ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ୱାଧୀନତାର ୭୩ ବର୍ଷ ବିତିଗଲାଣି। ଗ୍ରାମାଞ୍ଚଳର ବିକାଶ କଥା କୁହାଯାଉଥିଲେ ମଧ୍ୟ ଏଭଳି ଏକ ଗ୍ରାମ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ଗାଁ ପାଇଁ ଥିବା ରାସ୍ତାର ମାତ୍ର ୧୦୦ ମିଟର କାମ ହୋଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ସେହି ସମୟରେ ୩ ଲକ୍ଷ ଟଙ୍କା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ମୁଠେ ମଧ୍ୟ ମାଟି ପଡ଼ିନାହିଁ। ଫଳରେ ଯାତାୟତ ପାଇଁ ନାକେଦମ ହୋଇ ପଡ଼ୁଛନ୍ତି ଅଞ୍ଚଳବାସୀ। ଏଭଳି ଏକ ଗ୍ରାମ ହେଉଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ପଞ୍ଚାୟତର ନବଗୁମା ଗ୍ରାମର ଜାମ୍ମୁସାହି। ଉକ୍ତ ଗ୍ରାମରେ ପ୍ରାୟ ୧୬ ପରିବାର ବସବାସ କରିଥାନ୍ତି। ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ କିମ୍ବା ପିଇବା ପାଇଁ ପାଣିର ମଧ୍ୟ କୌଣସି ପ୍ରକାର ସୁବିଧା ନାହିଁ। କେବଳ କାଳରୁ ଏହି ଗ୍ରାମ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଗ୍ରାମର ବରିଷ୍ଠମାନେ। ଗ୍ରାମକୁ ରାସ୍ତାଟିଏ ନିର୍ମାଣ ହୋଇନଥିବା ଯୋଗୁଁ ବାରମ୍ବାର ଦାବିପରେ ପରେ ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ତ୍ରୟଦଶ ଅର୍ଥ କମିଶନଙ୍କ ଦ୍ୱାରା ଗ୍ରାମକୁ ଏକ ପକ୍କାରାସ୍ତାପାଇଁ କରାଯାଇଥିଲା ନିଷ୍ପତି। ଏଥିପାଇଁ ବ୍ୟୟ ବରାଦ ରଖାଯାଇଥିଲା ମାତ୍ର ୩ ଲକ୍ଷ ଟଙ୍କା। ରାସ୍ତାକାମ ନିର୍ମାଣ ହୋଇଥିଲେ ମଧ୍ୟ ମାତ୍ର ୧୦୦ ମିଟର ରାସ୍ତା ନିର୍ମାଣ ପରେ ତାହା ବନ୍ଦ ହୋଇଯାଇ ଥିଲା। ଅର୍ଥର ଅଭାବ ଯୋଗୁଁ ଆଉ କାମ ହୋଇପାରି ନଥିବା ସେହି ସମୟରେ ମଧ୍ୟ କାର୍ଯ୍ୟ ନେଇଥିବା ଠିକାଦାର ରୋକଠୋକ ଭାବେ ଶୁଣାଇ ଦେଇଥିଲେ। ସେହିଦିନ ଠାରୁ ଆଜି ମାଟି ମୁଠାଏ ମଧ୍ୟ ପଡ଼ିନାହିଁ ବୋଲି କହିଛନ୍ତି ଗ୍ରାମର ରଥିଆ ବେହେରା। ରାସ୍ତାଟିଏ ନଥିବା ଯୋଗୁଁ ଜରୁରି ସମୟରେ ଗ୍ରାମର କିଏ ଅସୁସ୍ଥ ହୋଇଗଲେ ଆମ୍ବୁଲାନ୍ସ ଟିଏ ଆସିପାରୁନାହିଁ କି ଗ୍ରାମର କିଏ ମଧ୍ୟ ଯାଇ ପାରୁନାହାନ୍ତି। ବର୍ଷା ହୋଇଗଲେ ଚିନ୍ତା ବଢିଯାଉଛି। ଯେଉଁ ମାଟି ରାସ୍ତାଟିଏ ଅଛି ତାହା ସଂପୂର୍ଣ୍ଣଭାବେ କାଦ ପଚ ପଚରେ ଭର୍ତ୍ତି ହୋଇ ଯାଉଛି। ଗ୍ରାମର କାହାରି ଘରେ ନିଆଁ ଲାଗିଗଲେ ମଧ୍ୟ ଦମକଳ ଆସିପାରିନଥିବା ଯୋଗୁଁ ଗତ ଦିନରେ ଲୋକଙ୍କ ସମ୍ମୁଖରେ ଘର ହୁତୁ ହୁତୁ ହୋଇ ଜଳିଯାଇଥିବାର ଦେଖାଯାଇଛି ବୋଲି କହିଛନ୍ତି ଗ୍ରାମର ଅଧିବାସୀ ମାନେ। ପାଣିର ଅସୁବିଧା ଯୋଗୁଁ ବିଲମାଳ ମଝିରେ ଥିବା ଏକ ଭଙ୍ଗା କୂଅରୁ ପାଣି ବ୍ୟବହାର କରୁଛନ୍ତି ଅଧିବାସୀ ମାନେ। କିନ୍ତୁ କୂଅଟି ବିଲମାଳ ମଝିରେ ଥିବା ଯୋଗୁଁ କୂଅକୁ ଯିବା ପାଇଁ ମଧ୍ୟ ରାସ୍ତା ନାହିଁ। ଫଳରେ ଅଧିକ ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ ମାନେ। ଏହି ବାବଦରେ ଅନେକ ସମୟରେ ଗ୍ରାମବାସୀ ମାନେ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି କିନ୍ତୁ କେବଳ ମିଳିଛି ପ୍ରତିଶୃତି। ଗ୍ରାମକୁ କିଛି ନହେଲେ ମଧ୍ୟ ପକ୍କା ରାସ୍ତା ଟିଏ ଏବଂ ପାଣିପାଇଁ ସୁବିଧା କରିଦେଲେ ଗ୍ରାମବାସୀ ଏକ ପ୍ରକାର ଜୀବନ ବିତାଇ ପାରିଥାନ୍ତେ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ବ୍ରହ୍ମା ବେହେରା, ବିଷ୍ଣୁ ବେହେରା, ପଙ୍କଜ ବେହେରା, କର୍ଣ୍ଣ ବେହେରା ଓ ଅନ୍ୟମାନେ। ଜିଲା ଓ ବ୍ଳକ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ