ସ୍ୱାସ୍ଥ୍ୟ ପାଇଁ ଉପକାରୀ ଦହିଭାତ
ଦହିଭାତ ଖାଇବା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭଦାୟକ । ଭାତରେ ପୋଟାସିୟମ, ଆଇରନ, କାର୍ବୋହାଇଡେଡ୍, ଫାଇବର, ମ୍ୟାଗ୍ନେସିୟମ, ଭିଟାମିନ ବି୬ର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ରହିଛି । ସେହିପରି ଦହିରେ କ୍ୟାଲସିୟମ, କାର୍ବୋହାଇଡ୍ରେଟ, ପୋଟାସିୟମ, ସୋଡିୟମ ଓ ପ୍ରୋଟିନ ରହିଛି । ଦହି ଭାତ ଶରୀରରେ ଓଜନ କମ୍ କରିବା ସହ ଖାଦ୍ୟ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଦହିଭାତ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ ।
ପାଚନ ଶକ୍ତି ବଢ଼ାଏ: ଦହିରେ ପ୍ରୋବାୟୋଟିକ ଗୁଣ ରହିଛି । ଯାହା ପେଟରେ ଥିବା ଭଲ ବ୍ୟାକ୍ଟେରିଆକୁ ବଢ଼ାଇଥାଏ । ଏହା କୋଷ୍ଠକାଠିନ୍ୟ ଓ ପେଟଦରଜ ଭଳି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ଦହି ଭାତ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହେ ଓ ହଜମ ଶକ୍ତିକୁ ବଢ଼ାଏ ।
ଶରୀରକୁ ଥଣ୍ଡା ରଖେ: ଦହିରେ ଥିବା ମିନେରାଲ୍ସ ଶରୀରର ତାପମାତ୍ରାକୁ କମ୍ ରଖିବାରେ ସହାୟକ ହୋଇଥାଏ । ଏଥିଲାଗି ଗରମ ଦିନରେ ଦହିଭାତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ହେବ ।
ଚିନ୍ତା ଦୂର କରିବାରେ ସହାୟକ ହୁଏ : ଦହିରେ ପ୍ରୋବାୟୋଟିକ ଗୁଣ ସହ ଆଣ୍ଟି ଅକ୍ସିଡେଣ୍ଟ ଓ ଗୁଡ ଫ୍ୟାଟ୍ ରହିଛି । ତେଣୁ ଦହିଭାତ ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ ।
ଓଜନ ହ୍ରାସ କରାଏ: ଦହିଭାତରେ ଫାଇବର ଓ କାର୍ବୋହାଇଡ୍ରେଡ ରହିଛି । ଏହାକୁ ଖାଇବା ଦ୍ୱାରା ଭୋକ କମ ଲାଗିବା ସହ ପେଟ ପୂରିଲା ଭଳି ଲାଗିଥାଏ । ତେଣୁ ଓଜନ ହ୍ରାସ କରିବାରେ ଦହିଭାତ ସହାୟକ ହୋଇଥାଏ ।
ଦହିଭାତ ପ୍ରସ୍ତୁତ କରିବା ବିଧି: ଏକ ପାତ୍ରରେ ଭାତ ସହ ଦହିକୁ ମିଶାନ୍ତୁ । କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଯିବା ପରେ ଅଳ୍ପ ଜିରା ଫ୍ରାଏ କରନ୍ତୁ । ଦହିଭାତକୁ କଡେଇରେ ପକାନ୍ତୁ । ଶେଷରେ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଘାଣ୍ଟନ୍ତୁ । କଟା ଧନିଆକୁ ଏହା ଉପରେ ଭଲ ଭାବେ ଗ୍ରାର୍ନିଶିଂ କରି ଥଣ୍ଡା ହୋଇଯିବା ପରେ ଖାଆନ୍ତୁ ।