ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ପାଳନ ସହ ପ୍ରତିମା ପ୍ରତିଷ୍ଠା ଓ ଉଦଘାଟନୀ କାର୍ଯ୍ୟକ୍ରମ

ବୁଗୁଡା (ଅନିଲ କୁମାର ) : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା “ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର”ରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ୨୦୨୧ ପାଳନ ସହ ମହାବିଷୁବ ସଂକ୍ରାନ୍ତି ଅବସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ମହାବୀର ହନୁମାନଙ୍କ ପ୍ରତିମା ପ୍ରତିଷ୍ଠା ଓ ନୂତନ ପରୀକ୍ଷାଗାର ଗୃହ ଉଦଘାଟନ କାର୍ଯ୍ୟକ୍ରମ ଏପ୍ରିଲ ୧୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦର ଉପବନ ଓ ପରିବେଶ ମଧ୍ୟରେ ପ୍ରତିଷ୍ଠିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାର “ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର” ର ମାନ୍ୟତା ପ୍ରଦାନ କରିବାର ତୃତୀୟ ବର୍ଷରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ୨୦୨୧ ପାଳନ ଅବସରରେ ପ୍ରଥମେ ମହାବୀର ହନୁମାନଙ୍କ ପ୍ରତିମା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାପରେ ନୂତନ ପରୀକ୍ଷାଗାର ଗୃହକୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଉଦଘାଟନ କରିଥିଲେ। ତାପରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ୨୦୨୧ ପାଳନ କାର୍ଯ୍ୟକ୍ରମ ମାଣିତରାର ଡାକ୍ତର ଦୟାନିଧି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବୁଗୁଡା ସିଏଚସି ମୁଖ୍ୟ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ଖଦାଳ ଖଟେଇ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଅନିଲ କୁମାର ମହାରଣା ଓ ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ। ମାଣିତରାର ଅନ୍ୟତମ ଡାକ୍ତର ଦୁର୍ଗାପ୍ରସାଦ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ “ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର” ଦ୍ୱାରା ଯୋଗାଇ ଦେବାକୁ ଥିବା ୧୨ ଟି ସ୍ୱାସ୍ଥ୍ୟ ସେବା ବିଷୟରେ ପ୍ରାଞ୍ଜଳ ଭାବେ ଆଲୋଚନା ହୋଇଥିଲା। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର, ଟେକିନସିଆନ କାଳୀ ଚରଣ ସାହୁ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ଆଶକର୍ମୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ