ସ୍ୱାସ୍ଥ୍ୟ ବିଭାଗୀୟ ଜିଲ୍ଲା ସମନ୍ଵୟ କମିଟି ବୈଠକ : ଜିଲ୍ଲାପାଳ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ସକାଶେ ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଜୁମ୍ ଆପ୍ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଘରକୁ ଘର ବୁଲି ବଟିକା ଖାଇବାକୁ ଦିଆଯିବ । କେବଳ ଗର୍ଭବତୀ ମହିଳା କିମ୍ବା କୌଣସି ରୋଗରେ ପିଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ବାଦ୍ ଦିଆଯାଇ ଏହି ଔଷଧ ବଣ୍ଟନ ହେବ ଏବଂ ଔଷଧ ଖାଇବା ଦିଗରେ ସୁନିଶ୍ଚିତ କରାଯିବ। ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜଣାଇଥିଲେ ଯେ, ଜିଲ୍ଲାରେ କେହି ଗୋଦରଗୋଡ ରହିବେ ନାହିଁ । ସେଥିଯୋଗୁଁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଆସନ୍ତା ଫେବୃୟାରୀ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଜାତୀୟ କୃମି ନାଶକ ଦିବସ ପାଳନ ହୋଇ ବଟିକା ବିତରଣ କରାଯିବ । ଶୂନ ଠାରୁ ୨ବର୍ଷ ଶିଶୁଙ୍କୁ ଏହି ବଟିକା ପ୍ରଦାନ କରାଯିବ ନାହିଁ । ବିଗତ ବର୍ଷ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ୮୭ ପ୍ରତିଶତ ପୂରଣ ହୋଇପାରିଥିଲା । ଚଳିତ ଥର ଯେପରି ଶତପ୍ରତିଶତ ପୂରଣ ହେବ ସେଥିନିମନ୍ତେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ପରେପରେ ଜିଲ୍ଲାରେ ଚାଲିଥିବା ଟିକାକରଣ ପ୍ରକ୍ରିୟା ସକାଶେ ସମୀକ୍ଷା ହୋଇଥିଲା । ଜିଲ୍ଲାରେ ୧୮ ବର୍ଷ ପର୍ଯ୍ୟନ୍ତ ୨୭୨୨୯୦୬ଜଣଙ୍କୁ ଟିକା ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ତନ୍ମଧ୍ୟରୁ ୨୪୬୭୮୫୮ ଜଣଙ୍କୁ ପ୍ରଥମ ଟିକା ଏବଂ ୨୨୧୨୬୭୯ ଜଣଙ୍କୁ ଦ୍ୱିତୀୟ ଟିକା ପ୍ରଦାନ କରାଯାଇଛି । ସେହିଭଳି ୧୫ ବର୍ଷ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ସମୁଦାୟ ୨୧୪୯୨୪ଜଣଙ୍କୁ ଟିକାକରଣ କରିବା ଲକ୍ଷ୍ୟ ରଖାଯାଇଛି। ତନ୍ମଧ୍ୟରୁ ୧୫୩୫୨୧ ଜଣଙ୍କୁ ଟିକାକରଣ ଶେଷ ହୋଇଥିବା ସମୀକ୍ଷାରୁ ଜଣାପଡିଛି । ଟିକାକରଣ ପ୍ରକ୍ରିୟାକୁ ମନ୍ଥରଗତିରେ ନରଖି ସ୍ଵଳ୍ପ ସମୟ ମଧ୍ୟରେ ଯେପରି ସମସ୍ତ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଜଣେବି ଅଠରବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଟିକାକରଣରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ବ୍ଲକ୍ ଗୁଡିକରେ କିଭଳି ଟିକାକରଣ ପ୍ରକ୍ରିୟା ଚାଲିଛି ସେସମ୍ପର୍କରେ ଲିଖିତ ଆକାରରେ ଜଣାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ସମସ୍ତ ଉପଜିଲ୍ଲାପାଳ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ସମସ୍ତ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।