ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଶିଶୁ ଉଦ୍ୟାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପିଲାମାନଙ୍କ ଉପରେ ପାଠ ବୋଝ ନ ହେଉ । ସେମାନଙ୍କର ମନ କିପରି ପ୍ରଫୁଲ୍ଲ ରହିବ, ଉପଯୁକ୍ତ ଭାବେ ସେମାନଙ୍କର ସର୍ବାଙ୍ଗୀନ ବିକାଶ ହେବ ଏଥିପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତି ଚିନ୍ତା କରିବା ଦରକାର । ଶିଶୁମାନଙ୍କର ମାନସିକ ବିକାଶ ସହ ଶାରୀରିକ ବିକାଶ ଜରୁରୀ । ତେଣୁ ପାଠପଢ଼ା ସହ ଖେଳକୁଦ ଓ ମନୋରଞ୍ଜନର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଆଦିବାସୀ ପଲ୍ଲୀ କନ୍ଦଳେଇ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନ ଉଦ୍ଘାଟିତ ହୋଇଯାଇଛି । ପୁରୀ ଜିଲ୍ଲା କାକଟପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପଣ୍ଡିତ ମୁଳି ମିଶ୍ରଙ୍କ ସ୍ମୃତିରେ ଏହି ଶିଶୁ ଉଦ୍ୟାନକୁ ସମର୍ପିତ କରାଯାଇଛି । ଉଦ୍ୟାନଟିରେ ଦୋଳି, ପେଣ୍ଡୁଳମ୍, ଚକ୍ରଦୋଳି ଇତ୍ୟାଦି ପିଲାମାନଙ୍କୁ ଆନନ୍ଦ ଦେବାପରି ବିଭିନ୍ନ ସାମଗ୍ରୀ ରହିଛି । ଏହା ସେମାନଙ୍କ ଶାରୀରିକ ବିକାଶରେ ମଧ୍ୟ ସହାୟକ ହେବ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଏହି ଉଦ୍ଘାଟନ ଉତ୍ସବରେ ସ୍ୱାଧୀନତା ସଂଗ୍ରାମୀଙ୍କ ଜ୍ୟେଷ୍ଠପୁତ୍ର ଭିକାରୀ ମିଶ୍ର, ମା’ ସନ୍ତୋଷୀ ଇଞ୍ଜିନିୟରିଂ ପ୍ରା. ଲିମିଟେଡ଼ର ଉପାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର, ଯଶୋଦା ଏବଂ ବାସୁଦେବ ଟ୍ରେଡ଼ର୍ସର ଉପାଧ୍ୟକ୍ଷ ବିଶ୍ୱଜିତ୍ ବେହେରା, ସାମାଜିକ କର୍ମୀ ବିଶ୍ୱରଞ୍ଜନ ତ୍ରିପାଠୀ, ବିନୋଦ ପରିଡ଼ା, ନିରଞ୍ଜନ ସାହୁ, ଇଂ ବାସୁଦେବ ମିଶ୍ର, ଗୋପୀମୋହନ ପଟ୍ଟନାୟକ, ସନ୍ତୋଷୀ ଜୈନ, ପ୍ରଦୀପ୍ତ ରଞ୍ଜନ ରାଉତ, ତ୍ରିଲୋଚନ ବେଉରା, ବାପିନା ନାୟକ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀ ଏବଂ ପ୍ରଜାପିତା ଈଶ୍ୱରୀୟ ବ୍ରହ୍ମାକୁମାରୀ ବିଶ୍ୱ ବିଦ୍ୟାଳୟର ଭଉଣୀ ସବିତା, ମୋନାଲିସା ପ୍ରମୁଖ ଉପସ୍ଥିତ ଥିଲେ ।


