ସ୍ୱାମୀଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପତ୍ନୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ୧ ଜୁନ୍ ରେ ଜଗତସିଂହପୁର ବିଧାନସଭା ଓ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁ ଗୁଡିକରେ ପୋଷ୍ଟର, ବ୍ୟାନର ଛାଇ ହୋଇଥିବା ବେଳେ ନେତା ଓ କର୍ମୀଙ୍କର ଗହଳି ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରାର୍ଥୀମାନେ ନିଜସ୍ୱ ତରିକାରେ ଭୋଟ ଭିକ୍ଷା କରିବାରେ ଲାଗି ପଡିଛନ୍ତି । କଂଗ୍ରେସ ଦଳ ଛାଡି ଚିରଂଜୀବ ବିଶ୍ୱାଳ ବିଜେଡିରେ ମିଶିବା ପରେ ବିଜେଡି ଶିବିରରେ ଉତ୍ସାହ ବୃଦ୍ଧି ପାଇବା ଦେଖାଦେଇଛି । ବିଜେଡି ପାଇଁ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ଚିରଂଜୀବ ଉଭୟ ମିଶି ପ୍ରଚାର କରୁଥିବା ଦେଖା ଦେଇଛି । ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ପାଥେୟ କରି ବିଜେଡି ପକ୍ଷରୁ ପ୍ରଚାର ଜାରି ରହିଥିବା ଦେଖାଦେଇଛି । ଅପରପକ୍ଷେ ଦୀର୍ଘଦିନ ଧରି ବିଜେଡିରେ ଟିକେଟ ଆଶାୟୀ ଥିବା ଅମରେନ୍ଦ୍ର ଦାସ ଟିକେଟ ନପାଇ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଜେପି ଦଳରୁ ବିଧାନସଭା ପ୍ରାର୍ଥୀ ଭାବେ ଦାସ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଅମରେନ୍ଦ୍ରଙ୍କ ପାଇଁ ପତ୍ନୀ ମଧୁସ୍ମିତା ନାୟକ ଅଂଟା ଭିଡିଥିବା ଦେଖାଦେଇଛି । ମଧୁସ୍ମିତା ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ଘରକୁ ଘର ବୁଲି ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ମଧୁସ୍ମିତା ଗାଁରେ ବୁଲିବା ଦ୍ୱାରା କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ବଢୁଥିବା ପରିଲକ୍ଷିତ ହେଉଛି । ଏପରିକି ସ୍ୱତଃପ୍ରୋତଃ ଭାବେ କର୍ମିମାନେ ତାଙ୍କ ସହିତ ବୁଲୁଥିବା ଦେଖିବାକୁ ମିଳିଛି । ମଧୁସ୍ମିତାଙ୍କ ଶାଶୁଘର ଜଗତସିଂହପୁର ହୋଇଥିବା ବେଳେ ନାଉଗାଁ ବ୍ଳକରେ ତାଙ୍କ ବାପ ଘର ଅଟେ । ତାଙ୍କର ଅନେକ ସଂପର୍କୀୟଙ୍କ ଘର ଏହି ବ୍ଳକରେ ରହିଛି । ନିଜ ଅଂଚଳର ଝିଅ ଓ ଜିଲ୍ଲାର ବୋହୁ ହିସାବରେ ସେ ସ୍ୱାମୀ ଅମରେନ୍ଦ୍ରଙ୍କ ପାଇଁ ଅଧିକରୁ ଅଧିକ ଭୋଟ ସଂଗ୍ରହ କରିବାକୁ ସକ୍ଷମ ହେବେ ବୋଲି ଆଶା ରଖିଛନ୍ତି । ମୋଦୀଙ୍କ ଜନହିତକର ଯୋଜନାକୁ ପାଥେୟ କରି ମଧୁସ୍ମିତା ଭୋଟ ଭିକ୍ଷା କରୁଥିବା ଜଣାଯାଇଛି ।