୍ଟନ କରି ରହେ ଓଡିଆଣି ବା ଅଣ୍ଟା ପଟି। ଏହା ଛଡା ୩ ଦିଅଁ ଗୋଟିଏ ଗୋଟିଏ ହରିଡା ମାଳ ରେ ଅଳଙ୍କୃତ ହୋଇଥାନ୍ତି। ବଡ଼ ଠାକୁର ଏବଂ ମହାପ୍ରଭୁ ଙ୍କ ଶ୍ରୀଭୁଜ ରେ ଶୋଭାପାଏ ନଳିଭୁଜ । ନଳି ଭୁଜର ସମ୍ମଖରେ ବଡ଼ ଠାକୁର ହଳ ଓ ମୁଷଳ ଧାରଣ କରୁଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି। ଧନ୍ୟ ମହାପ୍ରଭୁ। ଧନ୍ୟ ତାଙ୍କର ଲୀଳା।
ଜୟ ଜଗନ୍ନାଥ ସ୍ଵାମୀ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ