ସ୍ୱାସ୍ଥ୍ୟ ବିଭାଗର ପାତର ଅନ୍ତର ନୀତି : ଅସ୍ଥାୟୀଙ୍କୁ ଅବହେଳା, ସ୍ଥାୟୀଙ୍କୁ ପ୍ରୋତ୍ସାହନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଦେଖା ଦେଇଛି । ଜିଲ୍ଲାରେ କରୋନାକୁ ଦୃଷ୍ଟିରେ ରଖି ଉଭୟେ ସ୍ଥାୟୀ ଓ ଅସ୍ଥାୟୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଭିନ୍ନ ଭିନ୍ନ ଭାବେ ନିୟୋଜିତ କରାଯାଇଛି । ସ୍ଥାୟୀ ଓ ଅସ୍ଥାୟୀ ସରକାରୀ ନିର୍ଦ୍ଦେଶ ଭାବେ ସେମାନଙ୍କ ଦାୟୀତ୍ୱକୁ ଠିକ୍ ଭାବେ ପାଳନ କରୁଥିବା ବେଳେ ନିୟମ ଅନୁଯାଇ ଉଭୟଙ୍କୁ ସମାନ ପ୍ରୋତ୍ସାହନ ମିଳିବା କଥା । ହେଲେ ଗଜପତି ଜିଲ୍ଲାରେ ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି । ସ୍ଥାୟୀମାନଙ୍କୁ ୪ମାସର ଦରମା ଅଗ୍ରୀମ ଭାବେ ଦିଆଯାଇଛି । ଅସ୍ଥାୟୀମାନଙ୍କୁ କୌଣସି ଅଗ୍ରୀମ ଦିଆଯାଇ ନାହିଁ । ଗଜପତି ଜିଲ୍ଲାରେ ଅନେକ ଅସ୍ଥାୟୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟରତ ଅଟନ୍ତି । ଏହି ଜିଲ୍ଲାର କାଶୀନଗର ବ୍ଲକରେ କାର୍ଯ୍ୟରତ ଅସ୍ଥାୟୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଉଦାହରଣ ଏଠାରେ ଉପସ୍ତାପନ କରାଗଲା । କାଶୀନଗର ବ୍ଲକରେ ଗୋଟିଏ ମୋବାଇଲ ହେଲ୍ଥ ୟୁନିଟ ଓ ଅନ୍ୟ ଏକ ରଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ୟୁନିଟ କାର୍ଯ୍ୟ କରୁଥିଲେ ମଧ୍ୟ ବର୍ତ୍ତମାନ କରୋନା ସମୟରେ ଏମାନଙ୍କ ଉପରେ ଯେତିକି ଦାୟୀତ୍ୱ ରହିଛି ଏମାନଙ୍କ ଚାକିରୀର ସେତିକି ସ୍ଥାୟୀତ୍ୱ ନ ଥିବା ଜଣାପଡିଛି । ଏହି ୨ଟି ଟିମ୍ରେ ୬ଜଣ ଆୟୁଷ ଡାକ୍ତର,୨ଜଣ ଫାର୍ମାସିଷ୍ଟ,୩ଜଣ ଏଏନଏମ ଓ ଜଣେ ଆଟେଣ୍ଡାଣ୍ଟ ଗତ ମାର୍ଚ୍ଚ ୧୭ ତାରିଖ ଠାରୁ କରୋନା ପାଇଁ ସମସ୍ତ ଜରୁରୀକାଳୀନ ଦାୟୀତ୍ୱ ତୁଲାଇ ଆସୁଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍ରେ ରଖିବା,ସ୍ୱାସ୍ଥ୍ୟ ପରୀକ୍ଷା କରାଇବା,ସ୍ୱାବ ସଂଗ୍ରହ କରିବା,ନାକା ଗେଟ୍ ଡ୍ୟୁଟି ତୁଲାଇବା,ଲୋକମାନଙ୍କୁ ସଚେତନ କରିବା ଏହି ପରି ବହୁ ଗୁରୁଦାୟୀତ୍ୱ ତୁଲାଉଛନ୍ତି । ସରକାର ଏହି କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ବୋଲି କହୁଥିବା ବେଳେ ଏମାନଙ୍କ ପ୍ରତି ସ୍ୱାସ୍ଥ୍ୟବିଭାଗ ଉଦାସୀନ ମନୋଭାବ ଦେଖାଉଛନ୍ତି । ସରକାରଙ୍କ ପକ୍ଷରୁ ଏହି ୨ଗୋଟି ଟିମ୍ ପାଇଁ କୌଣସି ଅଗ୍ରୀମ ଦରମା ଘୋଷଣା କରାଯାଇ ନ ଥିବା ବେଳେ ସ୍ଥାୟୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ୪ ମାସର ଅଗ୍ରୀମ ଦରମା ପ୍ରଦାନ କରାଯାଇଛି । ଏହି ୨ଗୋଟି ଟିମ୍ର ଦାୟୀତ୍ୱ ଅନେକ ରହିଥିବା ବେଳେ ଏମାନଙ୍କ ଚାକିରିର କୌଣସି ସ୍ଥାୟୀତ୍ୱ ନାହିଁ । ଏଥି ସହ ଏମାନଙ୍କୁ କୌଣସି ପ୍ରୋତ୍ସାହନ ମଧ୍ୟ ନାହିଁ । କେତେକ ରାଜ୍ୟରେ ଏହିପରି କର୍ମଚାରୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଇଥିଲେ ମଧ୍ୟ ଓଡିଶାରେ ତାହା ଦେଖିବାକୁ ମିଳୁ ନାହିଁ । ରାଜ୍ୟ ସରକାର ଏହି କର୍ମଚାରୀ ମାନଙ୍କ ଦାୟୀତ୍ୱକୁ ଦେଖି ଯଦି ସ୍ଥାୟୀ କର୍ମଚାରୀଙ୍କ ଭଳି ପ୍ରୋତ୍ସାହିତ କରନ୍ତେ ତାହାହେଲେ ଏହି କର୍ମଚାରୀମାନେ ଏଭଳି ଏକ କରୋନା ପରିସ୍ଥିତିରେ ଉପକୃତ ହୋଇପାରନ୍ତେ ବୋଲି କ୍ଷୋଭର ସହ ଡା.ସଚ୍ଚିକାନ୍ତ ମହାପାତ୍ର ଜଣାଇଛନ୍ତି ।


