ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ନଦେଲେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗତ ୨୦୦୮ରେ କନ୍ଧମାଳରେ ଘଟିଥିବା ସନ୍ଥ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଉଚିତ ଦଣ୍ଡ ବିଧାନ କରାନଗଲେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମିଡିଆ ସେଲ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ପକ୍ଷରୁ ଆୟୋଜିତ‘୧୨ବର୍ଷ ପରେବି ରହସ୍ୟାବୃତ ସ୍ୱାମୀଜୀଙ୍କ ହତ୍ୟା’ ଶୀର୍ଷକ ୱେବିନାରରେ ଯୋଗଦେଇ ବକ୍ତାମାନେ ନାଇଡୁ କମିଶନରଙ୍କ ରିପୋର୍ଟ ପ୍ରକାଶ ପାଇଁ ଦାବି କରିଛନ୍ତି । ଏହି ଆଲୋଚନାରେ ହତ୍ୟା ଘଟଣା ସହ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ବିଚାର ପରିସରକୁ ଅଣାଯାଇ ନଥିବା ଅଭିଯୋଗ ଉଠିିଥିଲା । ଏହି ଘଟଣା ପଛରେ ରହିଥିବା ଅସଲ ଦୋଷୀମାନଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ପ୍ରକାର ଅଭିସନ୍ଧି ମୂଳକ ଯୋଜନାରେ କାର୍ଯ୍ୟ କରୁଛନ୍ତି । ଯେଉଁ ନକ୍ସଲମାନେ ଏଥିରେ ସଂପୃକ୍ତ ବୋଲି ସେତେବେଳେ କୁହାଯାଉଥିଲା ସେମାନଙ୍କୁ ବିଚାର ବିଭାଗୀୟ ତଦନ୍ତ ପରିସରକୁ ଅଣାଯାଇନଥିଲା । ତେବେ କନ୍ଧମାଳରେ ଦୀର୍ଘଦିନ ଧରି ଚାଲି ଆସୁଥିବା ଧର୍ମାନ୍ତରଣକୁ ଅତି ପ୍ରଚଣ୍ଡ ଭାବେ ବିରୋଧ କରୁଥିବା ସନ୍ଥ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହଟାଇବା ପାଇଁ ଅତୀତରେ ଦେଶ ବିରୋଧୀ ଶକ୍ତିମାନେ ଏକାଧିକବାର ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏସବୁକୁ ନଜର ଅନ୍ଦାଜ କରି ଯେପରି ୧୨ ବର୍ଷଧରି ସରକାର ଏହି ମାମଲାକୁ ଗୋଳେଇ ଘାଂଟି ଜନସାଧାରଣଙ୍କ ଦୃଷ୍ଟି ଏଡାଇବା ପାଇଁ କାର୍ଯ୍ୟ କରି ଆସୁଛନ୍ତି ତାହା ନିନ୍ଦନୀୟ । ସ୍ୱାମୀଜୀଙ୍କ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ କରିଥିବା ଜଷ୍ଟିସ ନାଇଡୁ କମିଶନଙ୍କ ପ୍ରଦତ ରିପୋର୍ଟକୁ ରାଜ୍ୟ ସରକାର ସର୍ବ ସାଧାରଣରେ ପ୍ରକାଶ କରିବାକୁ ବକ୍ତାମାନେ ଦାବି କରିଛନ୍ତି ।
ବରିଷ୍ଠ ସ୍ତମ୍ଭଲେଖକ ସୌମେନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ୱେବିନାରରେ ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ପ୍ରକାଶ ମିଶ୍ର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରକୁ ନେଇ ଗଠିତ ପୂର୍ବକ୍ଷେତ୍ରର କ୍ଷେତ୍ର କାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର, ହିନ୍ଦୁଜାଗରଣ ସାମ୍ମୁଖ୍ୟ ପୂର୍ବ ଓଡିଶାର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନ୍ଜୀବୀ ଅଜିତ କୁମାର ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ ।