ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବର୍ଷିକୀ ଓ ଜନ୍ମାଷ୍ଟମୀ ପାଳିତ: କଡା ସୁରକ୍ଷା ବ୍ୟବସ୍ଥା 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀକୁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବଳିଦାନ ଦିବସ ଭାବେ ପାଳନ କରାଯାଇଛି । ଏଥିପାଇଁ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଜଲେଶପଟ୍ଟା ସ୍ଥିତ ସଂସ୍କୃତ କନ୍ୟାଶ୍ରମ ଓ ଚକାପାଦଠାରେ ଥିବା ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମ ପରିସର ଚଳଚଞ୍ଚଳ ହୋଇଉଠିଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଜନ୍ମାଷ୍ଟମୀ ସହ ସ୍ବାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପଡ଼ୁଛି। ଏହାକୁ ଦୃଷ୍ଟିରେ ଜଲେଶପଟ୍ଟା ଆଶ୍ରମରେ ବ୍ୟାପକ ସୁରକ୍ଷା  ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ସାଙ୍ଗକୁ ସମସ୍ତ ସାମଗ୍ରୀକୁ ସଫାସୁତରା ସହ ସାଜସଜ୍ଜା କରାଯାଇଥିଲା । କୋଭିଡ୍ କଟକଣା ଅନୁସାରେ ସମସ୍ତ ରୀତିନୀତି ପାଳନ କରାଯାଇଛି l ସକାଳୁ ସକାଳୁ କନ୍ୟାମାନେ ପୁଣ୍ୟପୀଠ ବାବା ଜଳେଶ୍ୱର ମନ୍ଦିର ନିକଟ ରାହୁଲ ନଦୀରୁ ଜଳ ଆଣି କଳସ ଶୋଭାଯାତ୍ରା କରିଥିଲେ । ଏହାପରେ ସ୍ୱାମୀଜିଙ୍କ ପ୍ରତିମୂର୍ତ୍ତିରେ ଜଳାଭିଷେକ କରାଯାଇଥିଲା। ହରିନାମ ସଂକୀର୍ତ୍ତନ କରି କଳସ ଶୋଭାଯାତ୍ରା ଗୀତାଜ୍ଞାନ ଗୋ ପୂଜନ ହୋମ ଯଜ୍ଞ ଓ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପୂଜାର୍ଚନା କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମର ସନ୍ଧ୍ୟା ରେ ଆୟୋଜିତ ସ୍ମୁତି ସଭାରେ ସ୍ବାମୀ ଜୀବନାମୁକ୍ତାନନ୍ଦ ପୁରୀ ମହାରାଜଙ୍କ ସମେତ ସାଧୁସନ୍ଥ ଓ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ଏବଂ ଅନୁଗାମୀ ମାନେ ଯୋଗ ଦେଇଥିଲେ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଶ୍ରମ ଦେଇ ଯାଉଥିବା ସମସ୍ତ ଯାନବାହନକୁ ଯାଞ୍ଚ କରିବା  ସହ ଆଶ୍ରମ ପରିସରକୁ ଯିବାଆସିବା କରୁଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଛି। ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୁରକ୍ଷା ତଦାରଖ ଦାୟିତ୍ବରେ ଦୁଇଜଣ ଡିଏସପି ରାଙ୍କ ଅଫିସରଙ୍କୁ ନିୟୋଜିତ କରାଯାଇଛି। ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଓ ଆଶ୍ରମ କର୍ମକତ୍ତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ସେହିପରି ଚକାପାଦଠାରେ ଥିବା ସ୍ବାମୀଜୀଙ୍କ ଆଶ୍ରମ ପରିସରରେ ଚକାପାଦ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଅତିରିକ୍ତ ଆରକ୍ଷୀ ବିପିନ ବିହାରୀ ବେହେରା ଓ ଘୁ.ଉଦୟଗିରି ଏସ୍‌ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ସୂଚନାଥାଉକି, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ରାତିରେ ଆତତାୟୀ ମାନେ ଆଶ୍ରମ ପରିସରରେ ପଶି ଅତି ନିର୍ମମ ଭାବେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କ ଚାରିସାଥୀଙ୍କୁ ହତ୍ୟା କରିଥିଲେ। ସେହିଦିନ ଠାରୁ ଆଶ୍ରମ ପରିସରରେ ସ୍ବାମୀଜୀଙ୍କ ଅନୁଗାମୀ ମାନେ ବଳିଦାନ ଦିବସ ପାଳିତ କରିଆସୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ