ସ୍ୱଳ୍ପ ଶୀତ ରେ ମହାପ୍ରଭୁଙ୍କ ଜାମା ଲାଗି ବେଶ

ନିମାପଡ଼ା, (ସନ୍ତୋଷ ଦାଶ):ବର୍ଷା ଋତୁ ପରେ ଆରମ୍ଭ ହୋଇଯାଇଛି ଶୀତ ଋତୁ। ତେବେ ଏବେ ସେତେ ଶୀତ ଅନୁଭୂତ ହେଉନାହିଁ।ଶୀତର ପ୍ରକୋପ ଯେତେ ବେଳେ କମ ଥାଏ ଲୋକ ଯେପରି ମୋଟା କମ୍ବଳ , ସ୍ବେଟର ବ୍ୟବହାର ନ କରି ପତଳା ଚାଦର ,ଜାମା ପରିଧାନ କରିଥାନ୍ତି । ଠିକ ସେହିପରି ରତ୍ନସିଂହାସନସ୍ଥ ଶ୍ରୀଜୀଉ ମାର୍ଗଶୀର କୃଷ୍ଣ ନବମୀ ରୁ ମାର୍ଗଶୀର ଶୁକ୍ଳ ପଞ୍ଚମୀ ଯାଏଁ ଜାମା ପରିଧାନ କରିଥାନ୍ତି। ମହାପ୍ରଭୂ ଶ୍ରୀଜଗନ୍ନାଥ ଶ୍ରୀ କ୍ଷେତ୍ର ରେ ମାନବୀୟ ଲୀଳା କରୁଥିବାରୁ ସାଧାରଣ ଲୋକ ମାନଙ୍କ ପରି ତାଙ୍କୁ ମଧ୍ୟ ଶୀତ ଅନୁଭୂତ ହୋଇଥାଏ। ତେଣୁ ଶ୍ରୀ ମନ୍ଦିର ରେ ପ୍ରଚଳିତ ହୋଇଛି ଜାମା ଲାଗି ବେଶ।ଏହି ଜାମା ଲାଗି ବେଶ ରେ ଶ୍ରୀଜୀଉମାନେ ୩୦ ମୂର୍ତ୍ତି ଅଳଙ୍କାର ପରିଧାନ କରିଥାନ୍ତି। ବସ୍ତ୍ର ଏବଂ ଅଳଙ୍କାର ଜାମା ଲାଗି ବେଶରେ ପ୍ରାଧାନ୍ୟ ଲାଭ କରେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଚାରିପଟେ ଆବୃତ କରେ ବଳା । ଶ୍ରୀଅଙ୍ଗ କୁ ଆବୃତ କରେ ଜାମା ଓ ଫତେଇ। ବିଭିନ୍ନ ବାର ଅନୁଯାୟୀ ବସ୍ତ୍ର ର ରଙ୍ଗ ସ୍ଥିର ହୋଇଥାଏ। ଏବଂ ଏହି ସମସ୍ତ ବସ୍ତ୍ର ସେଇ ଗୋଟିଏ ରଙ୍ଗର ହୋଇଥାଏ। ସେଇ ରଙ୍ଗର କନା ମଧ୍ୟ ଚୁଳ ପାଇଁ ବ୍ୟବହୃତ ହୋଇଥାଏ। ଚୁଳ ଉପରେ ଶୋଭା ପାଇଥାଏ ସୁବର୍ଣ୍ଣ ଚନ୍ଦ୍ରିକା । ସୁଭଦ୍ରାଙ୍କୁ ଚୂଳ ଲାଗି ହୋଇନଥାଏ। ଦିଅଁମାନଙ୍କ କପାଳରେ ଲାଗିଥାଏ ସୂର୍ଯ୍ୟ ଓ ଚନ୍ଦ୍ର ନାମକ ଦୁଇଟି ଅଳଙ୍କାର। ଚିତା ପାଖେ ଲାଗିଥାଏ ସୁବର୍ଣ୍ଣ ର ତିଳକ । ଶ୍ରୀମୁଖ ବଳା ରେ ଲାଗି ଥାଏ ସ୍ୱର୍ଣ୍ଣ ଆଡକାନି । ତା ତଳକୁ ଲାଗିଥାଏ କୁଣ୍ଡଳ । ଦେବୀ ସୁଭଦ୍ରାଙ୍କ ଚିତା ଉପରେ ଶୋଭାପାଏ ୨ଟି ତଦଗୀ । ୩ ଦିଅଁଙ୍କ ଅଣ୍ଟାକୁ ବେଷ୍ଟନ କରି ରହେ ଓଡିଆଣି ବା ଅଣ୍ଟାପଟି। ଏହାଛଡା ୩ ଦିଅଁ ଗୋଟିଏ ଗୋଟିଏ ହରିଡା ମାଳ ରେ ଅଳଙ୍କୃତ ହୋଇଥାନ୍ତି। ବଡ଼ଠାକୁର ଏବଂ ମହାପ୍ରଭୁ ଙ୍କ ଶ୍ରୀଭୁଜ ରେ ଶୋଭାପାଏ ନଳିଭୁଜ । ନଳି ଭୁଜର ସମ୍ମଖରେ ହଳ ମୁଷଳ ଏବଂ ଶଙ୍ଖ ଚକ୍ର ଶୋଭା ପାଇଥାଏ। ଶ୍ରୀ ଜିୟୁ ମାନଙ୍କ ଜାମା ଲାଗି ବେଶ ମାର୍ଗଶୀର ମାସ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଧନ୍ୟ ମହାପ୍ରଭୂ ଶ୍ରୀ ଜଗନ୍ନାଥ। ଧନ୍ୟ ତାଙ୍କର ଲୀଳା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ