ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଠାରେ ୧୧ଦଫା ଦାବିପତ୍ର ଉପସ୍ଥାପନ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର,(ଅନିଲ କୁମାର): ରାଜ୍ୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଅତ୍ୟନ୍ତ ବିପର୍ଯ୍ୟସ୍ତ ପରିସ୍ଥିତିରେ ପହଁଚିଛି, ଜନଗଣଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରକୃତରେ ଲୋକଙ୍କ ସେବାରେ ଆସିପାରୁନାହିଁ l ଜରୁରୀ ଓ ସାଙ୍ଘାତିକ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଚଳ ହୋଇପଡିଛି l ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ବ୍ରହ୍ମପୁର ଗସ୍ତ ଅବସରରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏମକେସିଜି ମେଡିକାଲ ଓ ସିଟି ହସ୍ପିଟାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯିବାସହ ୧୧ଦଫା ଦାବିନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ବରିଷ୍ଠ ଡାକ୍ତରଙ୍କ ଅଭାବରୁ ଚିକିତ୍ସା ନପାଇ ବହୁ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି l ରୋଗୀଙ୍କ ଅକାଳ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରିଛି ମଞ୍ଚ l ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ କରିବା, ବର୍ଣ କେୟାର ୟୁନିଟ ଖୋଲିବା, ଟ୍ରମା କେୟାର ବିଭାଗକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସ୍ଥାଣୁ ଅବସ୍ଥାରେ ଥିବା କର୍କଟ ବିଭାଗର ଅନ୍ତଃ ବିଭାଗକୁ କାର୍ଯ୍ୟକ୍ଷମ କରିବା, ମେଡିକାଲ ପରିସରରେ ସମସ୍ତ ନିଶା ଦ୍ରବ୍ୟ ବିକ୍ରି ଓ ସେବନକୁ ନିଷିଦ୍ଧ କରିବା,ଶରୀର ଦାନ ବେଳେ ମର ଶରୀରକୁ କଲେଜ ଠାରେ ପହଂଚିବା ପାଇଁ ଯାତ୍ରା ଖର୍ଚ୍ଚକୁ ମାଗଣା ଓ ଆନାଟୋମି ବିଭାଗକୁ ନେବା ପାଇଁ ଲିଫ୍ଟ ବ୍ୟବସ୍ଥା କରିବା, ମେଡିକାଲ ବର୍ଜ୍ୟ ବସ୍ତୁକୁ ନଷ୍ଟ କରିବା ପ୍ଲାଣ୍ଟକୁ ସହରଠୁ ଦୂରକୁ ଘୁଞ୍ଚାଇବା , ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଏମଆରଆଇ, ଡାଇଲିସିସ ଭଳି ଜରୁରୀ ପରୀକ୍ଷା ଓ ଚିକିତ୍ସାକୁ ଆବଶ୍ୟକୀୟ ସମସ୍ତ ରୋଗୀଙ୍କୁ ତୁରନ୍ତ ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବା,କିଡ଼ନୀ ରୋଗୀଙ୍କ ଡାଇଲିସିସ ପାଇଁ ସିଟି ହସ୍ପିଟାଲରେ ବିଭାଗ ଖୋଲିବା, ମେଡିକାଲ ପରିସରରେ ଥିବା ସମସ୍ତ ଖାଲି ସ୍ଥାନକୁ ସୌନ୍ଦର୍ଯ୍ୟକରଣ କରିବା ଆଦି ଦାବିନେଇ ଆଜି ମଞ୍ଚ ଦାବିପତ୍ର ପ୍ରଦାନ କରିଛି l ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ସମସ୍ତ ଦାବୀକୁ ଗୁରୁତର ଭାବେ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମାନବ ଅଧିକାର ମଞ୍ଚକୁ ପ୍ରତିଶୃତି ଦେଇଛନ୍ତି l ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଙ୍କ ସହ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, ଅଳକାନାଥ ମିଶ୍ର,ଅଶୋକ ଦଳାଇ,କାହ୍ନୁ ଚରଣ ପାତ୍ର,ଆର. କ୍ରିଷ୍ଣା ରେଡ୍ଡୀ, ପ୍ରଫୁଲ୍ଲ କୁମାର ଜେନା, ମନୋଜ କୁମାର ତରାଇ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଜୟକୃଷ୍ଣ ନାୟକ,ଏସ.ଶାମ୍ବାଶିବା ରାଓ, ନିରଞ୍ଜନ ସାହୁ ପ୍ରମୁଖ ସ୍ମାରକ ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ l


