ସ୍ୱାମୀ ପରିତ୍ୟକ୍ତା ପାଉନାହାନ୍ତି ଭତ୍ତା ଛେନାପାଣି ଘିଅ ବିକି ପେଟ ପୋଷୁଛନ୍ତି ଲକ୍ଷ୍ମୀ

ବାରିକପୁର,(ଓ୍ବାଇଏନ୍ଏସ୍): ନାଁଟା ସୀନା ଲକ୍ଷ୍ମୀ ହେଲେ ଦୀର୍ଘଦିନ ହେବ ସତେ ଯେମିତି ତାଙ୍କ ପାଖରୁ ଲକ୍ଷ୍ମୀ ଚାଲିଯାଇଛି । ବୟସର ଅପରାହ୍ନରେ ଗାଁଗାଁ ବୁଲି ପେଟପୋଷୁଛନ୍ତି ଲକ୍ଷ୍ମୀ । ସୂଚନା ଅନୁଯାୟୀ ନଗୁଆଁ ପଞ୍ଚାୟତ ବାହାଦଲରପୁର ଗ୍ରାମର ଲକ୍ଷ୍ମୀ ସାହାଣୀ(୬୦) ଦୀର୍ଘଦିନ ହେବ ସ୍ୱାମୀ ପରିତ୍ୟକ୍ତା । ଅନେକ ବର୍ଷ ପୂର୍ବରୁ ବାପା ମା ବଞ୍ଚିଥିବାବେଳେ ଲକ୍ଷ୍ମୀ ନିକଟ ଜଳମଣ୍ଡୁଆ ଗ୍ରାମରେ ବିବାହ କରିଥିଲେ । ଲକ୍ଷ୍ମୀଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିଲେ । ଏହାପରେ ସରଳା ଲକ୍ଷ୍ମୀ ଛୋଟ କନ୍ୟା ସନ୍ତାନକୁ ଧରି ବାପ ଘର ବାହାଦଲପୁରକୁ ପଳାଇ ଆସିଥିଲା । ଇତିମଧ୍ୟରେ ବାପା ମାଆଙ୍କର ସ୍ୱର୍ଗାବାସ ହେବାପରେ ଘରଜ୍ୱାଇଁଆ ଭାବେ ଥିବା ଲକ୍ଷ୍ମୀ ତାଙ୍କ ବଡଭଉଣୀ ପାଖରେ ରହିଥିଲେ । ସମୟକ୍ରମେ ଭଉଣୀ ତାଙ୍କୁ ଅଲଗା କରିଦେବାରୁ ସେ ଝିଅକୁ ଧରି ଏକ ଭଡାଘରେ ରହି ସ୍କୁଲରେ ରୋଷେଇ ଓ ଏଣେତେଣେ କାମଧନ୍ଦା କରି ଚଳୁଥିଲେ । ଝିଅ ବଡହେବାରୁ ତାକୁ ବିବାହ ଦେଇସାରିବା ପରେ ପୈତୃକ ଜାଗାରେ ଘର ଖଣ୍ଡିଏ କରି ସେଠି ରହିବା ପାଇଁ ଚାହିଁଥିଲେ ସୁଦ୍ଧା ବଡଭଉଣୀ କିନ୍ତୁ ରଖାଇଦେଇନଥିଲା । ନିୟମ ଦୃଷ୍ଟିରୁ ବାପାର ସମ୍ପତ୍ତିର ଅଧା ଅଧିକାର ଥିଲେ ସୁଦ୍ଧା ସେଥିରୁ ତାହାକୁ ବଞ୍ଚିତ କରାଯାଇଥିଲା । ସରକାରୀ ଭାବେ ତାଙ୍କୁ କେବଳ ଚାଉଳ ଗଣ୍ଡିଏ ମିଳୁଥିବାବେଳେ ବୟସ ହୋଇନଥିବା କହି ପ୍ରଶାସନ ତାଙ୍କୁ ଭତ୍ତା ଖଣ୍ଡିଏ ଦେଉନାହିଁ । ଏପରିକି ସ୍ୱମୀ ପରିତ୍ୟକ୍ତା ନିୟମା ଆଧାରରେ ସେ ଭତ୍ତା ପାଇବାବାଧ୍ୟତାମୂଳକ ଥିଲେ ସୁଦ୍ଧା କେହି ତାହା କଥା ଶୁଣିନାହାଁନ୍ତି । ଶେଷରେ ପେଟ ଚାଖଣ୍ଡକ ପାଇଁ ଲକ୍ଷ୍ମୀ ଏବେ କଲିକତାରୁ ଆସୁଥିବା ଦହିପାଣି ଘିଅ ଓ ଧୂପ ବିକୁଛନ୍ତି । ଘରୁ ଭଉଣୀ ବିତାଡିତ କରିବା ପରେ ଭଦ୍ରକ ସ୍ଥିତ ଝିଅ ଘରେ ରହି ଦୈନନ୍ଦିନ ଭଣ୍ଡାରିପୋଖରୀ ଆସୁଛନ୍ତି । ସେଠାରୁ ନିକଟ ଦକ୍ଷିଣବାଡ, ପାଳଦା, କହରାପୋଖରୀ, ବଣସାହି, ନଗୁଆଁ , ଉତ୍ତରବାଡ, ଚନ୍ଦ୍ରଭାନୂପୁର ପ୍ରମୁଖ ଗାଁକୁ ଗାଁ ବୁଲି ଘିଅ ସହିତ ଧୂପ ବିକି ଦୁଇ ପଇସା ରୋଜଗାର କରୁଛନ୍ତି । କେଉଁଦିନ ଶହେ ତ ପୁଣି କେଉଁ ଦିନ ଦେଢଶହ ଟଙ୍କା ଲାଭ ହେଲେ ଲକ୍ଷ୍ମୀ ଏଥିରେ ଖୁସି ହୋଇଯାଉଛନ୍ତି । ଏକଦମ ସରଳ ବିଶ୍ୱାସୀ ଓ ନିଷ୍ପଟ ପୌଢା ଲକ୍ଷ୍ମୀଙ୍କୁ ଦେଖିଲେ ସତେ ଯେମିତି ତାଙ୍କ ଜୀବନରେ କୌଣସି ଦୁଃଖ ନାହିଁ ବୋଲି ଜଣାପଡୁଛି । କିନ୍ତୁ ପ୍ରକୃତ ପକ୍ଷେ ହୃଦୟରେ ଅସୁମାରି କୋହକୁ ଚାପିଧରି ସେ ଆଜି ଗାଁଗାଁ ବୁଲି ପେଟ ଚାଖଣ୍ଡକ ପାଇଁ ଦହିପାଣି ଘିଅ ଓ ଧୂପ ବିକୁଛନ୍ତି । ଏଭଳି ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ସହଯୋଗ ମିଳିପାରିଲେ ପରିଣତ ବୟସରେ ସେମାନଙ୍କ ମୁହଁରେ ହସଫୁଟିବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ