ସ୍ୱାସ୍ଥ୍ୟସେବାରେ ଘୋର ଅଭାବ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡା -ଓଡିଶାରେ କେନ୍ଦ୍ରାପଡା ଜିଲ୍ଲା ତା’ର ଗାରିମାକୁ ଯତପରନାସ୍ତି ବଜାୟ ରଖିଥିବା ବେଳେ ରାଜ୍ୟର ବିକାଶ ପାଇଁ ୪୫କିଲୋମିଟର ସମୁଦ୍ର ଉପକୂଳ ସହିତ ୫୫କିଲୋମିଟର ଜାତୀୟ ରାଜପଥ ସମେତ ଆହୁରି ଅନେକ ତ୍ୟାଗ ଏହି ଜିଲ୍ଲାର ରହିଛି । ମାତ୍ର ଜିଲ୍ଲାର ମୁଖ୍ୟ ସମସ୍ୟା ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟ ସରକାର ସଚେତନ ରହୁନଥିବା ଭଳି ମନେ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେତିକି ଡାକ୍ତର ରହିବା କଥା ତାହାର ଅଧା ଠାରୁ ଯଥେଷ୍ଟ କମ ସଂଖ୍ୟକ ଡାକ୍ତର ଅଛନ୍ତି । ଏଭଳି ପରିସ୍ଥିତିରେ ଏଠାରୁ ୩ଜଣ ଡାକ୍ତରଙ୍କୁ ବଦଳି କରାଯାଇଛି । ରୋଗୀମାନଙ୍କୁ ନାମ ପଞ୍ଜିକରଣ ନିମନ୍ତେ କାଉଁଟରରେ ୨/୩ ଘଂଟା ଅପେକ୍ଷା କରିବାକୁ ପଡୁଥିବା ବେଳେ ଆଉଟ ଡୋରରେ ଉପଯୁକ୍ତ ଚିକିତ୍ସା ମିଳେନା । ରାତିରେ ଜରୁରୀ ରୋଗୀ ଡାକ୍ତରଖାନାକୁ ଗଲେ କଲରେ ଡାକ୍ତର ଆସନ୍ତି ନାହିଁ । ରୋଗୀକୁ କଟକ ବଡ ଡାକ୍ତରଖାନା ଯିବାକୁ ପଡିଥାଏ । ଡାକ୍ତରମାନେ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା ଅପେକ୍ଷା ଘରୋଇ ଚିକିତ୍ସାକୁ ଅଗ୍ରାଧିକାର ଦେଇଥାନ୍ତି । ଜିଲ୍ଲାରେ ଅନ୍ୟ ଡାକ୍ତରଖାନା ଗୁଡିକ କଥା ନକହିବା ଭଲ । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଅନେକ ଦିନରୁ ହୋଇଆସୁଥିବା ବେଳେ ସରକାର ସେଥିପ୍ରତି ଉଚିତ ଧ୍ୟାନ ଦେଉନଥିବା ଦେଖାଯାଇଛି । ତେଣୁ ଏହିସବୁ ଦାବି ଗୁଡିକ ପ୍ରତି ମୁଖ୍ୟମନ୍ତ୍ରୀ ତୁରନ୍ତ ଦୃଷ୍ଟି ନଦେଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଗଣ ସଂଗ୍ରାମ ସମିତି ଗଣତାନ୍ତ୍ରିକ ଧାରାରେ ସଂଗ୍ରାମ ଜାରି ରଖିବାକୁ ବାଧ୍ୟ ହେବ ବୋଲି ଗଣ ସଂଗ୍ରାମ ସମିତିର ଆବାହକ ମଣ୍ଡଳି ପକ୍ଷରୁ ଆଇନଜୀବି ପ୍ରଦିପ ଦାଶ, ରମଣୀରଞ୍ଜନ ରାଉତରାୟ, ଧିରେନ୍ଦ୍ର କୁମାର ଦାସ, ଗୋଲକ ବିହାରୀ ପାତ୍ର, ଗଗନ ବିହାରୀ ରାଉତ, ସଞ୍ଜୟ କୁମାର ଜେନା, ବସନ୍ତ କୁମାର ପରିଡା, ସୁବାଷ ଚନ୍ଦ୍ର ରାଉତ, ଅପୂର୍ବରଞ୍ଜନ ସେଠୀ, ନରେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ