ସ୍ୱାଧୀନ ଓ ମୁକ୍ତ ନାରୀ ଉନ୍ନତ ସମାଜର କର୍ଣ୍ଣଧାର
ଭୁବନେଶ୍ୱର : ଆଜିର ଶୀତୁଆ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ଆୟୋଜିତ ମହିଳା, ଶିଶୁ ଅଧିକାର ଓ ଯୁବ ବିକାଶ ସମାବେଶରେ ବିଶିଷ୍ଟବକ୍ତାମାନେ ମତ ରଖିଥିଲେ ଯେ, ସ୍ୱାଧୀନ ଓ ମୁକ୍ତ ନାରୀ ଉନ୍ନତ ସମାଜର କର୍ଣ୍ଣଧାର, ଜାଗ୍ରତ ତଥା ସମାଜ ମନସ୍କ ଯୁବା ରାଷ୍ଟ୍ର ନିର୍ମାଣର ନବ ବିନ୍ଧାଣୀ । ଅତଏବ ମହିଳା ଶକ୍ତିବର୍ଦ୍ଧନ ଓ ଯୁବ ଶିକ୍ଷା ତାଲିମକୁ ଶାସନ, ପ୍ରଶାସନିକ ପ୍ରୋତ୍ସାହନ ସବୁ ଦିଗରୁ ମିଳିବା ଆବଶ୍ୟକ । ‘ଷ୍ଟେଟ୍ ପ୍ରୋଗ୍ରେସିଭ୍ ୱିମେନ୍ସ ଫୋରମ’ ଆନୁକୂଲ୍ୟରେ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସମାବେଶର ସପ୍ତଦଶ ସଂସ୍କରଣରେ ଅତିଥିଭାବେ ଉପସ୍ଥିତ ବହୁ ପ୍ରତିଭାଧାରୀ ବ୍ୟକ୍ତିବିଶେଷ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହସ୍ରାଧିକ ମହିଳା ଓ ଯୁବାଗଣଙ୍କୁ ସମ୍ବୋଧିତ କରିବା ଅବସରରେ କିଛି ମୁଖ୍ୟ ପ୍ରସଙ୍ଗ ସହିତ ଯୋଗ୍ୟ ଓ ସମୟାନୁସାରେ ଉପଦେଶ ଓ ପରାମର୍ଶ ଦେଇଥିଲେ । ମହିଳା ଶକ୍ତି ବିକାଶ, ଶିଶୁ କିଶୋରମାନଙ୍କ ସୁରକ୍ଷା ଓ ଶିକ୍ଷା, ଯୁବାମାନଙ୍କର ରଚନାତ୍ମକ ଦକ୍ଷତାର ସୁଯୋଗ ବୃଦ୍ଧି ପ୍ରମୁଖ ବିଷୟରେ ଆଲୋଚନା କରାଯାଇଥିଲା ।
ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଅନୁଭବ ମହାନ୍ତି ତଥା ତାଙ୍କ ସହଧର୍ମିଣୀ ପ୍ରଖ୍ୟାତ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ବରିଷ୍ଠ ଅଧିବକ୍ତା ମାନସ ମହାପାତ୍ର, ସୂଚନା କମିଶନର ଶଶୀପ୍ରଭା ବିନ୍ଧାଣୀ, ବରିଷ୍ଠ ପତ୍ରକାର ପ୍ରଦୋଷ ପଟ୍ଟନାୟକ, କ୍ଲାପର ଅଧ୍ୟକ୍ଷ ତଥା ବିଶିଷ୍ଟ ଆଇନ୍ଜୀବି ଡଃ ବିକାଶ ଦାସ, ଦାର୍ଶନିକ ଡଃ ଅନନ୍ତ ଗିରି, ଯୁବା ଗବେଷିକା ସୁମନ ଭଟ୍ଟାଚାର୍ଯ୍ୟ, କର୍ପୋରେଟର ଅମରେଶ ଜେନା, ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ପ୍ରତିଭାବନ୍ତ ଶିଶୁ ଶ୍ରୀୟା ସମୀକ୍ଷା ଧଳ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।