ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଶପଥପାଠ
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ସରକାରଙ୍କ କାୟାକଳ୍ପ ସ୍ୱଚ୍ଛତା ଓ ପରିମଳ ମୂଲ୍ୟାଙ୍କନରେ ଭଲ ପ୍ରଦର୍ଶନ ପାଇଁ ଫକୀରମୋହନ ଭେଷଜ ମହାବିଦ୍ୟାଳ ଏବଂ ହସପିଟାଲ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସଚେନତନା କାର୍ଯ୍ୟକମରେ ଭେଷଜ ମହାବିଦ୍ୟାଳୟ କଲେଜ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲାମୁଖ୍ୟ ଚିକିତ୍ସାଳୟର ଅଧିକାରୀ ତଥା କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଉଦଘାଟନ କରିବା ସହ କାୟାକଳ୍ପ ସ୍ୱଚ୍ଛତା ଓ ପରିମଳ ମୂଲ୍ୟାଙ୍କନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ସ୍ୱଚ୍ଛତା ସାଙ୍ଗକୁ ପରିମଳ ବ୍ୟବସ୍ଥାର ସୁଧାର ଆଣିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଏନେଇ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ସାମୂହିକ ପଦକ୍ଷେପ ନେବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବ ଏଥିରେ ଯୋଗଦେଇ କାୟାକଳ୍ପ ସ୍ୱଚ୍ଛତା ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସମ୍ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବା ଓ ସ୍ୱଚ୍ଛତାର ସୁଧାର ଆସିଥିଲେ ବି ଏହାକୁ ଆହୁରି ଅଧିକ ସ୍ୱଚ୍ଛ ରଖିବା ପାଇଁ ଏହି ସ୍କିମ ବେଶ ସହାୟକ ହେବ ବୋଲି ସେ କହିଥିଲେ । ଫକୀର ମୋହନ ଭେଷଜ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରିଣୀ ମନୋରମା ଭୂୟାଁ ଏଥିରେ ଯୋଗଦେଇ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାୟାକଳ୍ପ ସ୍ୱଚ୍ଛତା ସ୍କିମ କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ । ଏହାଦ୍ୱାରା ପ୍ରତିମାସ ଅତିକମରେ ୧୦ଥର ଡାକ୍ତରଖାନା ପରିସରକୁ ବିଶୋଧନ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀମତୀ ଭୂୟାଁ ସୂଚନା ଦେଇଥିଲେ । ଡାକ୍ତରଖାନା ପରିସରକୁ ସ୍ୱଚ୍ଛ ରଖିବା ଓ ପରିମାଳ ବ୍ୟବସ୍ଥାର ସୁଧାର ପାଇଁ ଏହି ଅବସରରେ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଉପସ୍ଥିତ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଶପଥ ପାଠ କରାଇଥିଲେ । ଏହା ବ୍ୟତୀତ ଡାକ୍ତରଖାନା ପରିସରକୁ ସମସ୍ତେ ସଫେଇ କରିଥିଲେ । ରାଜ୍ୟ ସ୍ତରୀୟ କାୟାକଳ୍ପ ସ୍ୱଚ୍ଛତା ଓ ପରିମଳ ମୂଲ୍ୟାଙ୍କନରେ ବାଲେଶ୍ୱର ଜିଲାର କେବଳ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାକି ୧୦ଟି ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ଭଲ ପ୍ରଦର୍ଶନ ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି । ଚଳିତ ବର୍ଷ ସବୁ ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭଲ ପ୍ରଦର୍ଶନ କରିବେ ବୋଲି ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି ।