ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାମ୍ୟବାଦୀ ନେତା ସ୍ୱର୍ଗତ ଡ. ରବୀନ୍ଦ୍ର ମୋହନ ଦାସଙ୍କ ୧୧୧ତମ ଜୟନ୍ତୀ ଉତ୍ସବ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପୁରୁଣା କ୍ୟାମ୍ପସ ପରିସରରେ ପାଳିତ ହୋଇଯାଇଛି । ରବୀନ୍ଦ୍ର ମୋହନ ଦାସ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ସାମାଜ କଲ୍ୟାଣ କାର୍ଯ୍ୟରେ ସ୍ୱର୍ଗତ ଦାସଙ୍କ ଭଳି ମହାନ ନେତାଙ୍କ ଅବଦାନକୁ ଏ ଜାତି ସର୍ବଦା ମନେ ରଖିବ ବୋଲି ପ୍ରକାଶ କରିଥିଲେ । ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ କେନ୍ଦ୍ର ଶିକ୍ଷା ସଚିବ ଡ. ଅରୁଣ କୁମାର ରଥ, ନୂଆଦିଲୀ ‘ସୋସାଇଟି ଅଫ ଟ୍ରେନିଂ ଏଣ୍ଡ ଡେଭେଲୋପମେଣ୍ଟ’ର କର୍ମକର୍ତ୍ତା ଡ. ଜୀବିତେଶ ରଥ, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳୀପଦ ପଣ୍ଡା, ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ, ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍କାରଯୁକ୍ତ ସମାଜ ନିର୍ମାଣ ଓ ରାଷ୍ଟ୍ର ବିକାଶର ଚିନ୍ତା କେବଳ ରବୀନ୍ଦ୍ର ମୋହନଙ୍କ ଭଳି ନିଃସ୍ୱାର୍ଥପର ବ୍ୟକ୍ତିତ୍ୱ କରିପାରନ୍ତି ବୋଲି କହିଥିଲେ । ତାଙ୍କର ଆଦର୍ଶ ଉତ୍ତର ପିଢ଼ି ପାଇଁ ପ୍ରେରଣା ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବୈଦ୍ୟନାଥ ଷଡଙ୍ଗୀଙ୍କ ‘ଜଣେ ମହାନ ସଂଗ୍ରାମୀଙ୍କ ଜୀବନଗାଥା’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଲେଖକ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ନିଜର ଲେଖକୀୟ ଅନୁଭୂତି ସମ୍ପର୍କରେ ସୂଚନା ଦେଇଥିଲେ । ବର୍ଷୀୟାନ ଶିକ୍ଷାବିତ ଡ. ପ୍ରହ୍ଲାଦ ଚରଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରବୀନ୍ଦ୍ର ମୋହନ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ତଥା ସ୍ୱର୍ଗତ ଦାସଙ୍କ ଜ୍ୟେଷ୍ଠ କନ୍ୟା ସମାଜସେବୀ ଯଶୋଧାରା ଦାସ ପ୍ରାରମ୍ଭିକ ସୂଚନା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅର୍ଚ୍ଚନା ନନ୍ଦୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।