ସ୍ୱାଧୀନତାର ୭୮ ବର୍ଷ ପରେ’ବି ଗା’କୁ ନାହିଁ ରାସ୍ତା
ସମ୍ବଲପୁର, (ଲିପନ ନାଏକ):ଥରକୁ ଥର ନିର୍ବାଚନ ହେଉଛି । ପ୍ରତି ୫ ବର୍ଷରେ ଶାସନ କଳ ବଦଳୁଛି । ନେତାଙ୍କ ଠାରୁ ଆରମ୍ଭ କରି ଅଧିକାରୀ ବି ବଦଳୁଛନ୍ତି । ସହରୀକରଣ ଯୋଜନାରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାର ଚିତ୍ରପଟ୍ଟ ବି ବଦଳୁଛି । ବଡ଼ବଡ଼ ପ୍ରତିଷ୍ଠାନ, ବଡ଼ବଡ଼ ଅନୁଷ୍ଠାନ ଓ ଉଚ୍ଚାଉଚ୍ଚା ଅଟ୍ଟାଳିକାରେ ରାଜ୍ୟ ରାଜଧାନୀ ଠୁଁ ନେଇ ବିଭିନ୍ନ ସହର ପରିପୂର୍ଣ ହୋଇ ଉଠିଥିବା ବେଳେ ରାସ୍ତାଘାଟ ଓ ଆଲୋକୀ କରଣର ଦୃଶ୍ୟକୁ ଦେଖି ଓଡ଼ିଶା ରାଜ୍ୟର ବିକାଶ ଓ ପ୍ରଗତିକୁ ନେଇ ଆଲୋଚନା ପର୍ଯ୍ଯାଲୋଚନା ବି ହେଉଛି । ହେଲେ ଦୁର୍ଗମ ପାହାଡିଆ ଅଞ୍ଚଳ ସମେତ ବିଭିନ୍ନ ପଛୁଆ ଅଞ୍ଚଳର ଗ୍ରାମାଞ୍ଚଳ ଗୁଡ଼ିକର ବିକାଶ କିପରି ହୋଇଛି ସେ ସମ୍ପର୍କରେ କେହି ଉତ୍ତରଦାୟୀ ନଥିବା ସମ୍ପ୍ରତି ରାଜ୍ଯ ଶାସନ କଳକୁ ହାତେଇ ଆସିଥିବା ସମସ୍ତ ରାଜନୈତିକ ଦଳ ପ୍ରତି ଏକ ଶକ୍ତ ଉପହାସ ପାଲଟିଛି । ଶାସନ କଳାକୁ ହାତୋଉଥିବା ରାଜନୈତିକ ଦଳର ସରକାର ନିଜ ସ୍ଥିତିକୁ ମଜବୁତ ରଖିବା ପାଇଁ ସଦାସର୍ବଦା ଗରିବ ଗୁରୁବାଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ଡିଣ୍ଡିମ ପିଟି ଥାଏ । ହେଲେ ଆଞ୍ଚଳିକ ବିକାଶ ପାଇଁ ଗମନାଗମନ ଏକ ମୁଖ୍ୟ ଆୟୁଧ । ହେଲେ ସ୍ବାଧୀନତାର ୭୮ ବର୍ଷ ପରେବି ଗ୍ରାମକୁ ଖଣ୍ଡେ ରାସ୍ତା ନଥିବା ଭଳି ଲୋକଙ୍କ ଅଭିଯୋଗ ଧିକ୍କାର କରାଇଛି ଓଡ଼ିଶା ଶାସନ କଳାକୁ ହାତେଇ ଆସିଥିବା ସମସ୍ତ ରାଜନୈତିକ ଦଳ ଓ ନେତୃବୃନ୍ଦଙ୍କୁ । ଏହି ଭଳି ଏକ ଅବର୍ଣ୍ଣନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଶିରିଡ଼ ପଞ୍ଚାୟତର ଅମିଲିଚୁଆ ଓ ଭେଡୀକୁଦର ଗ୍ରାମରେ । ପଞ୍ଚାୟତ କାର୍ଯ୍ୟାଳୟରୁ ୫ କିମି ଦୂରରେ ଏହି ଗ୍ରାମ ଗୁଡିକ ରହିଥିବା ବେଳେ ଏହି ଗ୍ରାମକୁ ଅଦ୍ୟାବଧି ଖଣ୍ଡେ ଭଲ ରାସ୍ତା ଯୋଗାଇ ଦେବାପାଇଁ ଅତୀତର କଂଗ୍ରେସ ସରକାର, ଜନତାଦଳ ସରକାର ବା ସଦ୍ଯତମ ଶାସନ କଳରୁ ଉଛେଦ ହୋଇଥିବା ୨୪ ବର୍ଷର ସ୍ବଚ୍ଛ ଓ ନିର୍ମଳ ତଥା ବିକାଶ ଓ ପ୍ରଗତିର ଡିଣ୍ଡିମ ପିଟି ଆସୁଥିବା ବିଜେଡି ସରକାର । ଦେଶ ସ୍ବାଧୀନ ହେବାର ବହୁ ବର୍ଷ ପୂର୍ବରୁ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକେ ଅମିଲିଚୁଆ ଓ ଭେଡୀକୁଦର ଗ୍ରାମରେ ନିଜର ବସତି ସ୍ଥାପନ କରିଥିଲେ । ଚିର ଅବହେଳିତ ଏହି ଦୁଇ ଗ୍ରାମର ଜନସଂଖ୍ୟା ଏବେ ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ରହିଛି । ବଣ ପାହାଡ଼ ଘେରା ଏହି ଗ୍ରାମ ଉପରେ ଭୁଲବଶତଃ ହଠାତ୍ ସରକାରଙ୍କ ନଜର ପଡିଯିବା ଫଳରେ ଗ୍ରାମର ବିକାଶ ଓ ଲୋକଙ୍କ ସମସ୍ୟା ନବୁଝି ଅନୁଗ୍ରହ ପୂର୍ବକ କେବଳ ବିଦ୍ୟୁତ୍ ସଂଯୋଗ ଦେଇ ନିଜ ଦୋଷ ଛଡ଼ାଇ ନେଇଛନ୍ତି । ମାତ୍ର ନିତ୍ଯ ଆବଶ୍ୟକ ଗମନାଗମନ ପାଇଁ ରାସ୍ତା ଅଭାବର ସମାଧାନ ପାଇଁ କୈାଣସି ଗୁରୁତ୍ବ ଦେଇନାହାନ୍ତି । ଫଳରେ ଦୈନନ୍ଦିନ କାର୍ଯ୍ୟ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ବଜାରଘାଟ ପାଇଁ ରାସ୍ତା ଅଭାବରୁ ଗାଁ କଞ୍ଚା ରାସ୍ତାଦେଇ ଯା-ଆସ କରିଥାଆନ୍ତି । ଏପରିକି ଚାଉଳ ଓ ଭତ୍ତା ଗଣ୍ଡାକ ପାଇଁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ ବହୁ କଷ୍ଟରେ ପଞ୍ଚାୟତ କାର୍ଯ୍ଯାଳୟକୁ ଯାଇଥାଆନ୍ତି । କେବଳ ଏତିକିରେ ନୁହେଁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଓ ରୋଗୀଟିଏ ହସ୍ପିଟାଲ ଯିବାକୁ ହେଲେ ବିକଳ୍ପ ନଥିବାରୁ ଏହି କଞ୍ଚା ଜଙ୍ଗଲିଆ ରାସ୍ତା ହିଁ ଭରସା ହୋଇଥାଏ । ଏହି ଅଞ୍ଚଳଟି ବଣ ପାହାଡ଼ ଘେରାରେ ଥିବାରୁ ବିଭିନ୍ନ ସମୟରେ ଯିବା ଆସିବା ବେଳେ ଲୋକେ ହିଂସ୍ର ଜୀବଜନ୍ତୁଙ୍କ ସମ୍ମୁଖୀନ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ସର୍ବନିମ୍ନ ବ୍ଲକ୍ ଓ ପଞ୍ଚାୟତକୁ ଯିବାପାଇଁ ଗୋଟିଏ ଭଲ ରାସ୍ତାଟିଏ ସରକାରଙ୍କ ପକ୍ଷରୁ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ଗୁହାରି କରି କରି ହତାଶ ହେବା ପରେ ଏବେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ସେମାନେ ସେମାନଙ୍କ ସମସ୍ଯା ବଖାଣିଛନ୍ତି । ଗ୍ରାମର ବୟୋଜ୍ୟେଷ୍ଠ ବୃଦ୍ଧ ୭୦ ବର୍ଷିୟ କମଳ ହେମ୍ରମ କୁହନ୍ତି ଯେ’ ଆମେ ଛୁଆଟି ବେଳୁ ଏହି ମାଟି ରାସ୍ତାକୁ ବ୍ୟବହାର କରି ଆସୁଛୁ । କ’ଣ କରିବୁ, ଯେତେ ସରକାର ବଦଳିଛନ୍ତି ସବୁ ସରକାରକୁ ଆମ ରାସ୍ତା ସମସ୍ଯାର ସମଧାନ ପାଇଁ ଜଣାଇ ଆସିଛୁ । ହେଲେ ଆମେ ଗରିବ ଗୁରୁବା, ଆଦିବାସୀ ଜନଜାତିର ହୋଇଥିବାରୁ କୈାଣସି ସରକାର ବା ନେତା ଲୋକ ମାନେ ଆମର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାକୁ ଅଦ୍ୟାବଧି ଗୁରୁତ୍ବ ଦେଇନାହାଁନ୍ତି । ଗ୍ରାମର ଜଣେ ମହିଳା ମନ୍ଦାକିନି ମିଞ୍ଚ କହନ୍ତି ଏହି ଗ୍ରାମରୁ ଏନ ଏଚ ରାସ୍ତାକୁ ପ୍ରାୟ ୫ କିମି ବାଟ ହେଇଯିବ । ବାଧ୍ୟ ହୋଇ ଆମକୁ ଏହି ରାସ୍ତାକୁ ବ୍ୟବହାର କରିବାକୁ ପଡୁଛି l ସେହିପରି ଗ୍ରାମର ଛାତ୍ରୀ ଅର୍ପିତା ମିଞ୍ଚ କହନ୍ତି ଆମେ ଏହି ରାସ୍ତା ଦେଇ ଦୈନନ୍ଦିନ ପଢିବାକୁ ଯାଇଥାଉ ଜଙ୍ଗଲ ରାସ୍ତା ତଥା ଅବଡା ଖାବଡା ରାସ୍ତା ହୋଇଥିବାରୁ ପ୍ରାୟତ ସମୟରେ ଡର ମାଡିଥାଏ ଓ ବର୍ଷା ସମୟରେ ଅନେକ ନାଳ ଡେଇଁ ବର୍ଷା ପାଣି କାଦୁଅରେ ବହୁତ କଷ୍ଟରେ ଯିବା ଆସିବା କରିବାକୁ ବାଧ୍ୟ ହୋଇଥାଉ । ନିକଟରେ କିଛି ଗ୍ରାମବାସୀ ନୂତନ ରାସ୍ତାଟିଏ ପାଇଁ ନୂତନ ସରକାରଙ୍କ ଠାରେ ଗୁହାରି କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ଗ୍ରାମର ରାସ୍ତା ଅଭାବ ନେଇ ଗତ ରବିବାର ରେଙ୍ଗାଳବେଡା ନିବାସୀ ତଥା ବିଜେପି କର୍ମୀ ରିକି ଶର୍ମା ଜାଣିବା ପରେ ୩ କିମି ଦୁର୍ଗମ ଜଙ୍ଗଲିଆ ରାସ୍ତାରେ ଚାଲି ଚାଲି ସମ୍ପୃକ୍ତ ଗ୍ରାମବାସୀଙ୍କୁ ଭେଟିଛନ୍ତି । ଆଲୋଚନା ବେଳେ ରାସ୍ତା ସମସ୍ଯା ସହ ଗ୍ରାମର ଅନ୍ୟାନ୍ୟ ଅସୁବିଧାର ତୁରନ୍ତ ସମାଧାନ କରାଯିବା ନେଇ ଦେଇଛନ୍ତି ପ୍ରତିଶ୍ରୁତି । ଆଗାମୀ ଦିନରେ ଗ୍ରାମବାସୀଙ୍କ ସହ ମିଶି ବିଭିନ୍ନ ଉନ୍ନୟନ ମୂଳକ କାମ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ସେହିଠାରୁ ହିଁ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠୀଙ୍କୁ ଫୋନରେ ରାସ୍ତା ଅଭାବ ସମ୍ପର୍କରେ ଶ୍ରୀ ଶର୍ମା ପଚାରିବାରୁ ବିଡିଓ ଶ୍ରୀ ସେଠୀ ନିଜେ ସେଠାକୁ ଯାଇ ତଦାରଖ କରି ଆଗାମୀ ବର୍ଷା ସମୟ ସୁଦ୍ଧା ରାସ୍ତା ତିଆରି କରିବା ପାଇଁ ଉପରସ୍ତ ଅଧିକାରୀଙ୍କୁ ପ୍ରସ୍ତାବ ଦେବି ବୋଲି କହିଥିଲେ । ଜିଲ୍ଲାପାଳ ତୁରନ୍ତ ଏଭଳି ଅଭାବନୀୟ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି l


