ସ୍ୱାଧୀନତା ଦିବସ ପାଇଁ ଏସ୍.ପିଙ୍କ ସମୀକ୍ଷା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ପର ଠାରୁ ୩୧ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟକ ଶନିବାର ଓ ରବିବାର ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇଛି। ଅଗଷ୍ଟ ୧୫ ତାରିଖରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ପତାକା ଉତ୍ତୋଳନ ବେଳେ ମାତ୍ର ୧୦ ଜଣରୁ ଅଧିକ ଏକତ୍ରିତ ହୋଇ ପାରିବେ ନାହିଁ। କୌଣସି ବ୍ୟକ୍ତି ବିଶେଷ ବା ସଂସ୍ଥା ପ୍ରସାସନ ଏହି ନିୟମକୁ ଉଲଂଘନ କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଭଳି ସ୍ଥଳେ ଫୁଲବାଣୀ ରିଜର୍ଭ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲା ସ୍ତରୀୟ ଜାତୀୟ କାର୍ୟ୍ୟକ୍ରମର ସମୀକ୍ଷା କରିବା ପାଇଁ କନ୍ଧମାଳ ଏସ୍.ପି ଭିନତ୍ ଅଗ୍ରୱାଲା ପଡ଼ିଆକୁ ଗସ୍ତ କରିବା ସହିତ ସ୍ଥିତି ପରକ୍ଷିଥିଲେ। ଏହି ଅବସରରେ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସମଗ୍ର ଜିଲାରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାରେ ୪ ପ୍ଳାଟୁନ୍ ପୁଲିସ୍ ନିୟୋଜିତ କରାଯାଇଛି। ୨ ଟି ଚେକ୍ ପୋଷ୍ଟ ସହିତ ନାକା ପଏଣ୍ଟ ଓ ପୁଲିସ୍ ଥାନା ମାନଙ୍କୁ ଆଲର୍ଟ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ସମଗ୍ର ଜିଲାରେ ଏହି ଜାତୀୟ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବା ପାଇଁ ଉତ୍ତେଜନା ପୂର୍ଣ୍ଣ ଅଞ୍ଚଳ ମାନଙ୍କରେ ଦୃଷ୍ଟି ଦିଆଯାଇଛି ବୋଲି ଏସ୍.ପି ପ୍ରକାଶ କରିଛନ୍ତି। ସମଗ୍ର ଜିଲାରେ କୋଭିଡ଼୍ ନିୟମ ପାଳନ କରି ଶାନ୍ତି ଶୃଙ୍ଖଳାର ସହିତ ପାଳନ ପାଇଁ ମଧ୍ୟ ନିବେଦନ କରାଯାଇଛି।


