ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ୫୬ତମ ମହାପ୍ରୟାଣ ଦିବସ ପାଳିତ

ବ୍ରହ୍ମପୁର : ଦିବ୍ୟ ଜୀବନ ସଂଘ, ନାରାୟଣପୁର ଶାଖା ଦ୍ୱାରା ସଦ୍ଗୁରୁ ଭଗବାନ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ୫୬ତମ ମହାପ୍ରୟାଣ (ସମାଧି) ଦିବସ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱମୀ ଗୁରୁଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଗତ ଗୁରୁ ପୂର୍ଣ୍ଣିମା ଠାରୁ ନବ ଦିନ ବ୍ୟାପି ପ୍ରତ୍ୟେକ ଦିନ ୫୬ ପ୍ରକାର ଭୋଗ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ମହାସମାରୋହରେ ପାଳନ କରାଯାଇଛି । ୧୯୬୩ ମସିହା ଜୁଲାଇ ୧୪ ତାରିଖ ତିଥି ଅନୁସାରେ ଶ୍ରାବଣ ମାସ କୃଷ୍ଣ ପକ୍ଷ ନବମୀ ତିଥିରେ ରାତ୍ର ଘ.୧୧.୧୫ ମି. ସମୟରେ ଭଗବାନ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଇହଲୋକରୁ ପରଲୋକକୁ ଗମନ କରିଥିଲେ । ସେହି ଦିନ ଠାରୁ ପ୍ରତ୍ୟେକ ବର୍ଷ ଏହି ଦିବସକୁ ତାଙ୍କରି ମହାପ୍ରୟାଣ ଦିବସ ରୂପେ ପାଳନ କରାଯାଉଛି । ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଜଣେ ଜୀବନ୍ମୁକ୍ତ ସନ୍ଥ ଥିଲେ । ସେ ୧୨ ବର୍ଷ ଋଷିକେଶରେ ମା’ ଗଙ୍ଗାଙ୍କ ତଟରେ ଅବସ୍ଥାନ କରି କଠୋର ତପସ୍ୟା କରି କୃଷ୍ଣ ଭଗବାନଙ୍କ ସାନିଧ୍ୟ ଲାଭ କରିଥିଲେ । ସେ ସତ୍ୟ ସନାତନ ଧର୍ମକୁ ବଞ୍ଚାଇ ରଖିବା ସହ ଯୁବ ପିଢ଼ୀମାନଙ୍କର ପଥ ପ୍ରଦର୍ଶକ ହେବା ନିମନ୍ତେ ୩୦୦ ରୁ ଉଦ୍ଧ୍ୱର୍ ଗ୍ରନ୍ଥ ରଚନା କରିଥିଲେ । ତାଙ୍କ ଦ୍ୱାରା ଅନେକ ଶିଷ୍ୟ ମନ୍ତ୍ର ଦୀକ୍ଷା ନେଇ ସାରା ବିଶ୍ୱରେ ସତ୍ୟ ସନାତନ ଧର୍ମର ପ୍ରସାର ପ୍ରଚାର ସହ ସମ୍ବାଦ ସନ୍ଦେଶ ଘରେ ଘରେ ପହଞ୍ଚାଇବା ଏବଂ ସାଧନା ଦ୍ୱାରା ଈଶ୍ୱର ସାକ୍ଷାତ୍କାର ପ୍ରାପ୍ତି ନିମନ୍ତେ ସାଧନା ମାର୍ଗ ପ୍ରବର୍ତ୍ତାଇବା କାର୍ଯ୍ୟରେ ଲିପ୍ତ ରହିଛନ୍ତି । ତାଙ୍କର ମୂଳ ମନ୍ତ୍ର ଥିଲା- “ଭଲ ହୁଅ, ଭଲ କର” । ସେବା, ପ୍ରେମ,ପବିତ୍ରତା ଓ ମୁକ୍ତି ତାଙ୍କର ଜୀବନର ମୂଳ ଲକ୍ଷ୍ୟ ଥିଲା । କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ବରିଷ୍ଠ ଗୁରୁଭାଇ ଅରୁଣ କୁମାର ରଥ, ପୁରୁଷୋତ୍ତମ ତିଆଡ଼ି, ସଭାପତି ପି.ଭୀମେୟା ରେଡ୍ଡି, ପୂର୍ବତନ ସମ୍ପାଦକ ଆର. କ୍ରିଷ୍ଣା ରେଡ୍ଡି, ଭରତ ପଣ୍ଡା, ପରମାନନ୍ଦ ରେଡ୍ଡି, ଗୋପାଳ କୃଷ୍ଣ ପଣ୍ଡା, କୋଷାଧ୍ୟକ୍ଷ ଭାସ୍କର ବେହେରା, ସମ୍ପାଦକ ଏନ୍. ସିମାଦ୍ରୀଙ୍କ ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ବିଭୂକୃପା ଲାଭ କରିଥିଲେ । ଶେଷରେ ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ