ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଆର୍ଥିକ ସାକ୍ଷରତା ଶିବିର ସ୍ଥାନୀୟ ନୃତ୍ୟ ସଙ୍ଗୀତ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶରେ ଆୟୋଜିତଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରିଣୀ ପ୍ରଜ୍ଞା ମିଶ୍ର ଅଧ୍ୟକ୍ଷତା କରିଥିଲେ । ଲିଡ ବ୍ୟାଙ୍କ ମ୍ୟାନେଜର ସୁଦୀପ କୁମାର ଡାକୁଆ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ୱଳ୍ପ ସଂଚୟର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧିକ ସୁଧ ଲୋଭରେ ପଡ଼ି ଚିଟଫଣ୍ଡ ଅଥବା ଡିଜିଟାଲ ଠକାମୀର ଶିକାର ନହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଭାରତୀୟ ଡାକ ବିଭାଗ ପେମେଣ୍ଟ ବ୍ୟାଙ୍କର ପ୍ରବନ୍ଧକ ଅଭିଷେକ ଶର୍ମା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନଲାଇନରେ ଆର୍ଥିକ କାରବାର ଏବଂ ସାଇବର ଅପରାଧ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆର୍ଥିକ ସାକ୍ଷରତା ପରାମର୍ଶଦାତା ଯୋଗେଶ୍ୱର ପ୍ରଧାନ, ସହ କୋଷାଗାର ଅଧିକାରୀ ରଘୁନାଥ ମୁର୍ମୁ ଓ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଲକ୍ଷ୍ମୀଧର ବେହେରା ପ୍ରମୁଖ ଏଥିରେ ଯୋଗ ଦେଇ ନିଜର କଷ୍ଟ ଅର୍ଜିତ ଧନକୁ ଡାକଘର କିମ୍ବା ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କରେ ଜମା ରଖି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ । ବରିଷ୍ଠ ରାଜସ୍ୱ ସହାୟିକା ସ୍ୱର୍ଣ୍ଣପ୍ରିୟା ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


