ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଜଳଛତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :-ଏପ୍ରିଲ ମାସର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାଲେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଏକ ଜଳଛତ୍ର ସହରର ଆଦର୍ଶ ସହଦେବଖୁଂଟା ଥାନା ସମ୍ମୁଖରେ ଶୁଭାରମ୍ଭ କରାଯାଇଛି । ସଂଗଠନର ଅଧ୍ୟକ୍ଷା ସଂଯୁକ୍ତାରାଣୀ ବେହେରାଙ୍କ ନେତୃତ୍ୱରେ ଏହି ଜଳଛତ୍ର ଆରମ୍ଭ ହୋଇଥିଲା । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ପଥଚାରୀଙ୍କୁ କିଂଚିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଜଳଛତ୍ର ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଥିଲେ । ବାଲେଶ୍ୱର ସହରର ବ୍ୟସ୍ତ ବହୁଳ ଫାଣ୍ଡିଛକ ଦେଇ କଚେରୀକୁ ଯାଉଥିବା ଶତାଧିକ ପଥଚାରୀଙ୍କ ଶୋଷ ମେଂଟାଇବାରେ ଏହା ବେଶ ସହାୟକ ହୋଇପାରିବ ସେ ଆଶା ପ୍ରକାଶ କହିଥିଲେ । ସହରର ବିଭିନ୍ନ ସ୍ଥାନରେ ବାଟୋଇମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଅଧିକରୁ ଅଧିକ ଥଣ୍ଡା ପାନୀୟ ଜଳଯୋଗାଣ ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ସୁଶ୍ରୀ ବେହେରା ମତ ଦେଇଥିଲେ । ସାମାଜିକ କର୍ମୀ ସତ୍ୟେନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଂଗଠନର ପକ୍ଷରୁ ଖୋଲା ଯାଇଥିବା ଜଳଛତ୍ର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ । ପ୍ରଥମ ଦିନରେ ସଂଗଠନ ପକ୍ଷରୁ ପଥଚାରୀମାନଙ୍କୁ ଦହି ସରବତ ଓ ତରଭୁଜ ପ୍ରଦାନ କରାଯାଇଥିଲା । ଗ୍ରୀଷ୍ମ ପ୍ରବାହ ନ କମିବା ପର୍ଯ୍ୟନ୍ତ ନିୟମିତ ଜଳଛତ୍ର ପରିଚାଳନା ଉପରେ ସଂଗଠନର କର୍ମକର୍ତାମାନେ ଗୁତ୍ୱାରୋପ କରିଥିଲେ । ରଜତ କୁମାର ବାରିକ, ଅମିତା ଚାନ୍ଦ, ଛବି ରାଣୀ ମନ୍ତ୍ରୀ, ସବିତା ମହାନ୍ତି, ବିଜୟ କୁମାର ବାରିକ, ଜ୍ୟୋତି ପ୍ରକାଶ ଦେ ଏବଂ ସୌଭାଗିନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ଜ୍ୟୋତିର୍ମୟୀ ଶତପଥୀ ପ୍ରମୁଖ ଏଥିରେ ଉପସ୍ଥିତ ରହି ଜଳଛତ୍ର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


