ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ଅନଶନକାରୀଙ୍କୁ ଡାକ୍ତରଖାନା ନେଲା ପୋଲିସ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ତହସିଲ ସମ୍ମୁଖରେ ଗତ ଫେବୃଆରୀ ୧୭ ତାରିଖରୁ ଟିଲୋ କଣ୍ଟାପଡା ଗ୍ରାମର ତଥା ଟିଲୋ ପଞ୍ଚାୟତର ସମିତି ସଭ୍ୟା ସୁପ୍ରଭା ଦାସ ଜାତିଗତ ପ୍ରମାଣ ପତ୍ର ପାଇବା ଦାବୀରେ ଧାରଣା ଦେବା ପରେ ମଂଗଳବାର ଠାରୁ ପରିବାରବର୍ଗଙ୍କ ସମେତ ଆମରଣ ଅନଶନ କରିଥିଲେ । କିନ୍ତୁ ଦୀର୍ଘ ୧୫ ଦିନ ପରେ ମଂଗଳବାର ଜିଲା ମଂଗଳ ଅଧିକାରୀ ଧାରଣା ସ୍ଥଳରେ ପହଞ୍ôଚ ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଅନଶନ ଜାରି ରହିଥିଲା । ବୁଧବାର ସକାଳ ୯ଟା ବେଳେ ଅନଶନକାରୀ ସୁପ୍ରଭା ଓ ତାଙ୍କ ମାଆ ଦମୟନ୍ତୀ ଅସୁସ୍ଥ ହୋଇପଡିବାରୁ ବନ୍ତ ପୋଲିସ ତାଙ୍କୁ ଥାନା ଗାଡିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ପରେ ଦିନ ୨ଟା ବେଳେ ଅନଶନ ସ୍ଥଳରେ ବସିଥିବା ସୁପ୍ରଭାଙ୍କ ବାପ ଶ୍ୟାମ ସୁନ୍ଦର ଦାସ ଓ ତାଙ୍କ ବୋହୁଙ୍କୁ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କହି ଗାଡିରେ ବସାଇ ଡାକ୍ତରଖାନାକୁ ନେଇଯାଇଥିଲେ । ପ୍ରକାଶ ଥାଉକି, ଗତ ୧୭ ଦିନ ଧରି ସୁପ୍ରଭା ଓ ତାଙ୍କ ପରିବାରବର୍ଗ ଧାରଣା ଓ ଅନଶନରେ ବସିଥିବା ବେଳେ ତହସିଲଦାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପରେ ଜିଲା ପ୍ରଶାସନର ଅଧିକାରୀ ମାନେ ଆସିଥିଲେ ମଧ୍ୟ ଅନଶନକାରୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇନଥିଲେ ।