ସ୍ୱାଭିମାନର ପ୍ରତୀକ ଉକ୍ରଳ ଗୌରବ

ଦଶପଲ୍ଲା (ଯୁଗାବ୍ଦ ନ୍ୟୁଜ୍): ଓଡ଼ିଆ ସ୍ୱାଭିମାନର ପ୍ରତୀକ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଜନକ ଉକ୍ରଳ ଗୌରବ ମଧୁସୂଦନ । ଯାହାଙ୍କ ହୃଦୟ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶା ଦେଖିଲେ କାନ୍ଦି ଉଠିବା ସହିତ ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍ମୃତିକ ବିକାଶଧାରାକୁ ତ୍ୱରାନ୍ୱିତ କରି ଯେଉଁ ଆଲୋକବର୍ତ୍ତିକା ଛାଡି ଯାଇଛନ୍ତି ତାହା ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅନୁସରଣୀୟ ହୋଇ ରହିବା ଆବଶ୍ୟକ । କେବଳ ଯେ ସେତିକି ନୁହେଁ ମଧୁବାବୁ ବିଦେଶ ଯିବାରେ ପ୍ରଥମ ଓଡିଆ, ପ୍ରଥମ ବିଧାୟକ ଓ ମନ୍ତ୍ରୀ, ବି.ଏ ଡିଗ୍ରୀ ହାସଲ କରିବାରେ ପ୍ରଥମ ଓଡ଼ିଆ ଏବଂ ପ୍ରଥମ ଓଡିଆ ଏମ୍.ଏ, ବିଏଲ୍ । ସେ ମଧ୍ୟ ଓଡିଆ, ବଙ୍ଗଳୀ ଓ ଇଂରାଜୀ ଭାଷାରେ ଥିଲେ ଓଜସ୍ୱିନୀ ବକ୍ତା ବୋଲି ଆଜି ସ୍ଥାନୀୟ ସାତପାଟଣାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଆୟୋଜିତ ସ୍ୱାଭିମାନ ଦିବସ ଅବସରରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆବାହକ ରାଜେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗ ଦେଇଥିଲେ । ଦଶପଲ୍ଲା ପ୍ରେସ୍ କ୍ଲବ ସଭାପତି ସୁରେଶ କୁମାର ମିଶ୍ର, ସମାଜସେବୀ ପ୍ରସନ୍ନ କୁମାର ପଣ୍ଡା, ନାରାୟଣ ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ ଶତପଥି, ଶିକ୍ଷକ ଲିଙ୍ଗରାଜ ପାଣି, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରାଣକୃଷ୍ଣ ବେହେରା, ଆଇନଜୀବୀ ଶରତ ବେହେରା ଓ ଅନୁଷ୍ଠାନ ପ୍ରଧାନାଚାର୍ଯ୍ୟା ଲିପିକା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜି ଓ ଗୁରୁମା ସହଯୋଗ କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବାଦ ଓ ଆମ ଓଡ଼ିଶାର ପ୍ରତିନିଧି ପ୍ରଫୁଲ୍ଲ କୁମାର ପଣ୍ଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ