ସ୍ୱାଧୀନତା ସଂଗ୍ରାମୀ ସମ୍ବର୍ଦ୍ଧିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ସ୍ଥିତ ଶାରଦା ବିଦ୍ୟା ମନ୍ଦିର ଠାରେ ୭୬ତମ ସ୍ୱାଧୀନତା ଦିବସ ସହିତ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଆଚାର୍ଯ୍ୟ ନିର୍ମଳ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗୋଲକ ଚନ୍ଦ୍ର ମହାନ୍ତି, ବାମନ ଚରଣ ଜେନା, ଫକୀର ଚରଣ ଧଳ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ହୋଇସାରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାସହିତ ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ମହାନ୍ତିଙ୍କୁ ଶାରଦା ବିଦ୍ୟାମନ୍ଦିର ପକ୍ଷରୁ ଅତିଥିଗଣ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାରାକାନ୍ତ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସବିତା ରାଉତ, ଦମୟନ୍ତୀ ବେହେରା, ଜ୍ୟୋତିରାଣୀ ରାଉତ, ଲିପିଲତା ସାହୁ, ସନ୍ତୋଷ ପ୍ରଧାନ, ରତ୍ନାକର ରାଉତ ପ୍ରମୁଖ ପରିଚାଳନା କରିଥିଲେ।