ସ୍ୱାସ୍ଥ୍ୟବିଭାଗ ଛଟେଇ କର୍ମଚାରୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ ପୁନଃ ନିଯୁକ୍ତି ନହେଲେ ଏପ୍ରିଲ ୨୬ରୁ ପୁଣି ଆନ୍ଦୋଳନ ଚେତାଵନୀ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ନିୟୋଜିତ ହୋଇଥିବା ୩୭ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ଛଟେଇ କରିବା ପରେ ଏହାର ପ୍ରତିବାଦରେ ଗତ ଫେବୃଆରୀ ମାସ ୧୨ ତାରିଖରୁ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେଇଥିବା ଛଟେଇ କର୍ମଚାରୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ ହୋଇଛି । ଆସନ୍ତା ଏପ୍ରିଲ ୨୬ ତାରିଖ ସୁଦ୍ଧା ଯଦି ସରକାର ସେମାନଙ୍କୁ ପୁନଃ ନିଯୁକ୍ତି ନକରନ୍ତି ତାହେଲେ ପୁଣି ରାଜରାସ୍ତା କୁ ଓଲ୍ହାଇବେ ବୋଲି ସୂଚନା ଦେଇଛନ୍ତି ଆନ୍ଦୋଳନ ରତ କର୍ମଚାରୀ । ଦରମା ଦେବାକୁ ଟଙ୍କା ଆସୁନଥିବା ଯୋଗୁଁ ସେମାନଙ୍କୁ ଛଟେଇ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହୁଥିବାବେଳେ ଏହାକୁ ନେଇ ସରକାରଙ୍କୁ ଅବଗତ କରାଯାଇଛି ଏବଂ କର୍ପସ ଫଣ୍ଡ ରୁ କର୍ମଚାରୀ ଙ୍କ ଦରମା ଦେବାପାଇଁ ଵ୍ୟଵସ୍ଥା କରିବା ପାଇଁ ସରକାରଙ୍କୁ ଚିଠି କରାଯାଇଥବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେବାପରେ ସେମାନେ ଏହି ନିଷ୍ପତି ନେଇଥିବା କହିଛନ୍ତି ସେମାନେ । ଦୀର୍ଘଦିନ ଧରି ଛଟେଇ କର୍ମଚାରୀ ମାନେ ପୁନଃ ନିଯୁକ୍ତି ପାଇଁ ଆନ୍ଦୋଳନ କରିଆସୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ସହ କୌଣସି ଆଲୋଚନା କରୁନଥିଲା ଯାହାକୁ ନେଇ ବିରୋଧୀ ରାଜନୈତିକ ଦଳ ଏବଂ ବିଭିନ୍ନ ସଂଘଠନ ମାନଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷି ଥିଲେ ଏବଂ ଆନ୍ଦୋଳନ ରତ କର୍ମଚାରୀଙ୍କୁ ସେମାନଙ୍କ ସମର୍ଥନ ରହିଥିବା ଜଣାଇଥିଲେ। ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଏଭଳି ଛଟେଇ କରାଯାଇଥିଲା ତେବେ ପୁନଃର୍ବାର ସେମାନଙ୍କୁ ନିଯୁକ୍ତି ଦିଆଯାଇ ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ କାହିଁକି ଏପରି ନିଷ୍ପତି ନିଆଯାଇ ନାହିଁ ବୋଲି ପ୍ରଶ୍ନ କରି ଆଜିଯାଏଁ ଆନ୍ଦୋଳନ ଜାରି ରଖିଥିଲେ ଛଟେଇ କର୍ମଚାରୀ। ଏହି ଛଟେଇ କର୍ମଚାରୀଙ୍କ ମଧ୍ୟରେ ଅନେକ ମହିଳା କର୍ମଚାରୀ ଥିବାବେଳେ ସେମାନେ ନିଜ ପିଲାଛୁଆଙ୍କ ସହ ଏହି ଆନ୍ଦୋଳନ ରେ ସାମିଲ ଥିଲେ। ଆଗକୁ ଖରା ପ୍ରବଳ ହେବାକୁ ଥିବା ସମ୍ଭାବନା ରହିଥିବାରୁ ଏବଂ ସ୍ୱାସ୍ଥ୍ୟବିଭାଗ ର ସୂଚନାକୁ ନେଇ ସ୍ବଳ୍ପ ସମୟ ପାଇଁ ଏହି ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଥିବା କହିଛନ୍ତି କର୍ମଚାରୀ। ଆଜି ସର୍ବଦଳୀୟ ନେତା ମାନେ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଆନ୍ଦୋଳନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ଏଥିରେ କଂଗ୍ରେସ ନେତା ମୁନା ତ୍ରିପାଠୀ ,ଅବଦୁଲ ଫିରୋଜ,ପ୍ରକାଶ ସାମନ୍ତରାୟ,ବିଜେଡି ନେତା ସରୋଜ ପାତ୍ର, ମଞ୍ଜୁଳା ମାଝୀ, ଉତ୍ତମ ତ୍ରିପାଠୀ,ସୀମାଞ୍ଚଳ ପାଢ଼ୀ, ବିକାଶ ପରିଷଦ ର ଭଗବାନ ବୈରାଗୀ, ବରିଷ୍ଠ ନେତା ଚନ୍ଦ୍ରଧ୍ଵଜ ମାଝୀ ପ୍ରମୂଖ ଉପସ୍ଥିତ ରହି ଆନ୍ଦୋଳନ କାରୀ କର୍ମଚାରୀ ଙ୍କୁ ଜୁସ ପିଆଇ ଧରଣାରୁ ଉଠାଇଥିଲେ। ସୂଚନ ଯୋଗ୍ୟ ଯେ ଏହି କର୍ମଚାରୀ ମାନେ ଯୋଗ୍ୟତା ଭିତ୍ତିରେ ଏଲ ଆଣ୍ଡ କେ ଆଉଟ ସୋରସିଂ ସଂସ୍ଥା ଦ୍ୱାରା ସ୍ୱାସ୍ଥ୍ୟବିଭାଗ ରେ ଚାକିରୀ ପାଇଥିଲେ । କିନ୍ତୁ ଚାକିରୀ କରିବାର ଦୁଇ ବର୍ଷ ପରେ ହଠାତ ୩୭ ଜଣ ଙ୍କୁ ଚାକିରୀ ରୁ ଛଟେଇ କରିଦିଆଗଲା । ଛଟେଇ ହୋଇଥିବା କର୍ମଚାରୀ ଙ୍କ ଅଭିଯୋଗ ଅନୁସାରେ ଗତ ୨୦୨୪ ଫେବୃୟାରୀ ମାସ ରୁ ଏଲ ଆଣ୍ଡ କେ କମ୍ପାନୀ ଦ୍ୱାରା ଜିଲ୍ଲାର ବିଭିନ୍ନ ମେଡ଼ିକାଲ ରେ ରହି ସେବା ଯୋଗାଇ ଦେଇଆସୁଥିଲେ । କିନ୍ତୁ ହଠାତ ଗତ ଜାନୁୟାରୀ ୩୧ ତାରିଖରେ ସେମାନଙ୍କୁ କାର୍ଯ୍ୟ ରୁ ଛଟେଇ କରାଯାଇଥିବା ନେଇ ଚିଠି କରିଥିଲା ସ୍ୱାସ୍ଥ୍ୟବିଭାଗ । ଛଟେଇ କର୍ମଚାରୀଙ୍କ ମଧ୍ୟରେ ୬ ଫାର୍ମାସିଷ୍ଟ, ୨ ଲାବ୍ ଟେକ୍ନି ସି ଆନ୍ ଓ ୨୯ ନସିଂ ଅଫିସର ଅଛନ୍ତି ।ତେବେ ଅନ୍ୟ କର୍ମଚାରୀଙ୍କୁ ଛଟେଇ କରାଯାଇ ନଥିବା ବେଳେ ସେମାନଙ୍କୁ କାହିଁ କି ଛଟେଇ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ ସ୍ବାସ୍ଥ୍ୟକର୍ମୀ। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ କର୍ମଚାରୀମାନେ ଭେଟିବା ପରେ ସେମାନଂକୁ ଦରମା ଦେବା ପାଇଁ ସରକାର ଟଙ୍କା ଦେଉନଥିବା କହିଥିଲେ । ତେବେ ଆସନ୍ତା ସାତ ଦିନ ମଧ୍ୟରେ ପୁନଃ ନିଯୁକ୍ତି ଦାବି କରିଥିଲେ ନଚେତ ଆନ୍ଦୋଳନ କରାଯିବ କହିଥିଲେ ।ଏଥିରେ କୌଣସି ପଦକ୍ଷେପ ନିଆ ନଯିବାରୁ ଛଟେଇ କର୍ମଚାରୀମାନେ ଗତ ୧୨ ତାରିଖରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୀତ ଏବଂ ଖରା ରେ ଦିନରାତି ଧାରଣା ଦେଇଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ